ଅସାଧୁଙ୍କ ହାତରେ ବନ୍ଧା ପଡିଛି ଜିଲ୍ଲା ଭେଷଜ ନିୟନ୍ତ୍ରଣ ବିଭାଗ : ଅଞ୍ଚଳରେ ନକଲି ଓ ନିମ୍ନମାନର ଔଷଧ କାରବାର ଅଭିଯୋଗ

 ରାଜନଗର : ରାଜନଗର ବ୍ଲକରେ ବିଭିନ୍ନ ସମୟରେ କିଛି ଔଷଧ ଦୋକାନରେ ନକଲି ଓ ନିମ୍ନମାନର ଔଷଧ ବିକ୍ରି ହେଉଥିବା ଅଭିଯୋଗ ହେଉଛି । କେନ୍ଦ୍ରାପଡା ଜିଲ୍ଲା ଡ୍ରଗସ ଇନ୍ସପେକ୍ଟର (ଭେଷଜ ନିରୀକ୍ଷକ) ଜିଲ୍ଲା ସଦର ମହକୁମାଠାରୁ ଦୂରରେ ଥିବା ଏହି ଅଞ୍ଚଳ ପାଇଁ ଏକ ପ୍ରକାର ନିରବତା ଅବଲମ୍ବନ କରୁଥିବାରୁ ସମ୍ପ୍ରତି ଅସାଧୁ ବ୍ୟବସାୟୀଙ୍କ ପାଖରେ ଭେଷଜ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବନ୍ଧା ପଡିଥିବା ଅଭିଯୋଗ ହେଉଛି । ଏହାଦ୍ୱାରା ରାଜନଗର ବ୍ଲକର ବିଭିନ୍ନ ସ୍ଥାନରେ କିଛି ଅସାଧୁ ବ୍ୟବସାୟୀ ନିମ୍ନମାନର ସହ ନକଲି ଔଷଧ କାରବାର ବ୍ୟାପକ ଭାବରେ ଚଳାଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ ଏଭଳି କାରବାର କରିବା ଲାଗି କେତେକ ବ୍ୟବସାୟୀ ଓ ବ୍ୟକ୍ତି ବିଶେଷ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ହାତ କରି ନିଜ ମନମାନି ଚଳାଇଛନନ୍ତି ।
ଏନେଇ ଜିଲ୍ଲା ଭେଷଜ ନିୟନ୍ତ୍ରକ ବିଭାଗ ମଧ୍ୟ ଚୁପ୍ ବସିଥିବା ଦେଖାଯାଇଛି । କିଛି ଅସାଧୁ ବ୍ୟବସାୟୀ ବିଭିନ୍ନ ନାମୀଦାମୀ କଂପାନୀ ନାମରେ ଆଂଟିବାୟୋଟିକ, ଥଣ୍ଡା ଜ୍ୱର ଔଷଧ ସାଙ୍ଗକୁ ଅଧିକ ବିକ୍ରି ହେଉଥିବା କଫସିରଫ ନାମରେ ଏଭଳି ବେନାମୀ ଔଷଧ ପ୍ରସ୍ତୁତ କରି ଏହି ସବୁ ଅଂଚଳକୁ ଛାଡୁଛନ୍ତି । ଏହି ଔଷଧର ମୂଲ୍ୟ କମ୍ ଥିବାରୁ ସେଥିରୁ ଅଧିକ ଫାଇଦା ପାଇବା ଆଶାରେ କିଛି ଅସାଧୁ ବ୍ୟବସାୟୀ ହୋଲ୍ସେଲ ନାମରେ ଗ୍ରାମାଂଚଳରେ ଥିବା ବେଆଇନ ଔଷଧ ଦୋକାନୀଙ୍କୁ ଏହି ଔଷଧ ଦେଉଛନ୍ତିା ଗାଁ ଗହଳିରେ ଥିବା ବେନାମୀ ଔଷଧ ଦୋକାନୀ ଲୋକଙ୍କୁ ଏହି ଔଷଧ ଗୁଡିକ ବିକ୍ରିକରି ମାଲେମାଲ ହେଉଛନ୍ତି । ଜିଲ୍ଲାରେ ଥିବା ଭେଷଜ ନିରୀକ୍ଷକ ନିୟମିତ ଦୋକାନ ଗୁଡିକୁ ଯାଂଚ ନକରିବା, ହୋଲ୍ସେଲ୍ରଙ୍କ ଉପରେ ନଜର ନରଖିବା କାରଣରୁ ଏହି କାରବାରକୁ ବେଶ୍ ସୁବିଧା ଜନକ ବୋଲି କୁହାଯାଉଛିା ଏହାଦ୍ୱାରା ନକଲି ନିମ୍ନମାନର ଔଷଧ ଖାଇ ଲୋକଙ୍କ ରୋଗ ଭଲ ହେବା ପରିବର୍ତ୍ତେ ରୋଗ ବିଳମ୍ବରେ କିମ୍ବା କେତେକଙ୍କ ଭଲ ନହେବା ସହ କେତେକଙ୍କର ଦେହ ଅଧିକ ଖରାପ ହେଉଥିବାରୁ ଡାକ୍ତରଙ୍କ ଉପରେ ସନେ୍ଦହ ସୃଷ୍ଟି ହେଉଛି । ଜିଲ୍ଲାରେ ନିମ୍ନମାନର ନକଲି ଓ ବିନା ଲାଇସେନ୍ସରେ ଔଷଧ ଦୋକାନ ଚାଲୁଥିବାରୁ ଡ୍ରଗ୍ସ ଇନ୍ସପେକ୍ଟର ମାମଲା ରୁଜ୍ଜୁ କରୁନଥିବାରୁ ଏଭଳି ବ୍ୟବସାୟ ବଢିବାରେ ଲାଗିଛି । ଏଭଳି କାରବାର ପଛରେ ବ୍ୟାପକ ଅର୍ଥ କାରବାର ହିଁ ମୂଳ ବୋଲି କୁହାଯାଉଥିବା ବେଳେ, ବିଭାଗୀୟ ଅଧିକାରୀ ନିରବତା ଅବଲମ୍ବନ କରି ନୀରିକ୍ଷକଗଣଙ୍କୁ ଘଂଟ ଘୋଡାଉଥିବାରୁ ଏଭଳି କାରବାର ବଢି ଚାଲିଛି ବୋଲି ବୃଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି  ।