ଆତ୍ମାହୁତି ଓ ଉତ୍ତରଦାୟିତା
ଆମ ଓଡ଼ିଶାର ଅଗ୍ନିକନ୍ୟା ସୌମ୍ୟାଶ୍ରୀ ନ୍ୟାୟ ପାଇବା ଆଶାରେ ଜୀବନ ହାରି ଦେଲା । ବାଲେଶ୍ୱର ଫକୀର ମୋହନ କଲେଜର ଏହି ଅଗ୍ନିକନ୍ୟା ନିଆଁ ଲଗାଇ ଆତ୍ମାହୁତି ଘଟଣା ଅନେକ ପ୍ରସଙ୍ଗକୁ ସୃଷ୍ଟି କରିଛି । ଏହି ଘଟଣା କେବଳ ତାଙ୍କ ପରିବାରକୁ ନୁହଁ, କଲେଜର କର୍ତ୍ତୃପକ୍ଷଙ୍କୁ ନୁହଁ ଛାତ୍ର ସମାଜ ଠାରୁ ଅଭିଭାବକ, ଶିକ୍ଷାବିତ ମହଲ ଠାରୁ ସବୁ ସ୍ତରରେ ସମସ୍ତେ ଆଜି ସ୍ତବ୍ଧ ଓ ମର୍ମାହାତ । ଏହି ଘଟଣାକୁ ନେଇ ଓଡ଼ିଶାର ଲୋକପ୍ରିୟ ସରକାର ଯଥଷ୍ଟେ କାର୍ଯ୍ୟ ନିର୍ବାହ କରିଛନ୍ତି । ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ଏସବୁ ଭିତରେ ବିରୋଧୀଙ୍କ ରାଜନୀତିର ରୁଟି ସେକା ଭିତରେ ଅନେକ ଅସମାହିତ ପ୍ରଶ୍ନ ରହିଯାଉଛି । ବିରୋଧୀଙ୍କ ସ୍ୱଭାବ ସେମାନେ ସରକାରଙ୍କ ଯେକୌଣସି କାର୍ଯ୍ୟକୁ ଯେ କୌଣସି ଅଘଟଣର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ବିରୋଧ କରିବେ । ଝିଅଟି ଜୀବନଯୁଦ୍ଧରେ ଶେଷ ପର୍ଯ୍ୟନ୍ତ ଏକାକୀ ଲଢ଼େଇ କରିଥିଲା । ନିର୍ଭିୀକ, ଉଦ୍ୟମୀ ଓ ସ୍ୱାଧୀନ ଚେତା ତଥା ସାହସୀ ପ୍ରତିଭାବାନ ଛାତ୍ରୀ ହିସାବରେ ସମାଜର ସାମ୍ବିଧାନିକ ବ୍ୟବସ୍ଥାରେ ଥିବା ସବୁ ଫୋରମରେ ବିଧିବଦ୍ଧ ତାଙ୍କ ନିବେଦନ ରଖିଥିଲା । ସବୁଠି ନିରାଶ ହୋଇ ଏଭଳି ମର୍ମନ୍ତୁଦ ଜୀବନ ନ୍ୟାସର ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲା । କଲେଜର ମୁରବି ଭାବେ ଅଧ୍ୟକ୍ଷ ଜାଣିଥିଲେ । କଲେଜର ଆଭ୍ୟନ୍ତରୀଣୟ ଆଇସିସି କମିଟି ସବୁ ଜାଣି ମଧ୍ୟ କୌଣସି ସୁଫଳ ନମିଳିବା ଅତୀବ ଦୁର୍ଭାଗ୍ୟଜନକ ।
ଆଜିର ଯୁଗରେ ହାତ ପାହାନ୍ତାରେ ସାମାଜିକ ଗଣମାଧ୍ୟମରେ ସମସ୍ତେ ଅଭ୍ୟସ୍ତ । ସୌମ୍ୟାଶ୍ରୀ ତା ସବିଶେଷ ଗୁହାରି ଫଟୋ ଓ ତଥ୍ୟ ସହ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସାଂସଦ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଠାରୁ ବିଧାୟକ, ଜିଲ୍ଲାପାଳଙ୍କ ଠାରୁ ଏସପି ସମସ୍ତଙ୍କୁ ଏ ସ୍ପର୍ଶକାତର ଘଟଣାରେ ହସ୍ତକ୍ଷେପ ପାଇର୍ଁ ଆକୁଳ ବିକଳ ଯେଉଁ ନିବେଦନ ରଖିଥିଲେ ତାହା ସବୁ ସତେ ଯେପରି ଶୂନ୍ୟରେ ମିଳେଇଗଲା । ସେହିପରି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଉଭୟ ଛପା ଗଣମାଧ୍ୟମ ଓ ଇଲେକଟ୍ରୋନ୍ସିକ୍ସ ଗଣମାଧ୍ୟମ କେବଳ ଖବରରେ ରହିବା ପାଇଁ ନିଜର ସୀମିତ କର୍ତ୍ତବ୍ୟରେ ରହିଥିଲେ । କିନ୍ତୁ ଝିଅଟିର ଲଢ଼େଇ ସହିତ ରହିବା ପାଇଁ କେହି ସାହସ ଦେଇପାରିଲେ ନାହିଁ । ସୌମ୍ୟଶ୍ରୀଙ୍କ ଘଟଣାର ଚତୁର୍ଦିଗକୁ ଅବଲୋକନ କରାଯାଉ । ଏହି ଘଟଣାରେ କେଉଁମାନେ ସୌମ୍ୟାଶ୍ରୀକୁ ଉସୁକାଇ ଥିଲେ, ପେଟ୍ରୋଲ କେଉଁଠୁ ଆସିଲା ଏବଂ ଝିଅଟିର ଜଳନ୍ତା ଅବସ୍ଥାର ଭିଡ଼ିଓ କିଏ ଉତ୍ତୋଳନ କରିଥିଲେ ଏସବୁ ମଧ୍ୟ ନିଶ୍ଚିନ୍ତ ଭାବରେ ତଦନ୍ତଯୋଗ୍ୟ ।
ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣା ଅନେକଙ୍କୁ କେବଳ ବିଚଳିତ କରିନି । ଘଟଣାଟି ଅଶୁମାରୀ ପ୍ରଶ୍ନ ମଧ୍ୟ ଉଠାଇଛି । ବିରୋଧୀ ଦଳଙ୍କ ପାଇଁ ଏମିତି ରାଜନୀତିରେ ରୋଟି ସେକିବା ନିମନ୍ତେ ଏମିତି ଜଣେ ଜଣେ ସୌମ୍ୟାଶ୍ରୀଙ୍କ ଆବଶ୍ୟକତା ପଡ଼ିଥାଏ । ଏହା ପୂର୍ବରୁ ଛବିରାଣୀ ଠାରୁ ଅଞ୍ଜନା, ଇତିଶ୍ରୀଙ୍କ ଠାରୁ ବେବିନା, ମମିତା ଠାରୁ ସ୍ମିତାଶ୍ରୀ ପର୍ଯ୍ୟନ୍ତ ଅନେକ ଘଟଣା ଏଯାଏ ଅମିମାଂସିତ ହୋଇରହିଯାଇଛି । ତେବେ ଓଡ଼ିଶାର ପ୍ରତିଟି ବ୍ୟକ୍ତି ଆଜି କାନ୍ଦୁଛନ୍ତି ଏବଂ ଆତଙ୍କିତ ଅବସ୍ଥାରେ ଅଛନ୍ତି ଝିଅଟିଏ ଥିବା ବାପାମାଆମାନେ । ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପରଠାରୁ ବିଶେଷକରି ବିଜେଡ଼ି ଓ କଂଗ୍ରେସ ଭିତରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଯାଇଛି । ଦୋଷ ଦେବାର ପର୍ବ ଆରମ୍ଭ ହୋଇଯାଇଥିବା ବେଳେ ସାମାନ୍ୟତମ ଚିନ୍ତା କେହି ବି କରିନଥିଲେ ଯେ ଯଥେଷ୍ଟ ପୂର୍ବରୁ ସାହସୀ ଝିଅର ଅଭିଯୋଗକୁ ଗୁରୁତ୍ୱ ଦେଇଥିଲେ ଏହି ଘଟଣା ରୋକାଯାଇ ପାରିଥାନ୍ତା । ସୌମ୍ୟାଶ୍ରୀଙ୍କ ଜୀବନ ଦୀପ ନିର୍ବାପିତ ହୋଇଗଲା ପରେ ବିରୋଧୀଙ୍କ ଭିତରେ ହାଇଡ୍ରାମା ଆରମ୍ଭ ହୋଇଗଲା । ରାଜନୀତି ନକରି ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସଜାଡ଼ି ଲୋକଙ୍କ ମନରେ ଥିବା ଭୟ ଓ ଚିନ୍ତାକୁ ଦୂର କରିବା ବର୍ତ୍ତମାନ ସମୟର ସବୁଠୁ ବଡ଼ ଆହ୍ୱାନ । ସରକାର କୋଟି କୋଟି ଟଙ୍କା ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ଚାଳିଶିଟି ସରକାରୀ ବିଭାଗ ରହିଛି । ଏହି ସମସ୍ତ ବିଭାଗର ଏକ୍ସ ଫେସବୁକ, ଇନଷ୍ଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଅଛି । ଯାହାପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି ନିମନ୍ତେ ମୋ ସରକାର ବ୍ୟବସ୍ଥା ମଧ୍ୟ ରହିଛି । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ନିଜକୁ ସକ୍ରିୟ କରି ଆପତ୍ତି ଅଭିଯୋଗ ଶୁଣାଣି ପାଇଁ ଗମ୍ଭୀରତାର ସହ ଘଟଣାକୁ ନିଆଗଲେ ସୌମ୍ୟାଶ୍ରୀ ପରି ଘଟଣା ଆଉ ଦେଖିବାକୁ ମିଳିବ ନାହିଁ । ଲୋକମାନଙ୍କର ଅଭିଯୋଗ ସମାଧାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସାମାଜିକ ଗଣମାଧ୍ୟମର ରହିଛି । ଏ କ୍ଷେତ୍ରରେ ବିରୋଧୀ ଦଳ ରାଜନୀତି ନକରି ବରଂ ଗଠନ ମୂଳକ ପ୍ରସ୍ତାବ ଓ ଆହ୍ୱାନକୁ ଗ୍ରହଣ କରି ଆଗକୁ ଏପରି କିପରି ଅଘଟଣ ନ ହୋଇପାରିବ ସେ ଦିଗରେ ଯତ୍ନବାନ ଜରୁରି । ଆଶା କରାଯାଉଛି ପୂର୍ବ ସରକାର ସମୟରୁ ଚାଲି ଆସିଥିବା ଏଭଳି ଅଘଟଣ ଉପରେ ସରକାର ଓ ସାଧାରଣ ଲୋକେ ଅଙ୍କୁଶ ଲଗାଇବା ପାଇଁ ଚେଷ୍ଟା କରିବେ । ଓଡ଼ିଶାରେ ଆଜି ଡବଲ ଇଞ୍ଜିନ ସରକାର, ଲୋକଙ୍କ ସରକାର ଡବଲ ବିକାଶ ଭିତରେ ଓଡ଼ିଶା ମୁଣ୍ଡରେ ଲାଗିଥିବା କଳଙ୍କର ଏହି ଦାଗକୁ ଲିଭାଇବାର ଉଦ୍ୟମ ମୋହନ ସରକାର ଆନ୍ତରିକ ଭାବେ ଏକ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ନେଇ କାର୍ଯ୍ୟକାରୀ କଲେ ଏହା ହେବ ଅଗ୍ନିକନ୍ୟା ସାହସୀ ଝିଅ ସୌମ୍ୟାଶ୍ରୀଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।
ବିକ୍ରମ କେଶରୀ ବିଶ୍ୱାଳ
ଯାଜପୁର ରୋଡ଼, ଯାଜପୁର
ମୋ: ୯୯୩୮୫୩୬୦୭୬