ଅଜଣା ଜଗତର ଡାକ (୩୫)


ଅଶୋକ ବିଶ୍ୱାଳ : ଅସୀମ କେମିତି ବି ସାମାନ୍ୟ ପଥର ଚଢି ଗୁମ୍ଫା ମୁହଁ ପାଖକୁ ଯିବେ ବୋଲି ଭାବୁଥିଲେ । କିନ୍ତୁ ଏପଟୁ ସମ୍ଭବ ହେବା ଭଳି କାହିଁ ଲାଗୁନଥିଲା । ଗୁମ୍ଫା ଭିତର ଅତି ସାମାନ୍ୟ ଦିଶିଲା । ଘୋର ଅନ୍ଧାର । ଅସୀମଙ୍କୁ ଲାଗିଲା ସେମାନଙ୍କ ଛାଇ ଯେମିତି ଗୁମ୍ଫା ମୁହଁ ପର୍ଯ୍ୟନ୍ତ ଲମ୍ବି ଯାଇଛି । କିଛିଟା ଛୋଟ ବାଦୁଡି ଭିତରେ ଫଡ ଫଡ ହେଉଥିବେ । ଭିତରେ ଘୋର ଅନ୍ଧାରରେ ଏକ ଛୋଟ କଳା ରଙ୍ଗର ସୁଇଫ୍ଟଲେଟ ଚଢେଇଟିଏ ଉଡିଯିବ । ଅସୀମ ଭାବିଲେ ବଡ କଷ୍ଟରେ ପକ୍ଷୀଟି ଏକ ପଥର କାନ୍ଥ ଉପରେ ଉଡି ଉଡି ତାଟିଆର ଫାନ୍ଦ ଗଢିଲାଭଳି ଫାନ୍ଦରେ ଛେପ ପକାଇଚାଲୁଥିବ । ତା’ର ଥଣ୍ଟରୁ ଅଠାଭଳି ସାମାନ୍ୟ ଛେପ ଲାଗି ସେଇଠି ଟିକିଏ ଅଧିକ ବସା ଗଢି ହୋଇଯାଉଥିବ ଆଉ ପବନ ଲାଗିଲେ ଛେପ ଟାଣ ହୋଇଯାଉଥିବ । ବସା ତିଆରି କରିବାକୁ ପ୍ରାୟ ତିନି ମାସ ସମୟ ଲାଗିଯାଉଥିବ । ଗୁମ୍ଫା କାନ୍ଥରେ କେତେଟା ସୁଇଫ୍ଟଲେଟ ଲାଗିରହିଥିବେ । ସେମାନେ ସେଠାରେ ଗୋଟିଏ ଦୁଇଟି କରି ଅଣ୍ଡା ଦେବେ । ଛୁଆ ହୋଇଗଲାପରେ ବାପ ମା’ ଆଉ ବସାକୁ ଆସିବେନି । ଛୁଆ ମୋଟେ ନଥକି ଆକାଶରେ ଉଡୁଥିବ ଆଉ ଉଡୁଥିବ । ସେଇ ଆକାଶରେ କୀଟ ପତଙ୍ଗକୁ ଉଡୁଉଡୁ ଶିକାର କରୁଥିବ, ଆକାଶରେ ଉଡୁଉଡୁ ଶୋଉଥିବ । ଆଶ୍ଚର୍ଯ୍ୟଜନକ ପକ୍ଷୀ, ଭୂମି ଉପରକୁ ମୋଟେ ଆସିବନି । 
“ଏ ଛୋଟ ପକ୍ଷୀମାନେ ଏମିତିଆ ଅନ୍ଧାରୁଆ ଗୁମ୍ଫାରେ ଜୀବନ ଆରମ୍ଭ କରୁଛନ୍ତି । ଦୁନିଆ କେତେ ଅଦ୍ଭୂତ ଜୀବରେ ଭରା । ଏମାନେ ବାଦୁଡି ନୁହଁନ୍ତି, କିନ୍ତୁ ଗୁମ୍ଫାରେ ଜୀବନ କାଟୁଛନ୍ତି ।”– ଅସୀମ କହିଲେ ନିଜକୁ ନିଜେ । ସେମାନେ ଗୁମ୍ଫା ଭିତରକୁ କିନ୍ତୁ ଯାଇପାରିଲେ ନାହିଁ । ପାଣି ବଢୁଥିଲା । ତାଛଡା ପାଖରେ ଏତେ ବୁଟ ବା ଗ୍ଲୋଭସ ନଥିଲାା ସେମାନେ ମଧ୍ୟ ସୁଇଫ୍ଟଲେଟଙ୍କ ବସା ଗଣିବାକୁ ଯାଇନଥିଲେ । ସେମାନଙ୍କର ଉଦେ୍ଦଶ୍ୟ ଥିଲା ଚୋରା ଶିକାରୀଙ୍କ ପାଖରେ ଏକ ଷ୍ଟ୍ରଙ୍ଗ ମ୍ୟାସେଜ ପହଞ୍ଚୁ । ସେମାନଙ୍କର ସୁଇଫ୍ଟଲେଟ ବସା ପାଖକୁ ଆସିବାର ଖବର ଅଧା କ୍ୟାମ୍ପବେଲ ବେରେ ପହଞ୍ଚô ଯିବଣି । ଆଉ ଅପେକ୍ଷା କରିବାର କିଛି ମାନେ ନଥିଲା । ସେମାନେ ଆହୁଲା ମାରି ଗଭୀର ପାଣିକୁ ଆସୁଥିଲେ । ଶୋଭନା ଟିକେ ହସିଦେଲେ । ସେମାନଙ୍କ ବୋଟ ଫେରିଆସୁଥିଲା । ଅସୀମ ବାହାରକୁ ଅନାଇଥିଲେ । ବାହାରେ ନୀଳ ଆକାଶ ଦିଶୁଥିଲା । ଘରଠାରୁ ସମୁଦ୍ରକୂଳ ଦେଖାଯାଏନି । କିନ୍ତୁ ଗର୍ଜନ ଟିକିଏ ଟିକିଏ ଶୁଣାଯାଏ । ଅସୀମ ଭାବନ୍ତି କେତେ ନୂଆ ଖବର ଯେମିତି ଭାସିଆସେ ସମୁଦ୍ରରୁ । ସମୁଦ୍ରର ସେପାରିରେ କେତେ ଅଲଗା ଦୁନିଆ ଥିବ । 
“ରବର କ୍ରାବ ନଡିଆଗଛ ଚଢେ ।”- ସାମୁଏଲ କହିଲେ । ତାଙ୍କ ଆଖି ନୀଳ ସମୁଦ୍ରର ସେପାରିରୁ ଆସିବା ଭଳି ଅସୀମଙ୍କୁ ଲାଗିଲା ନହେଲେ କଙ୍କଡା ଗଛ ଚଢିବା କଥା କହିନଥାନ୍ତେ । ସାମୁଏଲ ନିକୋବରୀ ଲୋକ । ଏବେ କ୍ୟାମ୍ପବେଲ ବେ ରେ ଅଛନ୍ତି । ୨୭ କି.ମି ଅଞ୍ଚଳରେ ରୁହନ୍ତି । ଅସୀମ ତାଙ୍କ ମୁହଁକୁ ହାଁ କରି ଅନାଇଥିଲେ । ତାଙ୍କର ଅନ୍ୟନିକୋବରୀଙ୍କ ପରି ମୋଟାସୋଟା ଦେହ । ମୁହଁ ବି ଟିକେ ଫୁଲିଯାଇଛି । ସେ ମୋଟେ ଚାଲାକ ଚତୁର ହୋଇନଥିବେ ବୋଲି ତାଙ୍କୁ ଦେଖି ଯେ କେହି କହିଦେବ । କଥାକୁ ମଧ୍ୟ ବାଗେଇ କହିବା ସେ ଜାଣିନଥିଲେ । ଦେହରେ ସାଧାରଣ ପ୍ୟାଣ୍ଟ ସାର୍ଟ ପିନ୍ଧିଥିଲେ ।  ଅସୀମ ଭାବିଲେ ସମୁଦ୍ରକୂଳରେ ଥିବା ନିକୋବରୀ ଲୋକମାନେ ନିଶ୍ଚିତ କିଛି ନଡିଆ ଗଛ ଉପରେ ଅଶୁଣା କଥା କହିବେ । ନିକୋବର ଗ୍ରୁପର ଦ୍ୱୀପମାନଙ୍କରେ ନିକୋବରୀ ଆଉ ଶୋମ୍ପେନମାନେ ପ୍ରଥମରୁ ରୁହନ୍ତି । ନିକୋବରୀମାନେ ମୁଖ୍ୟତଃ ସମୁଦ୍ରକୂଳରେ ଗୋଲ ଗମ୍ବୁଜାକାର ଘର କରି ରହିଥାନ୍ତି । ଏ ଗୋଲ ଘରସବୁ ଅସୀମଙ୍କୁ ଆଶ୍ଚର୍ଯ୍ୟଜନକ ଲାଗେ । ମଣିଷ ଲମ୍ବା, ତେଣୁ ଆୟତାକାର କ୍ଷେତ୍ର କଲେ ତା’କୁ ସୁବିଧା