ଅବକାରୀ ବିଭାଗ ପାଖରେ ଖବର ଅଛି ତ? ଦେଶୀ ପ୍ରଣାଳୀରେ ଚାଲିଛି ମହୁଲି ମଦ ପ୍ରସ୍ତୁତି
କାଳିଆପାଣି : ଖଣି ଅଞ୍ଚଳ ଏବେ ମହୁଲି ମଦ ପାଇଁ ବେଶ୍ ଜଣାଶୁଣା । ଖଣି ପ୍ରଭାବିତ ଗ୍ରାମ ଗୁଡ଼ିକରେ ଅବାଧରେ ଦେଶୀ ପ୍ରଣାଳୀରେ ଚାଲିଛି ମହୁଲି ରନ୍ଧା । ସୁକିନ୍ଦା ବ୍ଲକ ରାଁଷୋଳ ପଞ୍ଚାୟତର ବରଗଜି ଗ୍ରାମରେ ଅନେକ ଲୋକ ନିଜ ବାଡ଼ିବଗିଚା ପଛପଟେ, ନାଳ କୂଳେ ଏବଂ କିଛି ଲୋକ ଜଙ୍ଗଲ ଭିତରେ ରାନ୍ଧୁ ଥିବାର ଦେଖିବାକୁ ମିଳିଛି । ଦିବାଲୋକରେ ବିନା କୌଣସି ଭୟରେ ଲୋକମାନେ ଦେଶୀ ପ୍ରଣାଳୀରେ ମଦ ରାନ୍ଧି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ଖାସ କଥାହେଲା ଖୋଦ ସରପଞ୍ଚଙ୍କ ଗ୍ରାମରେ ଏହି କାରବାର ହେଉଥିଲେ ହେଁ ଏହା ସରପଞ୍ଚଙ୍କ ଅଗୋଚରରେ ରହିଛି । ଦେଶୀ ମହୁଲି କାରବାର ଯୋଗୁ ଗ୍ରାମର ଶାନ୍ତି ଶୃଙ୍ଖଳାରେ ବାଧା ଉପୁଜିବା ସହ ଯୁବପିଢ଼ି ବିପଥଗାମୀ ହେଉଥିବାର ଅଭିଯୋଗ ଆସିଛି । ତେବେ ବିଭାଗୀୟ ପ୍ରଶାସନ ତୁରନ୍ତ ଏହାକୁ ବନ୍ଦ କରାଇବାକୁ ସାଧାରଣରେ ଦାବି ହୋଇଛି ।