ଆଇନଜୀବୀ ସଂଘ ନିର୍ବାଚନରେ ଅନିୟମିତତା ଅଭିଯୋଗ : ନିର୍ବାଚନକୁ ସ୍ଥଗିତ ରଖିଲେ ବାର୍ କାଉନସିଲ

 ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଗୋଟିଏ ଯୁଗ୍ମ ସମ୍ପାଦକ ଓ ତିନିଟି କାର୍ଯ୍ୟ ନିର୍ବାହୀ ସଦସ୍ୟ ପଦବୀର ନିର୍ବାଚନକୁ ରାଜ୍ୟ ଆଇନଜୀବୀ ପରିଷଦ ସ୍ଥଗିତ ରଖିଛନ୍ତି । ସଂଘର ବରିଷ୍ଠ ସଦସ୍ୟ ସମରେଶ ଗନ୍ତାୟତ, ସନତ କୁମାର ମିଶ୍ର, ରାମ ପ୍ରସାଦ ପାତ୍ର, ସନ୍ତୋଷ ମିଶ୍ର, ଦେବୀ ପ୍ରସାଦ ସିଂ, ବିଧୁ ଶେଖର ତ୍ରିପାଠୀ, ସୂରଜ ନାୟକ, ସନ୍ଦୀପ ମିଶ୍ର ଓ ତପନ ପାଣିଗ୍ରାହୀ ଦାଖଲ କରିଥିବା ଏକ ଅଭିଯୋଗ ପତ୍ରକୁ ବିଚାରକୁ ନେଇ ରାଜ୍ୟ ଆଇନଜୀବୀ ପରିଷଦର କେନ୍ଦ୍ରୀୟ ନିର୍ବାଚନ କମିଟି ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି । ସାଧାରଣ ପରିଷଦର ନିଷ୍ପତ୍ତିକୁ ଅମାନ୍ୟ କରି ୪ ଜଣ ସଦସ୍ୟ ନାମାଙ୍କନ ଦାଖଲ କରିଥିବା ଯୋଗୁଁ ଏବଂ ଭୋଟର ତାଲିକା ପ୍ରସ୍ତୁତି ଓ ପ୍ରକାଶନରେ ତୃଟି କରିଥିବା ଯୋଗୁଁ ୮ ଜଣ ପ୍ରାର୍ଥୀ ପୂର୍ବରୁ ଦାଖଲ କରିଥିବା ନାମାଙ୍କନ ପତ୍ର ଗୁଡ଼ିକୁ ପ୍ରତ୍ୟାହାର କରିଥିଲେ,  ଏହି ପରିପ୍ରେକ୍ଷୀରେ ସଂଘର ସଭାପତି, ଉପ-ସଭାପତି, ସମ୍ପାଦକ ଓ ଜଣେ କାର୍ଯ୍ୟନିର୍ବାହୀ ସଦସ୍ୟ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିଲେ । ଖାଲି ପଡିଥିବା ଯୁଗ୍ମ ସମ୍ପାଦକ ଓ ତିନିଟି କାର୍ଯ୍ୟ ନିର୍ବାହୀ ସଦସ୍ୟ ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ଏଥିପାଇଁ ପ୍ରାର୍ଥୀ ମାନେ ନିର୍ବାଚନ ନିୟମ ର ଧାରା ୧୫୭(ଖ) କୁ ଉଲଂଘନ କରି ନାମାଙ୍କନ ଦାଖଲ କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ  ସି. ଏଚ୍. ବାବା ଯୁଗନ୍ଧର ନାମାଙ୍କନ ପତ୍ର ଗୁଡ଼ିକୁ କାଏମ ରଖି ଏହି ମାସ ୧୬ ତାରିଖ ଦିନ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ସେହି ନାମାଙ୍କନ ପତ୍ର ଗୁଡ଼ିକୁ ବିଚାରକୁ ନନେଇ ନିର୍ବାଚନ ଅଧିକାରୀ ପୁଣି ଥରେ ନିୟମ ଅନୁଯାୟୀ ନାମାଙ୍କନ ଦାଖଲ କରିବା ପାଇଁ ବିଜ୍ଞପ୍ତି ଜାରି କରି ୧୮ ତାରିଖ ଦିନ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥିଲେ । 
