ଅସମାହିତ ପ୍ରସଙ୍ଗ-ଆଳୁ ରାଜନୀତି
ଓଡ଼ିଶାରେ ଆଳୁ ସଙ୍କଟ ଦୂର କରିବା ପାଇଁ ଆତ୍ମନିର୍ଭର ହେବା ଏତେ ସହଜ ନୁହେଁ । ବିଭିନ୍ନ ସମୟରେ ରାଜନୀତିକ ପରିସ୍ଥିତିକୁ ନେଇ ପଶ୍ଚିମବଙ୍ଗର ଆଳୁ ଓଡ଼ିଶାରେ ପହଞ୍ଚିପାରୁନାହିଁ । ଓଡ଼ିଶାର ନିଜସ୍ୱ ଉତ୍ପାଦନ ନାହିଁ । ଆଳୁ ସଙ୍କଟର ସମାଧାନ ପାଇଁ ଉତ୍ପାଦନ ଅପେକ୍ଷା ଶୀତଳଭଣ୍ଡାର ବେଶୀ ଆବଶ୍ୟକ, ଯାହାକି ଓଡ଼ିଶାରେ ନାହିଁ । ତେଣୁ ଓଡ଼ିଶାରେ ଉତ୍ପାଦିତ ଆଳୁ ଉତ୍ପାଦନ ପରେ ପରେ ବଜାରକୁ ଆସିବାକୁ ବାଧ୍ୟ । ବର୍ଷ ସାରା ଆଳୁ ଚାହିଦା ମେଣ୍ଟାଇବା ପାଇଁ ଆଳୁ ଉତ୍ପାଦନର ଭୂମିକା ନାହିଁ; ବରଂ ଅଛି ଶୀତଳ ଭଣ୍ଡାରର । ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ପ୍ରଚୁର ଆଳୁ ଉତ୍ପାଦିତ ହୁଏ । ଉତ୍ପାଦନ ସମୟରେ ଆଳୁର ଦର ବହୁତ କମ୍ ଥାଏ । ସେତେବେଳ ଓଡ଼ିଶାକୁ ଯେଉଁ ଆଳୁ ଅନ୍ୟ ରାଜ୍ୟରୁ ଆସୁଛି ତାକୁ ଯଦି ଶୀତଳଭଣ୍ଡାରରେ ରଖାଯାଇପାରନ୍ତା, ତାହା ହେଲେ ଓଡ଼ିଶାରେ ଆଳୁ ଚାଷ ନହେଲେ ମଧ୍ୟ ବର୍ଷସାରା ଏହି ଶୀତଳଭଣ୍ଡାର ରାଜ୍ୟର ଚାହିଦା ମେଣ୍ଟାଇପାରନ୍ତା । ସମସ୍ୟାଟି କେଉଁଠି ତାହା ଉପରେ କେହି ଧ୍ୟାନ ଦେଉନାହାନ୍ତି, ବରଂ ଆଳୁ ମିଶନ୍ ଭଳି କିଛି ନୂଆ ନୂଆ ଯୋଜନା କରି ବିଫଳ ହୋଇଥିବା ଭଳି ଘଟଣା ଅତୀତରେ ଘଟିସାରିଛି ।
ବହୁ ବାଦବିବାଦ ପରେ ମଧ୍ୟ ବହୁ ଦିନ ହେଲା ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହୋଇଯାଇଛି । ପଶ୍ଚିମବଙ୍ଗ ସରକାର ପ୍ରାୟ ମାସେରୁ ଅଧିକ ସମୟ ହେଲାଣି ଓଡ଼ିଶାକୁ ଆଳୁ ଯୋଗାଣ କରିବାର ଏକ କଟକଣା ଜାରି କରି ଦେଇଛନ୍ତି । ଆଳୁ ଗାଡ଼ିକୁ ଓଡ଼ିଶା ଭିତରେ ପ୍ରବେଶ କରାଇ ନ ଦେବା ପାଇଁ ରାଜ୍ୟର ସୀମାରେ ଯାଞ୍ଚ୍ କରାଯାଉଛି । ଓଡ଼ିଶାକୁ ଝାଡ଼ଖଣ୍ଡ ଦେଇ ଆଳୁ ଆଣିବାର ଚେଷ୍ଟା ହେଉଥିଲା, କିନ୍ତୁ ଏଥିରେ ଆଳୁ ବ୍ୟବସାୟୀମାନେ ହଠାତ୍ ଦର ବଢ଼େଇ ଦେଲେ । ଏହା ଫଳରେ ଓଡ଼ିଶାର ବ୍ୟବସାୟୀମାନେ ହଠାତ୍ ଦର ବଢ଼ିବାର ବିରୋଧ କରି ପୂର୍ବ ନିର୍ଦ୍ଧାରିତ ଦରରେ ଆଳୁ ନ ଦେଲେ ନେବେ ନାହିଁ ବୋଲି କହି ଦେଇଛନ୍ତି । ବ୍ୟବସାୟୀମାନେ ଏଭଳି ଏକ ନିଷ୍ପତ୍ତି ନେବା ଫଳରେ ପଶ୍ଚିମବଙ୍ଗ ଆଳୁ ବନ୍ଦ ହୋଇଯାଇଛି ଏବଂ ଉତ୍ତର ପ୍ରଦେଶର ଆଳୁ ପହଞ୍ଚିପାରୁନାହିଁ । ଏହି କାରଣରୁ ହିଁ ଓଡ଼ିଶା ବଜାରରେ ଆଳୁର ଦର ମନଇଚ୍ଛା ଦରରେ ବିକ୍ରି ହେଉଛି ।
ପରିବା ଭିତରେ ଆଳୁ ଏଭଳି ଏକ ପରିବା ଯାହାକି ପ୍ରତ୍ୟେକ ପ୍ରକାରର ବ୍ୟଞ୍ଜନରେ ଏହାକୁ ବ୍ୟବହାର କରାଯାଇପାରିବ ଏବଂ କରାଯାଉଛି ମଧ୍ୟ । ବାଈଗଣ ଠାରୁ ଆରମ୍ଭ କରି ବିନ୍, ପୋଟଳ ଆଦି ସ୍ଥାନ ବିଶେଷରେ ଶହେରେ ପହଞ୍ଚିଲାଣି । ଆଳୁ ହିଁ କେବଳ ଏକମାତ୍ର ପଦାର୍ଥ ଯାହାକୁ ସବୁ ପ୍ରକାରରେ ବ୍ୟବହାର କରି ପରିବା ଆବଶ୍ୟକତାକୁ କମେଇ ଦିଆଯାଇପାରିବ । ମାତ୍ର ଆଳୁର ଦର ବଢ଼ି ବଢ଼ି ଚାଲିଥିବାରୁ ଏହା ଖାଉଟିମାନଙ୍କୁ ବହୁତ ବାଧିଲାଣି । ପୂର୍ବରୁ ପଶ୍ଚିମବଙ୍ଗ ଆଳୁ କ୍ୱିଣ୍ଟାଲ୍ ପିଛା ୨୩୦୦ରୁ ୨୫୦୦ ଟଙ୍କା ଥିଲା । ଚଳିତବର୍ଷ ପଶ୍ଚିମବଙ୍ଗରେ ଆଳୁ ଆମଦାନୀ ହେବାରେ ବିଳମ୍ବ ହେଉଛି । ତେଣୁ ପଶ୍ଚିମବଙ୍ଗ ବ୍ୟବସାୟୀମାନେ ୨୫୦୦ରୁ ୨୮୦୦ ଟଙ୍କା ବଢ଼େଇ ଦେଲେ । ଏଭଳି ଦର ବଢ଼ିବାର କୌଣସି କାରଣ ନଥିଲା । ତା'ପରେ ହଠାତ୍ ଏବେ ୩ ହଜାର ଟଙ୍କା କରି ଦିଆଯାଇଛି । ପଶ୍ଚିମବଙ୍ଗ ବ୍ୟବସାୟୀମାନେ ଇଚ୍ଛାକୃତ ଭାବରେ ଏଭଳି ଦର ବଢ଼େଇଛନ୍ତି । ତେବେ ଏସବୁ ପଛରେ ରହିଛି ଡ଼ବଲ ଇଞ୍ଜିନ୍ ସରକାର । କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେପି । ହେଲେ ପଶ୍ଚିମବଙ୍ଗରେ ତୃଣମୂଳର ସରକାର । ତେଣୁ ତୃଣମୂଳ ସରକାର ବିଜେପି ଶାସିତ ରାଜ୍ୟ ଭାବରେ ଓଡ଼ିଶାକୁ ଆଳୁ ଦେବାକୁ ପ୍ରସ୍ତୁତ ନାହାନ୍ତି । ଏମିତିରେ ଆଳୁ ରାଜନୀତି ଏବେ ଏକ ଅସମାହିତ ପ୍ରସଙ୍ଗ ହୋଇପଡ଼ିଛି । ଏ ରାଜନୀତିରୁ ଆଳୁକୁ ମୁକ୍ତ କରାଗଲେ ଖାଉଟି ଲାଭବାନ୍ ହେବେ ।