ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦରେ କଳା ବ୍ୟାଜ୍ ପରିଧାନ
କପ୍ତିପଦା : କପ୍ତିପଦା ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣା ପ୍ରତିବାଦରେ କଳାବ୍ୟାଜ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କଲେ ତହସିଲଦାରଙ୍କ ସମେତ ସମସ୍ତ ତହସିଲ କର୍ମଚାରୀ । କପ୍ତିପଦା ତହସିଲଦାର ଆଶିଷ କୁମାର ମହାପାତ୍ରଙ୍କ ସମେତ ସମସ୍ତ କର୍ମଚାରୀ କଳା ବ୍ୟାଜ୍ପିନ୍ଧିବା ସହିତ ତହସିଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଛନ୍ତି । ଅତିରିକ୍ତ ତହସିଲଦାରଙ୍କୁ ମାଫିଆମାନେ ଏପରି ପ୍ରାଣାନ୍ତକ ଆକ୍ରମଣ କରିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ତୁରନ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ମାଫିଆମାନେ ଥାନା ସମ୍ମୁଖରେ ଏପରି ଆକ୍ରମଣ କରିବା ଏବଂ ଅତିରିକ୍ତ ତହସିଲଦାରଙ୍କ ଗାଡି ଭଙ୍ଗାରୁଜା କରିବା ଘଟଣାରେ ସମସ୍ତ ତହସିଲ କର୍ମଚାରୀ, ରାଜସ୍ୱ ନିରୀକ୍ଷକ ଭୟଭୀତ ଅବସ୍ଥାରେ ଅଛନ୍ତି । ତେଣୁ ପୁଲିସ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନ କଲେ ଆଗାମୀ ଦିନରେ ଏହା ସମସ୍ତ ତହସିଲ ପକ୍ଷରୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।