ଆପାର୍ଟମେଣ୍ଟ ଲୁଟେରାଙ୍କୁ କମିଶନରେଟ ପୁଲିସର ଚ୍ୟାଲେଞ୍ଜ : ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ୱାଡ

ଭୁବନେଶ୍ୱର, ୧୭ା୧୨ : ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୁଲିସର ଆର ପାର୍ ଚ୍ୟାଲେଞ୍ଜ । ରାଜଧାନୀରେ ଗଠନ ହେଲା ଆଣ୍ଟି ବର୍ଗଲାରୀ ସ୍କ୍ୱାଡ  । କମିଶନରେଟ ପୁଲିସର ୧୫୦ ବଛାବଛା ପୁଲିସଙ୍କୁ ନେଇ ଗଠନ ହୋଇଛି ଏହି ଟିମ । ରାତି ତମାମ ଚେକିଂ ବ୍ଳକିଂ ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦୀ କରୁଛି ଏହି ଟିମ୍  । ଡିସିପି ପିନାକ ମିଶ୍ରଙ୍କ ନିଦେ୍ର୍ଦଶରେ ଗଠନ ହୋଇଥିବା ଟିମରେ କିଛି ବନ୍ଧୁକଧାରୀ ଅଫିସର ମଧ୍ୟ ରହିଛନ୍ତି । ରାଜଧାନୀ ଉପକଣ୍ଠରେ ପାଇଁତରା ମାରୁଛି ଏହି ଆଣ୍ଟି ବର୍ଗଲାରୀ ସ୍କ୍ୱାଡ । ଏଥି ପାଇଁ ଏକ ୱାଟ୍ସଆପ୍ ଗ୍ରୁପ ମଧ୍ୟ ଗଠନ ହୋଇଛି  । ନିଜେ ଡିସିପି ଏହି ଗ୍ରୁପର ଆଡମିନ ରହିଛନ୍ତି । ସମସ୍ତ ଥାନାର ଥାନାଧିକାରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି । ଆପାର୍ଟମେଣ୍ଟର ସଭାପତି ଓ ସେକ୍ରେଟାରୀ ମଧ୍ୟ ଏହି ଗ୍ରୁପରେ ରହିଛନ୍ତି  । ଅଚିହ୍ନା ଲୋକଙ୍କ ଚଳପ୍ରଚଳ ଓ ସନ୍ଦିଗ୍ଧ ଗାଡି ଦେଖିଲେ ତୁରନ୍ତ ପହଞ୍ଚୁଛି ପୁଲିସ । ଯେଉଁ ଆପାର୍ଟମେଣ୍ଟର ସିସିଟିଭି କାମ କରୁନାହିଁ, ସେନେଇ ତୁରନ୍ତ ଭୁବନେଶ୍ୱର ଡିସିପିଙ୍କୁ ଜଣାଉଛି ଏହି ସ୍କ୍ୱାଡ଼ । ଏହି ଅପରେସନ ବେଳେ କିଛି ସନ୍ଦିଗ୍ଧଙ୍କୁ ମଧ୍ୟ କାବୁ କରିଛି ସ୍କ୍ୱାଡ଼ । ଯେଉଁମାନେ ଦିନରେ ମଜୁରିଆ ଭାବେ କାମ କରିବା ସହ ରାତିରେ ଲୁଟ ପାଟ କରୁଥିବା ଖବର ପାଇଛି ପୁଲିସ  । ଆଉ କିଛି ସ୍ଥାନରେ ଆନ୍ତଃରାଜ୍ୟ ଲୁଟେରାଙ୍କ ସନ୍ଧାନ ମଧ୍ୟ ପାଇଛି ପୁଲିସ । ବିଗତ କିଛିଦିନ ଧରି ଆପାର୍ଟମେଣ୍ଟ ଲୁଟ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ପାହାଳ ଅଞ୍ଚଳରୁ ସିରିଜ ଲୂଟ ହୋଇଥିଲା । ଯେଉଁ ଘଟଣା କମିଶନରେଟ ପୁଲିସ ପାଇଁ ସୃଷ୍ଟି କରିଥିଲା ଏକ ବଡ଼ ଚ୍ୟାଲେଞ୍ଜ ।