ଅନ୍ଧାରରେ କଳିଙ୍ଗନଗର କରିଡର୍

 ଦାନଗଦୀ : ଏସିଆ ମହାଦେଶର ଶିଳ୍ପ ହବ କଳିଙ୍ଗନଗର । ଅର୍ଥନୈତିକ ଅଗ୍ରଗତିର ଏକ ମାଧ୍ୟମ ପାଲଟିଛି କଳିଙ୍ଗନଗର । ଏଣୁ କଳିଙ୍ଗନଗର ନାଁ ହିଁ ଯଥେଷ୍ଟ । କିନ୍ତୁ ଶିଳ୍ପର ଆଲୁଅରେ ଶିଳ୍ପାଞ୍ଚଳ ଝଲମଲ ହେଉଥିଲେ ହେଁ ଶିଳ୍ପ କରିିଡ଼ର କିନ୍ତୁ ଅନ୍ଧାର । ଦାୟୀତ୍ୱରେ ଥିବା ଅଧିକାରୀ ସରକାରୀ କା ମାଲ୍ ଦରିଆ ମେଁ ଡାଲ୍ ନିତି ପାଇଁ ଏଭଳି ଅବସ୍ଥା ଉପୁଜିଥିବା ବେଳେ, କରିଡର ଅନ୍ଧାର କାରଣରୁ ଦୁର୍ଘଟଣା ଠାରୁ ଆରମ୍ଭ କରି ଲୁଟପାଟ ଭଳି ଘଟଣା ବାରମ୍ବାର ଘଟିଚାଲିଛି । ଅଧିକାରୀଙ୍କ ଠାରୁ ସନ୍ତୋଷ ଜନକ ଉତର ମିଳୁନି । ପୂର୍ବରୁ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନେଇ ଅନେକ ବିବାଦ ହୋଇଥିବା ବେଳେ ବର୍ତମାନ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୂଚନା ମୁତାବକ ଯାଜପୁର କ୍ଲଷ୍ଟର ଡିଭେଲପମେଣ୍ଟ ପତ୍ର ସଂଖ୍ୟା ଜେସିଡ଼ି/ଏନଆଇଏମଜେଡ /୨୦୫/୨୦୨୪/୯୧୩୫ରେ ଗତବର୍ଷ କୋଟେସନ୍ ନୋଟିସ ତା ୧୨ା୯ା୨୦୨୪ଡକା ଯାଇଥିଲା । ଯାହା କିନ୍ତୁ ଯାଜପୁର କ୍ଲଷ୍ଟର ଡିଭେଲପମେଣ୍ଟ ରାସ୍ତା ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ ବିଦୁ୍ୟତ କାର୍ଯ୍ୟ ପାଇଁ ମାନବ ସମ୍ପଦ ଯୋଗାଣରେ ରୁଚି ରଖୁଥିବା ଏଜେନ୍ସୀଙ୍କୁ ଗୋପନୀୟ କୋଟେସନ୍ ଆମନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟର କ୍ରମାବଧି ଦୀର୍ଘ ଏକ ବର୍ଷ ଓ ଅନୁମାନିତ ଖର୍ଚ୍ଚରୁ୧୪.୪ ଲକ୍ଷ ଜିଏସ୍ଟି ବ୍ୟତୀତ ରହିଥିବା ଦେଖିବାକୁ ମିଳିଥିଲା । ଯେଉଁ ଏଜେନ୍ସୀଙ୍କ ପାଖରେ ବୈଧ ପିଏଏନ୍, ଏଚଟି ଲାଇସେନ୍ସ, ଇପିଏଫ୍, ଜିଏସ୍ଟି ରେଜିଷ୍ଟ୍ରେସନ୍ ଓ ସଦୃଶ କାର୍ଯ୍ୟର ଅନୁଭବ ଅଛି ସେମାନଙ୍କୁ ବିଚାର କରାଯିବ ବୋଲି ସୂଚନା ଦିଆଯାଇଥିଲା । କୋଟେସନ୍ କାଗଜ ପତ୍ରର ମୂଲ୍ୟରୁ ୨୦୦୦.୦୦ ଯୁକ୍ତ ଜିଏସ୍ଟି ମୋଟରୁ ୨୩୬୦.୦୦ରହିଛି । ଏହି କୋଟେସନ୍ ପତ୍ରଗୁଡିକୁ ୧୩ା୯ା୨୦୨୪ ତାରିଖରୁ ୨୧ା୯ା୨୦୨୪ ଅବଧି ପର୍ଯ୍ୟନ୍ତ ଯାଜପୁର କ୍ଲଷ୍ଟର ଡିଭେଲପମେଣ୍ଟ କାର୍ଯ୍ୟାଳୟ, କମନ୍ ଫାସିଲିଟି ସେଣ୍ଟର, ପଙ୍କପାଳ ସ୍କୁଏର, କଳିଙ୍ଗନଗର, ଯାଜପୁର ଠାରୁ ପ୍ରାପ୍ତ କରିପାରିବେ । ୨୪ା୯ା୨୦୨୪ ତାରିଖରେ କାର୍ଯ୍ୟ ବଣ୍ଟନ କରିଥିବା ସୂଚନା ମିଳିଥିଲା । ଏହି କାର୍ଯ୍ୟଟି କେଉଁଝର ଜିଲ୍ଲାର ଜଣେ ଠିକାଦାର ହାତେଇଥିଲେ । ମାତ୍ର ୮ମାସ ବିତିଯିବା ପରେ ମଧ୍ୟ କଳିଙ୍ଗନଗରରେ ଥିବା ରାଜରାସ୍ତାକୁ ଦେଖିଲେ ଲାଗୁଛି କି ଏହି ରାସ୍ତାରେ କୌଣସି କାର୍ଯ୍ୟ ହୋଇନାହିଁ । ଆଲୋକ ବ୍ୟବସ୍ଥା ସହ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଲକ୍ଷଲକ୍ଷ ଟଙ୍କାର ଟେଣ୍ଡର ପରେ କଳିଙ୍ଗନଗର କରିଡର ଅନ୍ଧାର ରହିବା ଘଟଣାକୁ ଅଞ୍ଚଳବାସୀ ସହଜରେ ହଜମ କରିପାରୁ ନାହାନ୍ତି । ଅଭିଯୋଗ କରୁଛନ୍ତି ସବୁ ମିଳିମିଶି ହଜମ କରିଦେଲେ । କଳିଙ୍ଗନଗରରେ ଥିବା ରାଜରାସ୍ତାକୁ କିପରି ଆଲୋକିତ କରିବା ଓ କଳିଙ୍ଗନଗରର ସୁରକ୍ଷା କରିବା ପାଇଁ ଆଗକୁ କ'ଣ ପଦକ୍ଷେପ ନେଉଛନ୍ତି ଜିଲ୍ଲା ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।