ଆଇଆଇସିଙ୍କ ବିନା ଚାଲିଛି ଯଖପୁରା ଥାନା
ଯଖପୁରା : କଳିଙ୍ଗନଗର ଶିଳ୍ପାଞ୍ଚଳ ଏକ ସମ୍ବେଦନଶୀଳ ଅଞ୍ଚଳ । ପ୍ରତ୍ୟେକ ଦିନ ଏହି ଅଞ୍ଚଳରେ କିଛିନା କିଛି ଘଟଣ ଅଘଟଣ ଘଟିଥାଏ । କଳିଙ୍ଗନଗର ଶିଳ୍ପାଞ୍ଚଳର ଯଖପୁରା ଥାନା ଅଞ୍ଚଳ ଅନେକ ଗୁରୁତ୍ୱ ବହନ କରେ । ଏହି ଥାନା ଅଂଚଳରେ ଅନେକ ଶିଳ୍ପ ଠାରୁ ଆରମ୍ଭ କରି ବାଲିଘାଟ, ମୋରମ ଖାଦାନ ରହିଛି । ତା ସହିତ ଏହି ଅଂଚଳରେ ନିଶା କାରବାର ଠାରୁ ଆରମ୍ଭ କରି ରାହାଜାନୀ ଦେଖିବାକୁ ମିଳୁଛି । ମାତ୍ର ଯଖପୁରା ପରି ସମ୍ବେଦନଶୀଳ ଥାନାରୁ କାର୍ଯ୍ୟରତ ଥାନା ଅଧିକାରିଣୀ ଲିଜାରାଣୀ ବିଶ୍ୱାଳଙ୍କ ବଦଳି ପରେ କାହାକୁ ଅବସ୍ଥାପିତ କରାଯାଇନି । ଯାହା ସରକାରଙ୍କ ଖାମଖିଆଲି ମନୋଭାବକୁ ଦର୍ଶାଉଛି । ଯଖପୁରା ଥାନା ଅଧିକାରୀ କାର୍ଯ୍ୟକ୍ଷେତ୍ରରୁ ଅନ୍ୟତ୍ର ସ୍ଥାନାନ୍ତରିତ ହେବାପରେ ଥାନାରେ ଆଇଆଇସି ପଦବୀ ଖାଲି ପଡତଛି । ଫଳରେ ସ୍ଥାନୀୟ ଅଞ୍ଚଳ ବର୍ତମାନ ଅସୁରକ୍ଷିତ ଭାବରେ ରହିଛି । ପ୍ରତିଦିନ ଚୋରାରେ ମୋରମ ଉଠୁଛି । ରାତିରେ ଚୋରା ମୋରମ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଛି । ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ରାତି ଅଧରେ ବିଭିନ୍ନ ସ୍ଥାନରୁ ଚୋରି ଡକାୟତିର ଭୟ ମଧ୍ୟ ରହିଛି । ନିଶା କାରବାର ବ୍ୟାପକ ଭାବରେ ଚାଲିଛି । ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ହେବାରେ ବିଳମ୍ବ ହେଉଛି । ସ୍ଥାନୀୟ ଅଂଚଳରେ ଆଇନ କାନୁନ୍ ପରିସ୍ଥିତି ମୋଟା ମୋଟି ଭାବରେ ଠିକ୍ ନଥିବାର ଅନୁମେୟ ହେଉଛି । ତା ଛଡା ରାଜନୀତିକୁ ନେଇ ଲାଗି ରହୁଥିବା ସମସ୍ୟାର ସମାଧାନ ହୋଇପାରୁ ନାହିଁ । ତୁରନ୍ତ ଯଖପୁରା ଥାନାରେ ଆଇଆଇସି ଅବସ୍ଥାପିତ କରିବା ପାଇଁ ସାଧାରଣରେ ଦାବି ହୋଇଛି ।