ହେବ । କିନ୍ତୁ ନିକୋବରୀମାନେ ଗୋଲ ଘର କରନ୍ତି । ତେଣୁ ସାମୁଏଲ ସମୁଦ୍ରକୂଳର ଏକ ବିସ୍ମୟକର କଥା କହୁଥିବେ ବୋଲି ଅସୀମ ଭାବିଲେ । ଜଙ୍ଗଲର ଶୋମ୍ପେନମାନେ ଯଦି କିଛି ବୁଝିଲାଭଳିଆ କଥା କହୁଥାନ୍ତେ ତେବେ ବହୁ ଅଦ୍ଭୁତ ଖବରମାନ ଆସିଯାଆନ୍ତା । ସେ ଆକାଶକୁ ଅନାଇଲେ । ଦିନସବୁ ଗରମ ଲାଗିଲାଣି । ଜଳୀୟ ବାଷ୍ଫ ବଢିଯାଉଛି । କ୍ୟାମ୍ପବେଲ ବେରେ ବର୍ଷଣମୁଖର ଦିନମାନ ଆରମ୍ଭ ହୋଇଯିବ । ବର୍ଷା ଯେମିତି ଢାଳିଦେଉଥିବ । ଏବେ ପ୍ରଥମ କେଇ ଅସରା ବର୍ଷାପରେ ଆକାଶ ନୀଳ ହୋଇଯାଇଛି । ବର୍ଷା ନହେଲେ ମଧ୍ୟ କ୍ୟାମ୍ପବେଲ ବେ ର ଆକାଶ ସଫା ଲାଗେ, କିନ୍ତୁ ବର୍ଷା ପରର ନୀଳିମା ଆସେନା । ଅସୀମଙ୍କର ଭାବନାର ଆକାଶରେ ଏକ ଅଶୁଣା କଥା ସାମୁଏଲ କହିଦେଲେ ।  “କଣ କହୁଛନ୍ତି ସାମୁଏଲ?”- ଅସୀମ କହିଲେ ଗଛରୁ ନିଜର ଦୃଷ୍ଟିକୁ ଟାଣିଆଣି । କ୍ୟାମ୍ପବେଲ ବେର ସବୁଜ ବଣର ଧାରରେ ଭାବୁକ, ବିସ୍ମିତ ହୋଇଯିବା ସାଧାରଣ କଥା । ପାଖରେ ପ୍ରସାଦବାବୁ ମଧ୍ୟ ବସିଥିଲେ । ସେ ଅନେକ ଜାଣିଛନ୍ତି । “ରବର କ୍ରାବ ବା ଜ୍ୟାଣ୍ଟ କୋକୋନଟ କ୍ରାବ ଖାଲି ନଡିଆ ଗଛ ଚଢେନି । ନଡିଆ ତୋଳି ତଳକୁ ପକାଏ ଆଉ ନଡିଆର ଶସ ଖାଏ ।”- ସେ କହିଲେ । ଏହି କଥାଟା ଅତି ସାଧାରଣ ତାଙ୍କ ପାଇଁ । ଅନେକ ଥର ଦେଖିଛନ୍ତି । ସବୁବେଳେ ଆଗରେ ଘଟଣା ଘଟିଯାଉଥିଲେ ମନରେ କେମିତି ରୋମାଞ୍ଚ ଆଣେନା । ତେଣୁ ସେ ମୋଟେ ହସୁନଥିଲେ କି ସିରିଅସ ହେଉନଥିଲେ । ଅସୀମଙ୍କ ବିସ୍ମୟଭାବ ଦେଖିବା ସତ୍ତ୍ୱେ ତାଙ୍କ ମୁହଁରେ କିଛି ରେଖା ଫୁଟୁନଥିଲା । 
ପ୍ରସାଦବାବୁଙ୍କୁ ସେ ଜାଣିଥିଲେ  । ଏମିତି ଏକ ଅସମ୍ଭବ କଙ୍କଡା କଥା କହିଲେ ଅସୀମ ଚକିତ ହୋଇଯବେ । ସେଇଥି ପାଇଁ ସେ ସାମୁଏଲଙ୍କୁ ରବର କ୍ରାବ ବିଷୟରେ କହିବା ପାଇଁ କହିଥିଲେ । ସାମୁଏଲଙ୍କର ନନ ସିରିଅସ ବ୍ୟବହାର ଦେଖି ଅସୀମ ବିସ୍ମିତ ହୋଇଯିବି ବୋଲି ସେ ଭଲକରି