ଅନୁଗୁଳ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି
ଅନୁଗୁଳ : ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅନୁଗୁଳ ଗସ୍ତ ବେଳେ ଅନୁଗୁଳ ମହାବିଦ୍ୟାଳୟର ଉନ୍ନତିକରଣ ଓ ଏହାକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ନିମନ୍ତେ ଅନୁଗୁଳ ସ୍ୱେଚ୍ଛାସେବୀ ସମୂହ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅନୁଗୁଳ ମହାବିଦ୍ୟାଳୟ ୧୯୫୭ ମସିହାରେ ହରେକୃଷ୍ଣ ମହତାବଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଏତେ ପୁରୁଣା ମହାବିଦ୍ୟାଳୟ ହେଲେ ବି ଅତୀତରେ ସରକାର ଏହା ପ୍ରତି ବିଶେଷ ଦୃଷ୍ଟି ଦେଇନାହାନ୍ତି । ଅଧ୍ୟାପକ ଓ କର୍ମଚାରୀଙ୍କ ଘୋର ଅଭାବ ରହିଛି । ମହାବିଦ୍ୟାଳୟର ଅନେକ ଜାଗାରେ ପାଚେରୀ ହୋଇ ପାରିନାହିଁ । ଅଧ୍ୟାପକଙ୍କ ଅଭାବ ହେତୁ ଶିକ୍ଷାଦାନ ବ୍ୟାହତ ହେଉଛି । ତେଣୁ ଅନୁଗୁଳ ସ୍ୱାୟଂଶାସିତ ମହାବିଦ୍ୟାଳୟର ଉନ୍ନତିକରଣ ସହ ଏହାକୁ ଏକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ନିମନ୍ତେ ସ୍ୱେଚ୍ଛାସେବୀ ପର୍ଶୁରାମ ଦାଶ, ପ୍ରତାପ ମହାପାତ୍ର, ସୋମ୍ ପ୍ରସାଦ ଦାଶ, ଦିପ୍ତି ରଞ୍ଜନ ସାହୁ, ରୋହନ ବେହେରା ଓ ସୁନେଶ ପ୍ରଧାନ ପ୍ରମୁଖ ସର୍କିଟ ହାଉସ୍ ଠାରେ ମନ୍ତ୍ରୀଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିବା ସ୍ୱେଚ୍ଛାସେବୀମାନେ କହିଛନ୍ତି ।