ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ‘ମହିଳା ସଶକ୍ତ ହେଲେ ସମାଜ ଆଗକୁ ବଢିପାରିବ’

 ଅନୁଗୁଳ:  ବଅଁରପାଳ ବ୍ଲକ ଅନ୍ତର୍ଗତ ଅରାହାଟ ଠାରେ ଥିବା ନାରାୟଣୀ ଇଞ୍ଜିନିୟରିଂ କଲେଜରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଡ଼ାକ୍ତର ସୁସ୍ମିତା ସାହୁ, ମୁଖ୍ୟବକ୍ତା ଭାବେ ଆଡ଼ଭୋକେଟ୍ ଋତୁପର୍ଣ୍ଣା ମହାନ୍ତି ଉପସ୍ଥିତ ଥିଲେ । ତ୍ୱରିତ କାର୍ଯ୍ୟ କରିବା ଓ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ସମ୍ମାନ, ସମାନ ପ୍ରଦାନ କରିବାକୁ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା । ମୁଖ୍ୟ ଅତିଥି ଡ଼ାକ୍ତର ସୁସ୍ମିତା ସାହୁ କହିଥିଲେ ଯେ, ଆପଣମାନେ ହିଁ ନୂତନତ୍ୱର ଉଦ୍ଭାବକ, ତୁମେମାନେ କିଭଳି ଜଣେ ଭଲ ଅଭିଭାବକ ହୋଇ ପାରିବ । କିଭଳି ଛୋଟ ପିଲାଙ୍କ ଯନô ନେଲେ ସେମାନେ ସମାଜରେ ଉପଯୁକ୍ତ ଶିଶୁ ଭାବରେ ନିଜର କର୍ତ୍ତବ୍ୟ କରି ପାରିବ ଏହା ହିଁ ଶିକ୍ଷା ପାଇବା ଜରୁରୀ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ସ୍ୱର୍ଣ୍ଣପ୍ରଭା ସିଂହ, ସୌମ୍ୟରଞ୍ଜନ ପଟ୍ଟନାୟକ, ଲୋକ ସମ୍ପର୍କ ଅଧିକାରୀ ଶଶାଙ୍କ ଶେଖର ସାମଲଙ୍କ ସହ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ ।
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦଭାବନା ସଭାଗୃହ ଠାରେ ଆନ୍ତର୍ଜାତିକ ମହିଳା ଦିବସ-୨୦୨୫ ପାଳନ ହୋଇଯାଇଛି । ମହିଳା ଆରୋଗ୍ୟ ସମିତି, ସ୍ୱେଚ୍ଛସେବୀ ଅନୁଷ୍ଠାନ ଭରସା ଓ ମେ ଆଇ ହେଲ୍ପ ୟୁ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ମହିଳା ଦିବସ ରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନିତଅତିଥି ଭାବେ  ଆଇସିଡିଏସ୍ ସୁପରଭାଇଜର ଜୟନ୍ତୀ ମହାପାତ୍ର, କିଶୋର ନ୍ୟାୟ ବୋର୍ଡ ସଦସ୍ୟା ଲୋପାମୁଦ୍ରା ମହାପାତ୍ର, କାଉନସିଲର ଗୌରୀମଣି ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟରେ ମହିଳାଙ୍କୁ ଶିକ୍ଷିତ, ଆତ୍ମ ନିର୍ଭରଶୀଳ ହେବାକୁ କହିଥିଲେ । ସଭାରେ ସାମ୍ବାଦିକା ତଥା ନାରୀ ସଂଘ ସମ୍ପାଦିକା ଅପର୍ଣ୍ଣା ମହାପାତ୍ର ସଭାପତିତ୍ୱ କରିଥିଲେ । ଭରସା ଅନୁଷ୍ଠାନ ସମ୍ପାଦକ ଯାଦବେଶ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ,  ସମାଜସେବୀ ଉବାଚକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ପୁରୀ : ପୁରୀ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଜିଲ୍ଳା ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଛି । ବିଜେପି ଜିଲ୍ଲା ସଭାପତି ଡ଼ାକ୍ତର ଦେବେନ୍ଦ୍ର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମଧୁସୂଦନ ସିଂହାରୀ, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିତା ସଦସ୍ୟା ରଂଜିତା ପାଢୀ, ମହିଳା ମୋର୍ଚ୍ଚା ଜିଲ୍ଳା ସଭାପତି ଜ୍ୟୋତି ମହାପାତ୍ର, ମହିଳା ମୋର୍ଚ୍ଚା ମଣ୍ଡଳ ସଭାପତି ସୁନିତା ମହାରଣା, ଅନିତା ପଟ୍ଟନାୟକ, ପ୍ରତିମା ମିଶ୍ର ଓ ସୁବାସିନୀ ମିଶ୍ର ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଡ଼କ୍ଟର କବିତା ରଥ, ରାଜଶ୍ରୀ ସାହୁ, ସରିତା ଗୋଚ୍ଛାୟତଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।
ସେହିପରି ସ୍ଥାନୀୟ ପୌରପାଳିକା ପକ୍ଷରୁ ପୌରସଦନ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହାକୁ ସାଂସଦ ଡ଼. ସମ୍ବିତ ପାତ୍ର ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବିଧାୟକ ସୁନୀଲ ମହାନ୍ତି କହିଥିଲେ ଯେ ମହିଳାମାନଙ୍କର ସମାଜପ୍ରତି ଯଥେଷ୍ଟ ଅବଦାନ ରହିଛି । ଏହି ଅବସରରେ ବର୍ଯ୍ୟବସ୍ତୁ ପରିଚାଳନା ତଥା ପୃଥକୀକରଣ କରୁଥିବା ମଶାଣିଚଣ୍ଡୀ ଏମ୍ସିସି, ଏମ୍ଆରଏଫ, ପେଣ୍ଠକଟା ସ୍ଥିତ ଏମ୍ସିସି, ସର୍ବୋଦୟ ନଗର ଏମ୍ଆରଏଫ, ଧୋବାଖାଲ ଏମସିସିର ମହିଳା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ହୋଲଡ଼ିଂ ଟିକସ ଓ ଜଳକର ଆଦାୟ କରୁଥିବା ରୂପାଲୀ ବାରିକ, ସୁଚିତ୍ରା ଦାସ, ସୀତା ମଲ୍ଲିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୌର ଅଧିକାରୀ ଅଭିମନୁ୍ୟ ବେହେରା, ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ ମିଶ୍ର ବକ୍ତବ୍ୟ ରଖିଥିଲେ ।