ଜାଣିଥିଲେ । କ୍ୟାମ୍ପବେଲ ବେର ବା ଏ ଦ୍ୱୀପମାନଙ୍କୁ ନଜାଣିଥିବା ଲୋକ ଏସବୁ କଥାରେ ଆଶ୍ଚର୍ଯ୍ୟ ହୋଇଯିବ । ଦୁନିଆର କେଉଁ କୋଣରେ କ’ଣ ଘଟୁଛି ଜାଣିବା ସବୁବେଳେ ସମ୍ଭବ ନୁହେଁ । ଏ ଦ୍ୱୀପଟା ତ ଏକ ଛାଡି ହୋଇଯାଇଥିବା ଦ୍ୱୀପ । ତାଙ୍କୁ ଲାଗୁଥିଲା ଇଶ୍ୱର ପୃଥିବୀ ଗଢୁଗଢୁ ଥକି ଯାଇଥିଲେ ଆଉ ତାଙ୍କର ଝାଳ ଦେହର ମଳି ସହ ଏକ ବିନ୍ଦୁ ହୋଇ ପାଣିରେ ପଡି ଏଠି ଦ୍ୱୀପଟିଏ ତିଆରି କରିଦେଲା । ଏଠି ବହୁତ କିଛି ଅଜଣା ପ୍ରାଣୀ ରହୁଥିବେ । “ଏକ ସାଧାରଣ କଙ୍କଡା ଏ କାମ କରିଦେବ ବୋଲି କହୁଛନ୍ତି?”- ଅସୀମ ପଚାରିଲେ । ନଡିଆ ଖୋଳପା ଏତେ ଟାଣ? ତାଛଡାନଡିଆ କଥାକୁ ଛଡାଇବାକୁ ହେବ । ଲୁହା ଚିମୁଟା ବା ଲୁହା ଖଡିକା ନହେଲେ କତା ଛଡାଇ ହେବନି । ଅସୀମ ଜାଣିବାରେ କଙ୍କଡାର ବୁଢା ଗୋଡବା କ୍ଲ ସବୁଠାରୁ କଙ୍କଡାର ଶକ୍ତିଶାଳୀ ଅଙ୍ଗ । ତା’ ନୁହେଁ ଯେ ଏହା ଏକ ନଡିଆ ଛଡାଇଦେଇ ପାରିବ । ନଡିଆ କଙ୍କଡାର ସ୍ୱାଭାବିକ ଖାଦ୍ୟବୋଲି ଅସୀମ ଏପର୍ଯ୍ୟନ୍ତ ଶୁଣିନାହାନ୍ତିି । ଜୀବଜଗତରେ କେଉଁକାମ ବେକାରରେ କରାଯାଏନି । ସବୁ ଜୀବ ନିଜର ଶକ୍ତି ସଞ୍ଚୟ କରନ୍ତି । ତେଣୁ କଙ୍କଡା ନଡିଆ ଛଡାଇବା କଥା ଅବିଶ୍ୱସନୀୟ ଥିଲା ।
“ଏହା କେବଳ ରବର କ୍ରାବପାଇଁ ସମ୍ଭବ ।”– ସେ କହିଲେ ।
ଏମିତି ଏକ ଅସମ୍ଭବ କଙ୍କଡା ବିଷୟରେ ଅସୀମ ପ୍ରଥମ ଶୁଣିଲେ କ୍ୟାମ୍ପବେଲ ବେରେ ଏକ ଝରକା ଖୋଲାଥିବା କୋଠରୀରେ । କଙ୍କଡାଟା ସାମୁଦ୍ରିକ କଙ୍କଡାହେଲେ ବି ପ୍ରାୟ ମାଟିରେ ରୁହେ । ଗଛରେ ଚଢି ନଡିଆ ଖସାଇ ତା’କୁ ଛଡାଇ ତା’ ଭିତରୁ ଶସ ଖାଏ । ଏ ପ୍ରାଣୀର ଅସ୍ତିତ୍ତ୍ୱରେ ବିଶ୍ୱାସ କଲେ ପରବର୍ତ୍ତୀ ଅନୁସନ୍ଧିତ୍ସା ହେବ ଏହାର ଆକାର, ଶକ୍ତି, ରହିବା ସ୍ଥାନ ଇତ୍ୟାଦି । ତେଣୁ ନିଜ ଭିତରେ ଜାଗୁଥିବା ପ୍ରଶ୍ନକୁ ପଚାରି ଚାଲିଲେ । 
“କେତେ ବଡ କଙ୍କଡା ହୋଇଥିବ?”- ଅସୀମ ପଚାରିଲେ । 
