ଅନାବଶ୍ୟକ ଭିଡ଼ ଜମାଇ  ହାତୀଙ୍କୁ ବିରକ୍ତ କରନ୍ତୁନି : ଡିଏଫଓ

 କେନ୍ଦୁଝର : ଅନାବଶ୍ୟକ ଭାବେ ଭିଡ଼ ଜମାଇ ହାତୀଙ୍କୁ ବିରକ୍ତ କରୁଛନ୍ତି ଲୋକେ  । ଫଳରେ ହାତୀପଲ ବିରକ୍ତ ହୋଇ ନିଜ ଚଲାପଥରୁ ବିଚୁ୍ୟତ ହୋଇ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ, ଅଧିକ କ୍ଷୟକ୍ଷତି କରୁଥିବା କହିଛନ୍ତି କେନ୍ଦୁଝର ଡିଏଫଓ । ଗତ ୧୫ ଦିନରୁ ଉର୍ଦ୍ଧ୍ୱ ୨୯ଟିକିଆ ହାତୀପଲ ଜିଲ୍ଲାର ବିଭିନ୍ନ ରେଞ୍ଜ ଅଞ୍ଚଳରେ ଚଳପ୍ରଚଳ କରି ଲୋକଙ୍କ ଘର ଭାଙ୍ଗିବା ସହିତ, ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି  । ଯାହାକୁ ନେଇ ସମସ୍ତଙ୍କର ଚିନ୍ତା ବଢ଼ିଛି  । ଏବେ ହାତୀପଲ ବୈତରଣୀ ନଦୀ ପାର୍ ହୋଇ ମୟୁରଭଞ୍ଜ ଜିଲ୍ଲା ଚାଲିଯାଉଥିବା କହିଛନ୍ତି ଡିଏଫଓ । ହେଲେ ଅନାବଶ୍ୟକ ତଥା ଅଯଥାରେ ହାତୀ ଦେଖିବାକୁ ବିଭିନ୍ନ ଆଡୁ ଲୋକମାନେ ଆସି ହାତୀପଲଙ୍କୁ ବିରକ୍ତ କରୁଥିବା ସେ କହିଛନ୍ତି  । ଟ୍ରାକ୍ଟର୍ର ଶବ୍ଦ, ବାଇକ୍ରୁ ବାହାରୁଥିବା ଶବ୍ଦ ଦ୍ୱାରା ତଥା ନିଆଁ ହୁଳା ଧରି ହାତୀ ଘଉଡ଼ାଇବାକୁ ଲୋକମାନେ ଚେଷ୍ଟା କରିବାକୁ ବାରଣ କରିଛନ୍ତି ଡିଏଫଓ । କିଛି ବ୍ଲଗର୍ ମାନେ ସାମାଜିକ ଗଣମାଧ୍ୟମରେ ହାତୀମାନଙ୍କ ସମ୍ପର୍କରେ ନକାରାତ୍ମକ ତଥ୍ୟ ପରିବେଷଣ କରୁଥିବା ସେ କହିଛନ୍ତି  । ହାତୀପଲଙ୍କୁ ହଇରାଣ, ବିରକ୍ତ କରିବା ଦ୍ୱାରା ସେମାନେ ନିଜର ନିର୍ଦ୍ଧିଷ୍ଟ ଚଲାପଥରୁ ବିଚୁ୍ୟତ ହୋଇ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ, ବ୍ୟାପକ କ୍ଷୟକ୍ଷତି ହେବା ସହ, ଧନଜୀବନ ମଧ୍ୟ ନଷ୍ଟ ହେଉଛି  । ଲୋକମାନେ ସଚେତନ ହୋଇ ବନବିଭାଗକୁ ହାତୀ ଘଉଡ଼ାଇବା ଦିଗରେ ସହାୟତା କରିବାକୁ ନିବେଦନ କରିଛନ୍ତି କେନ୍ଦୁଝର ଡିଏଫଓ ।