ଏହି ନିର୍ବାଚନ ପ୍ରକ୍ରିୟା କୁ କେନ୍ଦ୍ରୀୟ ନିର୍ବାଚନ କମିଟି ସ୍ଥଗିତ ରଖିଛନ୍ତି । ଅଭିଯୋଗ ଅନୁଯାୟୀ ପୂର୍ବରୁ ଆଇନଜୀବୀ ପରିଷଦ ସଂଘକୁ ତା: ୨୯/୧/୨୫ ସୁଦ୍ଧା ଭୋଟର ତାଲିକାରେ ନାମ କାଟିବା କିମ୍ବା ଯୋଡ଼ିବା ସମ୍ବନ୍ଧରେ ରାଜ୍ୟ ଆଇନଜୀବୀ ପରିଷଦକୁ ଜଣାଇବାକୁ ନିଦେ୍ର୍ଦଶ ଥିଲେ ମଧ୍ୟ ସମ୍ପାଦକ ନିର୍ଦ୍ଧାରିତ ସମୟରେ ଏହା ଦେଇ ନଥିଲେ । ଅନ୍ୟ ପକ୍ଷରେ ସମୁଦାୟ ୨୨୭ ସଦସ୍ୟ ଙ୍କ ମଧ୍ୟରୁ ୧୦୮ ସଦସ୍ୟଙ୍କ ନାମକୁ ବାଦ ଦେଇ  ସମ୍ପାଦକ ତା: ୪/୩/୨୫ ରେ ଭୋଟର ତାଲିକା ପ୍ରକାଶ କରିଥିଲେ । ପୂର୍ବ ନିର୍ବାଚନର ନାମାଙ୍କନ ଦାଖଲ ତାରିଖ ଶେଷ ହେବା ପରେ ଓ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ତା:୧୨/୩/୨୫ ରେ ନିର୍ବାଚନ ଅଧିକାରୀ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ୨୨୭ ସଦସ୍ୟ ନିର୍ବାଚନ ରେ ଅଂଶ ଗ୍ରହଣ କରିପାରିବେ ବୋଲି ଜଣାଇଥିଲେ । ଯେଉଁଥିପାଇଁ ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜ ନାମାଙ୍କନ ଦାଖଲ କରିପାରି ନଥିଲେ । ଭୋଟର ତାଲିକା ପ୍ରସ୍ତୁତି ଓ ପ୍ରକାଶନ ରେ ବ୍ୟାପକ ତୃଟି ଓ ଅନିୟମିତତା ଅଭିଯୋଗ କରି ସଦସ୍ୟ ମାନେ ଏହି ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗରେ ଚଳିତ ବର୍ଷ ର ସମସ୍ତ ନିର୍ବାଚନ ପ୍ରକ୍ରିୟା କୁ ସ୍ଥଗିତ ରଖିବାକୁ ଅଭିଯୋଗକାରୀ ମାନେ ଅନୁରୋଧ କରିଥିଲେ ମଧ୍ୟ, ରାଜ୍ୟ ଆଇନଜୀବୀ ପରିଷଦ ସମ୍ପାଦକ ଙ୍କ ପତ୍ର ସଂଖ୍ୟା ଓଏସବିସି/ବିଏଇ/୦୬/୨୦୨୫,ତା ୧୫/୪/୨୫ ଅନୁଯାୟୀ କେବଳ ପରବର୍ତ୍ତୀ ନିର୍ବାଚନ କୁ କେନ୍ଦ୍ରୀୟ ନିର୍ବାଚନ କମିଟି ସ୍ଥଗିତ ରଖିଛନ୍ତି ।