ଆଦିବାସୀଙ୍କ ସେବାରେ ସମର୍ପିତ ମିନାକ୍ଷୀ ଗ୍ରୁପ୍
କୋରାପୁଟ/ଭୁବନେଶ୍ୱର : ଆଜିର ବ୍ୟସ୍ତ ବହୁଳ ଦୁନିଆରେ ସ୍ୱାର୍ଥକୁ ପଛରେ ପକାଇ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଦୃଶ୍ୟ ଖୁବ୍କମ୍ ଦେଖାଯାଇଥାଏ । କୋରାପୁଟ ଓ ମାଲକାନଗିରି ଜିଲ୍ଲାର ତେନ୍ତୁଲିଗୁମା, କିଆଙ୍ଗ ଓ କର୍ପନପାଲି ଆଦି ଗ୍ରାମରେ ବସବାସ କରୁଥିବା ଉପାନ୍ତବାସୀଙ୍କୁ ଆଲୋକମୁହାଁ କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅହରହ ପ୍ରୟାସ ଜାରି ରଖିଛି ହାଇଦ୍ରାବାଦର ମିନାକ୍ଷୀ ଗ୍ରୁପ । ମୁଖ୍ୟ ପରିଚାଳକ ବି.ଶ୍ରୀନିଭାସଙ୍କ କହିବା ପ୍ରକାରେ ୨୦୦୯ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆମନ୍ତ୍ରିତ ହୋଇ ନକ୍ସଲ ଅଧ୍ୟୁଷିତ ଦୁର୍ଗମ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ସେ ଲକ୍ଷ୍ୟ କରିଥିଲେ ସ୍ଥାନୀୟ ଗରିବ ଆଦିବାସୀ ଖୁବ୍ ସରଳ । ସେମାନଙ୍କ ପାଖରେ ଖରାପ ଓ ଭଲର ଜ୍ଞାନ ନାହିଁ, ସେମାନେ ନିଜ ଜୀବନର ଭାର ନିଜେ ହିଁ ବହନ କରିଥାନ୍ତି । ହେଲେ ତାଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳ, ଯୋଗାଯୋଗ ପାଇଁ ପକ୍କା ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟସେବା ମୌଳିକ ବ୍ୟବସ୍ଥା ପ୍ରତି କାହାର ନଜର ନାହିଁ । ଶେଷରେ ବି.ଶ୍ରୀନିଭାସ ପ୍ରାୟ ୧୬ ଗୋଟି ଗ୍ରାମର ଅଧିବାସୀଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହିତ ଯୁବକ ଯୁବତୀଙ୍କୁ ନିଜ ହାଇଡ୍ରୋ ପ୍ରୋଜେକ୍ଟରେ ନିଯୁକ୍ତି ପ୍ରଦାନ କରିଛନ୍ତି । ଏଥି ନେଇ ଏକ ସ୍ୱତନ୍ତ୍ର ଯୋଜନାରେ ମିନାକ୍ଷୀ ଗ୍ରୁପ ପକ୍ଷରୁ ସର୍ଭେ ଅନୁଯାୟୀ ବାସହୀନଙ୍କୁ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ, ଉଦ୍ୟୋଗୀଙ୍କୁ ବ୍ୟବସାୟିକ ଜ୍ଞାନ ପ୍ରଦାନ ସହିତ ଆର୍ଥିକ ସହାୟତା ପ୍ରଦାନ, ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷକ ନିଯୁକ୍ତି, ମାଗଣା ପୁସ୍ତକ ଓ ସାମଗ୍ରୀ ପ୍ରଦାନ, ଦୁରାନ୍ତର ବିଦ୍ୟାର୍ଥୀଙ୍କ ପାଇଁ ସ୍କୁଲ ବସର ବ୍ୟବସ୍ଥା, ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ବିଦ୍ୟାର୍ଥୀଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଗ୍ରାମର ମହିଳା ସଶକ୍ତୀକରଣ ସହିତ ଦାଦନ ଶ୍ରମିକଙ୍କୁ ଆତ୍ମନିର୍ଭରଶୀଳ କରିବା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ସହିତ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ କର୍ମଚାରୀ ଓ ମାଗଣା ଔଷଧ ସହିତ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ରୋଗୀଙ୍କୁ ମାଗଣା ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା । ଗ୍ରାମବାସୀଙ୍କ ବିଜୁଳି ବିଲ୍ ପ୍ରଦାନ, ଗ୍ରାମ ରାସ୍ତା ମରାମତି, ଯୁବ ଖେଳାଳିଙ୍କୁ ଖେଳ ପ୍ରଶିକ୍ଷଣ ସହିତ ସାମଗ୍ରୀ ଓ ଖେଳ ପୋଡ଼ିଆ ନିର୍ମାଣ, ଶିଶୁଙ୍କ ମନୋରଞ୍ଜନ ପାଇଁ ପାର୍କ ନିର୍ମାଣ, ସ୍ୱଚ୍ଛ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ, କମୁ୍ୟନିଟି ହଲ୍, ମନ୍ଦିର ଆଦି ନିର୍ମାଣ, ବୃଦ୍ଧଙ୍କୁ ରନ୍ଧନ ଖାଦ୍ୟ ସହିତ ପେନସନ୍ ପ୍ରଦାନ କରି ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି ।