ଆରଆଇ ଅଫିସ ନିକଟରେ ଚାଲିଛି ବେଆଇନ ଇଟାଭାଟି
କେନ୍ଦ୍ରାପଡା : କୌଣସି ଜିଲ୍ଲାରେ ନାଲିଇଟା ଭାଟି କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ କଟକଣା ଥିବାବେଳେ, କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ତହସିଲ ଅଂଚଳରେ ଖୋଲା ଖୋଲି ଭାବେ ବେଆଇନ ନାଲି ଇଟାଭାଟି କରାଯାଉଛି । ବିଭିନ୍ନ ସରକାରୀ ଜାଗା, ନଦୀକୂଳ, ନଦୀ ପଠା ଓ ଅନାବାଦି ଗୋଚର ଜମିରେ ଇଟା ମାଫିଆମାନେ ବେଆଇନ ଭାବେ ବହୁ ସଂଖ୍ୟାରେ ଇଟାଭାଟି କରି ଚଢା ଦରରେ ବିକ୍ରି କରୁଛନ୍ତି । କେନ୍ଦ୍ରାପଡା ତହସିଲ ଅଧିନ ଗରାପୁର ଆରଆଇ ଅଫିସ ନିକଟରେ ପ୍ରାୟ ୨୦ ରୁ ୩୦ ବେଆଇନ ଇଟାଭାଟି କରି ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଫାଙ୍କୁଛନ୍ତି । ଇଟାଭାଟି ଧୂଆଁରେ ସ୍ଥାନୀୟ ଅଂଚଳର ବାସିନ୍ଦା ଅତିଷ୍ଠ ହେବା ସହ ପରିବେଶ ଓ ବାୟୁମଣ୍ଡଳ ଦୂଷିତ ହେବାରେ ଲାଗିଛି । ଏ ବିଷୟରେ ଗ୍ରାମବାସୀମାନେ ସ୍ଥାନୀୟ ଆରଆଇ, ତହସିଲଦାରଙ୍କୁ ଜଣାଇ ଥିଲେ ମଧ୍ୟ ଏହି ଅଧିକାରୀ କୌଣସି ପଦକ୍ଷେପ ନ ନେବାରୁ ଗ୍ରାମବାସୀ ରାଜରାସ୍ତାକୁ ନ ଓହ୍ଲାଇ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।