ଅବଧିର ଦୁଇବର୍ଷ ପରେ ବି ... ଅର୍ଦ୍ଧନିର୍ମିତ ଉତ୍ତରଖଜିରା-ସୁନ୍ଦର ପୋଖରୀ ରାସ୍ତା

 ଯାଜପୁର : ଗ୍ରାମ୍ୟ ନିର୍ମାଣ ବିଭାଜନ ଯାଜପୁର-୧ କାର୍ଯ୍ୟାଳୟ କାହା ଦ୍ୱାରା ପରିଚାଳିତ ହେଉଛି ସରକାର ନାଁ ଠିକାଦାରଙ୍କ ନିଦେ୍ର୍ଦଶରେ । କାର୍ଯ୍ୟାଳୟ ଏବଂ କାର୍ଯ୍ୟାଳୟ ଅଧିକାରୀ ଠିକାଦାରଙ୍କ ପକେଟରେ କି ? ଏଭଳି ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି । ଠିକାଦାରଙ୍କ କଥାରେ ଯଦି କାର୍ଯ୍ୟାଳୟ ଓ ଅଧିକାରୀ ଚାଲୁନଥାନ୍ତେ, ତେବେ ଅବଧିର ଦୁଇବର୍ଷ ପରେ କ’ଣ ରାସ୍ତା କାର୍ଯ୍ୟ ଅଧୁରା ହୋଇପଡ଼ିଥାନ୍ତା । ଏଭଳି ପ୍ରଶ୍ନ ଉତ୍ତରଖଜିରା ଠାରୁ ସୁନ୍ଦର ପୋଖରୀ ରାସ୍ତା ଉପରେ ନିର୍ଭର କରୁଥିବା କୋରେଇ ବ୍ଲକ ଅଞ୍ଚଳର ଅଧିବାସୀଙ୍କର । ଯେଉଁମାନଙ୍କ ଅଭିଯୋଗକୁ ଅଯଥାର୍ଥ ବୋଲି କେବେ ହେଲେ କୁହାଯାଇପାରିବନି । କାହିଁକି ନା ଅବଧିକୁ ଦୁଇବର୍ଷ ପୁରିବା ପରେ ବି ଉକ୍ତ ରାସ୍ତାକୁ ଠିକାଦାର ପୂର୍ଣ୍ଣାଙ୍ଗ କରିବା ବଦଳରେ କେବଳ ଅଧାରେ ପକାଇ ଦେଇ ନାହାନ୍ତି, ମାଟି-ଡ଼ଷ୍ଟ ପକାଇ ଚାଲିବା ଅନୁପଯୁକ୍ତ କରିଦେଇଛନ୍ତି । ଏବେ ବର୍ଷା ବେଳେ ଉକ୍ତ ରାସ୍ତାରେ ଚାଲିବା ହୋଇ ପଡ଼ିଛି କାଠିକର । ଅଞ୍ଚଳବାସୀ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କଲେ ବି ଫରକ ପଡ଼ୁନି । ଯାହାକୁ ନେଇ ଅସନ୍ତୁଷ୍ଠ ବାସିନ୍ଦାଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । 
ଖବର ଅନୁଯାୟୀ, କୋରେଇ ବ୍ଲକ ଅନ୍ତର୍ଗତ ଉତ୍ତରଖଜିରା  ଠାରୁ ସୁନ୍ଦର ପୋଖରୀ ଭାୟା ତାରାକୋଟ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧କୋଟି ୮୩ ଲକ୍ଷ ଟଙ୍କା ବରାଦ କରାଯାଇଥିଲା । ଏ ନେଇ ୨୦୨୨ରେ ଡ଼କାଯାଇଥିବା ଟେଣ୍ଡରରେ ଭାଗିରଥୀ ସାହୁ ନାମକ ଠିକାଦାର କାର୍ଯ୍ୟାଦେଶ ପାଇଥିଲେ । ୩.୩୪୯ ଦୈର୍ଘ୍ୟ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ୯ମାସ ସମୟ ପ୍ରାବନ୍ଧ ରହିଥିଲା । କାର୍ଯ୍ୟାରମ୍ଭ ତା୧୩ା୯ା୨୦୨୨ହୋଇ ତା୧୨ା୬ା୨୦୨୩ ରେ ସାରିବାକୁ ନିର୍ଦ୍ଧାର୍ଯ୍ୟ ରହିଥିଲା । ଯାହାକୁ ଦୁଇବର୍ଷ ବତିଗଲାଣି । କିନ୍ତୁ ସଂପୃକ୍ତ ରାସ୍ତା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି । ଯେଉଁଠିକି ରାସ୍ତାର ରକ୍ଷଣାବେକ୍ଷଣ ଦିନ ଆରମ୍ଭ ହୋଇ ଇତିମଧ୍ୟରେ ୪ଦିନ ଗଲାଣି । ଅଧାରୁ କାର୍ଯ୍ୟ ଛାଡ଼ି ଠିକାଦାର ଚାଲିଯାଇଥିବା ବେଳେ ଅର୍ଦ୍ଧନିର୍ମିତ ରାସ୍ତା ଏବେ ଲୋକଙ୍କ ପାଇଁ କାଳ ସାଜିଛି । ରାସ୍ତାରେ ଯାତାୟାତ ପାଇଁ ନାନା ସମସ୍ୟା ଭୋଗ କରୁଛନ୍ତି ସ୍ଥାନୀୟ ଲୋକେ । ରାସ୍ତା ସମସ୍ୟା ଯୋଗୁଁ ଦୈନିକ ଘଟୁଛି ଦୁର୍ଘଟଣା । ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାସ୍ତା ଏବେ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଠିକାଦାର ଅନେକ ସ୍ଥାନରେ କେବଳ ମାଟି ପକାଇ ଦେଇଥିବା ବେଳେ ଆଉ କେତେକ ସ୍ଥାନରେ ଆଣ୍ଠୁଏ ଉଚ୍ଚର ଡଷ୍ଟ ପକାଇ ଦେଇ କାର୍ଯ୍ୟ ଶେଷ କରି ଦେଇଛନ୍ତି । ଅସରାଏ ବର୍ଷା ହେଲେ ଅନେକ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମୁଛି । ଯାହାକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯେତେ ବେଳେ ସରକାର ରାସ୍ତା ନିର୍ମାଣକୁ ଗୁରୁତ୍ୱ ଦେଉଛନ୍ତି ସେତେ ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାର ଭାଗିରଥୀଙ୍କୁ ଦରଦ ଦେଖାଉଛନ୍ତି କାହିଁକି? ଯାହାକୁ ନେଇ ଲୋକଙ୍କ ସନେ୍ଦହ ଠିକାଦାର ପକଟେରେ ବିଭାଗ ଏବଂ ଅଧିକାରୀ । ଲୋକଙ୍କ ସ୍ୱାର୍ଥକୁ ବିଭାଗ କେବେ ଗୁରୁତ୍ୱ ଦେଉଛି, ତାହା ଦେଖିବାର ଅଛି ।