ଅଧ୍ୟକ୍ଷଙ୍କୁ ଲହୁଲୁହାଣ ଘଟଣା  : ଧାରଣାରୁ ଉଠିଲେ ଶିକ୍ଷକ/ଶିକ୍ଷୟିତ୍ରୀ, ଠିକାଦାରଙ୍କୁ ପାଉନି ପୁଲିସ

ଦାନଗଦୀ: କେନ୍ଦ୍ର ସରକାରଙ୍କର ଜନଜାତି ଆଦର୍ଶ ବିଦ୍ୟାଳୟରେ ଅଧକ୍ଷଙ୍କୁ କାମ କରୁଥିବା ଠିକାଦାରଙ୍କ ଆକ୍ରମଣ କରି ଲହୁଲୁହାଣ କରିବାକୁ ୪୮ଘଂଟା ବିତିଲାଣି । ହେଲେ ଅଭିଯୁକ୍ତ ଠିକାଦାରକୁ ପୁଲିସ ପାଉନି । ପୁଲିସ ଠିକାଦାରକୁ ଖୋଜୁଛି, ସେ ଫେରାର ଥିବା କଥା କୁହାଯାଉଛି । ନିଶ୍ଚିନ୍ତ ଗିରଫ କରଯିବ ବୋଲି ପୁଲିସ କହୁଥିବା ବେଳେ ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ସୁରକ୍ଷା ଦାବିରେ ଶିକ୍ଷକ/ଶିକ୍ଷୟତ୍ରୀ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ରାମ୍ପଲୋ ସମ୍ମୁଖରେ ଧାରଣାରେ ବସିଥିଲେ । ଗତକାଲି ଦାନଗଦୀ ଫାଣ୍ଡିରୁ ପୁଲିସ ଅଭିଯୁକ୍ତ ଠିକାଦାର ପ୍ରଭୁପ୍ରିୟ ସାମଲକୁ ଖୋଜି ବୁଲୁଛି, କିନ୍ତୁ ପତ୍ତା ପାଉନାହିଁ । ବିଦ୍ୟାଳୟର ଅଧ୍ୟକ୍ଷ ଅମ୍ବିକା ପ୍ରସାଦ ପାଢ଼ୀଙ୍କ କହିବା କଥା ଯେ ପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ନ ହୋଇଛି ସେ ପର୍ଯ୍ୟନ୍ତ କର୍ମଚାରୀ ଧାରଣାରେ ସ୍ୱତ୍ୱପୂର୍ତ୍ତ ଭାବେ ବସିଛନ୍ତି । ତେବେ ଅପରାହ୍ନରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଫାଟକ ସମ୍ମୁଖରେ ଦାନଗଦୀ ତହସିଲଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବ୍ଲକ ଜନ ମଙ୍ଗଳ ସମ୍ପ୍ରସାରଣ ଅଫିସର ମଙ୍ଗୁଳି ଚରଣ ପ୍ରଧାନ ପ୍ରମୁଖ ଧାରଣାରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଖରେ ପହଁଚି ସପ୍ତାହ ମଧ୍ୟରେ ଦୋଷୀ ବିରୁଦ୍ଧରେ କାର୍ଯାନୁଷ୍ଠାନ ନେବା ସହ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ  ଉଠିଥିଲେ । ବିଦ୍ୟାଳୟ ପରି ଗୋଟେ ପବିତ୍ର ମନ୍ଦିର ପରି ସ୍ଥାନରେ ଏପରି ଦାଦାଗିରି କରିବା ପୁଣି ମୋ ଧର୍ମପତ୍ନୀଙ୍କୁ ଦୁର୍ବ୍ୟବହାର କରିବା ଏକ ନିନ୍ଦନୀୟ ଘଟଣା । ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ ଜନ ମଙ୍ଗଳସମ୍ପ୍ରସାରଣ ଅଫିସର ମଙ୍ଗୁଳି ଚରଣ ପ୍ରଧାନ ଘଟଣା ସ୍ଥଳକୁ ଆସି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧାରଣା ସ୍ଥଳରୁ ଉଠି ପାଠ ପଢ଼ାଇବା ପାଇଁ କହିଥିଲେ । କିନ୍ତୁ ସେମାନେ ତାଙ୍କ ଜୀବନ ପ୍ରତି ବିପଦ ଅଛି, ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏପରି ବସି ରହିବୁ ବୋଲି କହିଥିଲେ । ଖବର ଥାଉକି ଦାନଗଦୀ ବ୍ଲକ ପଲ୍ଲୀ ଅଂଚଳ ଓଲ୍ଲଳ ପଂଚାୟତର ରାମ୍ପିଲୋ ଗାଁରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର କିଛି ମାସ ପୂର୍ବେ ଶୌଚାଳୟ ଓ ଅନ୍ୟ କିଛି କାମ ନିର୍ମାଣ ପାଇଁ ଅର୍ଥ ଅନୁଦାନ ଆସିଥିଲା । କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ଦୀର୍ଘ ମାସ ହେବ ସେ କାମ କଚ୍ଛପ ଗତିରେ ଚାଲିଥିଲା । ଯାହା ଫଳରେ ହଷ୍ଟେଲରେ ଥିବା ଅନ୍ତେବାସୀ ନିତ୍ୟକର୍ମ ପାଇଁ ଦୈନିକ ବହୁ ହଇରାଣ ହରକତ ହେଉଥିଲେ । ଏ ବିଷୟରେ ଅଧ୍ୟକ୍ଷ ଏ କଥାକୁ ନେଇ ଉପରିସ୍ଥ  ଅଧିକାରୀଙ୍କୁ ଅବଗତ କରାଇଥିଲେ । ଯାହାକୁ ନେଇ ମଙ୍ଗଳବାର ରାତି ୮ଟା ସମୟରେ ଠିକାଦାର ପ୍ରଭୂପ୍ରୀୟ ସାମଲ ଏବଂ ଅନ୍ୟଜଣେ ବିଦ୍ୟାଳୟ ପରିସରରେ ପଶି ଅଧ୍ୟକ୍ଷଙ୍କୁ ତଳେ ପକାଇ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।