“ଏକ ଛୋଟ ଗୋଲ ତାଟିଆ ଆକାରର । କିନ୍ତୁ ତା’ର ମୁଖ୍ୟ ଅଙ୍ଗ ହେଲା ଗୋଡ । ଅସମ୍ଭବ ଭାବରେ ମୋଟ ।”– ସେ କହିଲେ ।
ଯେକୌଣସି କଙ୍କଡାର କ୍ଲ ବାବୁଢାଗୋଡ ଗୁଡିକ ବେଶ ମୋଟ । ଶରୀର ହିସାବରେ ବହୁତ ମାଂସାଳ ଆଉ ସବୁଠାରୁ ଟାଣ ଖୋଳ ସେଇଠି ଥାଏ । ଏହା କଙ୍କଡାର ସବୁଠାରୁ ଶକ୍ତଶାଳୀ ଅଙ୍ଗ ଅଟେ । ସେଥିରେ ସେ ଖାଇବା ଜିନିଷ ଧରି ଖାଏ । ଶତ୍ରୁଟାରୁ ରକ୍ଷାପାଇବାପାଇଁ ମୁଖ୍ୟ ଅସ୍ତ୍ର ହିସାବରେ କାମ କରେ । ଏକ ସମୁଦ୍ର କଙ୍କଡା ସହଜରେ ମଣିଷର ଆଙ୍ଗୁଠିକୁ ଛିଡାଇ ଦେବ ।  “ଆପଣଙ୍କ ବାହୁଠାରୁ ମୋଟ ହୋଇପାରେ ।”- ସେ ପୁଣି କହିଲେ । 
“କଣ କହୁଛନ୍ତ?”- ଅସୀମ ନିଜର ବିସ୍ମୟ ପ୍ରକାଶ କରୁଥିଲେ ।
“ଏଇତ ରବର କ୍ରାବର ବିଶେଷତା । ରବର କ୍ରାବର ବୁଢାଗୋଡ ବା କ୍ଲ ଅନ୍ୟ ଅଙ୍ଗଠାରୁ ବେଶ ଅଧିକ ବିକଶିତ । ଫଳରେ ତା’କୁ ନଡିଆ ଖାଇବାକୁ କିଛି ଅସୁବିଧା ହୁଏନି ।”- ପ୍ରସାଦବାବୁ ପୁଣି କହିଲେ । ତା’ପରେ ସମୁଦ୍ରକୂଳରେ ରହୁଥିବା କିଛି କଙ୍କଡା ବିଷୟରେ ସାମାନ୍ୟ କହୁଥିଲେ ।  “ଏଗୁଡାକ ପ୍ରକୃତରେ ସାଧାରଣ ହର୍ମିଟ କ୍ରାବର ରାକ୍ଷସ ରୂପ । ଗୋଟାଏ କୋକନଟ କ୍ରାବର ଲମ୍ବା ଦେଢ-ଦୁଇଫୁଟ ଆଉ ଓଜନ ତିନିକିଲୋ ପର୍ଯ୍ୟନ୍ତ ହୋଇପାରେ ।”- ପ୍ରସାଦବାବୁ କିଛି ତଥ୍ୟ ଦେଉଥିଲେ । 
ଅସୀମ ତାଙ୍କୁ ଅବିଶ୍ୱାସର ଆଖିରେ ଅନାଇଥିଲେ । ତାଙ୍କ ଆଖିପତା ମୋଟେ ପଡୁନଥିଲା । ଏଇଟା କ’ଣ ସମ୍ଭବ? ମଣିଷ ଦୁନିଆରେ ରାକ୍ଷାସଙ୍କୁ ଦେଖିଲେ ଦୁନିଆକୁ ବିଶ୍ୱାସ କରିହୁଏନାହିଁ । ଜଣଙ୍କର ବୁଢା ଆଙ୍ଗୁଠି ବା କ୍ଲ ଯଦି ହାତଠାରୁ ମୋଟ ତେବେ ତା’ର ଆକାର ଅବିଶ୍ୱସନୀୟ ହୋଇଯାଏ । ସେମିତି ହେଉଛି ରବର କ୍ରାବ ବା ଜ୍ୟାଣ୍ଟ କୋକନଟ କ୍ରାବ । ସାଧାରଣ ହର୍ମିଟ କଙ୍କଡା ଭଳିଆ ରଙ୍ଗ, ସେମିତି ଦେଖିବାକୁ କିନ୍ତୁ ଅସୁର ରୂପ । (କ୍ରମଶଃ)
                                                      ଭୁବନେଶ୍ୱର