ଆମ ସାମ୍ବାଦିକ ସଂଘ ବାର୍ଷିକ କର୍ମଶାଳା

 ବାସୁଦେବପୁର : ଆମ ସାମ୍ବାଦିକ ସଙ୍ଘର ବାର୍ଷିକୋତ୍ସବ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ସଙ୍ଘ ସଭାପତି ସାମ୍ବାଦିକ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ମୁନା ଖାଁ ଯୋଗଦେଇ ସାମ୍ବାଦିକତା ସତ୍ୟ ଏବଂ ନିଷ୍ଠା ଆଧାରିତ ହେବା ସହିତ ପ୍ରତ୍ୟେକ ସାମ୍ବାଦିକ ନିରପେକ୍ଷତା ଅବଲମ୍ବନ କରି ସମାଜକୁ ପ୍ରଗତି ମାର୍ଗରେ ଦିଗଦର୍ଶନ ଦେବା ଆବଶ୍ୟକ । ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଅମରେଶ ବିଶ୍ୱାଳ ଯୋଗଦେଇ ସାମ୍ବାଦିକଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା ସହିତ ନିଜ ନିଜ ମଧ୍ୟରେ ମନାନ୍ତର ନରଖି ସାମୁହିକ ପ୍ରଚେଷ୍ଟାରେ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତଅତିଥି ଭାବରେ ପୁର୍ବତନ ବିଧାୟକ ବିଷ୍ନୁବ୍ରତ ରାଉତରାୟ ଯୋଗଦେଇ ସାମ୍ବାଦିକଙ୍କୁ ଗଣତନ୍ତ୍ରର ସଜାଗ ପ୍ରହରୀ ଏବଂ ନିରପେକ୍ଷତା ଏବଂ ନିର୍ଭୟରେ ଗଣତନ୍ତ୍ରର ନିରନ୍ତର ସେବାକାରୀ ଭାବରେ ଅଭିହିତ କରିଥିଲେ । ବିଶିଷ୍ଟ ସାହିତି୍ୟକ ଓ କବି ଡ. ସୁରେନ୍ଦ୍ର ପ୍ରସାଦ ମହାନ୍ତି ଯୋଗଦେଇ ସାମ୍ବାଦିକଙ୍କୁ ସାହିତ୍ୟ ଓ ସମାଜ ସୁଧାରକର ଆଖ୍ୟା ଦେଇଥିଲେ । ସଂଗ୍ରାହକ ବିକାଶ ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସଙ୍ଘ ସମ୍ପାଦକ ସାମ୍ବାଦିକ ରମାକାନ୍ତ ଡାଙ୍ଗୁଆ ବାର୍ଷିକ ବିବରଣୀ ପାଠ କରିଥିଲେ  । ଅତିଥିଙ୍କୁ ଉତ୍ତରୀୟ ଓ ଉପଢୌକନ ସହ ସମ୍ମାନୀତ କରାଯାଇଥିଲା । ଅତିଥିଙ୍କ ଦ୍ୱାରା ‘ଆମ ସାମ୍ବାଦିକ ସଂଘ' ପକ୍ଷରୁ ପ୍ରକାଶିତ ବାର୍ଷିକ ମୁଖପତ୍ର ‘ସାମ୍ବାଦିକର ସ୍ୱର’ ଏବଂ ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ଆଧ୍ୟାତ୍ମିକ ସାହିତ୍ୟ ଲେଖକ ଡ. ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ରଚିତ ‘ଗୀତା, ଭାଗବତ ଓ ବ୍ରହ୍ମସୁତ୍ର କଥା’ ପୁସ୍ତକ ଲୋକାର୍ପଣ ହୋଇଥିଲା । ସାମ୍ବାଦିକ ଅମରେଶ ବିଶ୍ୱାଳ, କିଶୋର ମହାପାତ୍ର, ନାରାୟଣ ପ୍ରସାଦ ବାରିକ, ଖବରକାଗଜ ବିତରକ ମନରଞ୍ଜନ ପଣ୍ଡାଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ କଳା ଓ ସୃଜନୀ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ଅତିଥିଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ସାମ୍ବାଦିକ ଅମୀୟ ଭୂଷଣ ମହାନ୍ତି, ସବେଶ୍ୱର ଜେନା, ରାଜୀବ ଦାସ, ସ୍ୱାଧୀନ ଆଲୋକ ଡାଙ୍ଗୁଆ, ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ଉତ୍ସବର ପରିଚାଳନା କରିଥିବାବେଳେ, ସାମ୍ବାଦିକ ରାଜୀବ ଦାସ, ଭରତ ନାୟକ, ଭାଗିରଥି ପଲାଇ, ମନିନ୍ଦ୍ର ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।