ଆସୁନି ଯାତ୍ରୀବାହୀ ବସ୍, ହନ୍ତସନ୍ତ ଯାତ୍ରୀ

ବେତନଟୀ :  ମୟୂରଭଞ୍ଜ ଜିଲ୍ଲା ସଦର ସବ୍ଡିଭିଜନ ଅଧିନସ୍ଥ ଅଠର ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ବେତନଟୀ ବସ୍ଷ୍ଟାଣ୍ଡର ନିର୍ମାଣ କରାଯାଇଥିଲା । ମାତ୍ର ସରକାରୀ ଓ ବେସରକାରୀ ବସ୍ ଗୁଡିକ ଏହି ନୂତନ ବସଷ୍ଟାଣ୍ଡ ଭିତରକୁ ଆସୁ ନ ଥିବା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ପ୍ରକାଶ ଯେ, ବେତନଟୀ ସହର ଦେଇ ଜାତୀୟ ରାଜପଥରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏବଂ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ସହିତ ଅନ୍ୟାନ୍ୟ ବଡ଼ ସହରକୁ ଏକ ଶହରୁ ଅଧିକ ବସ୍ ଯାତାୟତ କରିବା ସହିତ ଜିଲ୍ଲାର ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳକୁ ମଧ୍ୟ ଅନେକ ବସ୍ ଯାତାୟତ କରିଥାଏ । ଏଣୁ ଏଠାରେ ବସ୍ଷ୍ଟାଣ୍ଡର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଥିଲା । ପୂର୍ବରୁ ଥିବା ବସ୍ଷ୍ଟାଣ୍ଡଟି ରେଳବାଇ ଜମିରେ ରହି ଆସିଥିବା ହେତୁ ଏବଂ ଜାତୀୟ ରାଜପଥରୁ ସହର ଭିତର ବସଷ୍ଟାଣ୍ଡକୁ ଟ୍ରାଫିକ ସମସ୍ୟା ପାଇଁ ଏହା ଅନ୍ୟତ୍ର ରାଜ୍ୟ ସରକାରଙ୍କ ସଡକ ପରିବହନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା । ମାତ୍ର ଏହି ସରକାରୀ ବସ୍ଷ୍ଟାଣ୍ଡଟିର ସକାଳ ଛଅରେ ଗେଟ୍ ଖୋଲାଯାଇ ସନ୍ଧ୍ୟା ଛଅଟାରେ ବନ୍ଦ କରାଯାଇଥାଏ । ଯାହାଫଳରେ ପ୍ରତିଦିନ ହଜାର ହଜାର ବସ୍ ଯାତ୍ରୀ ଜାତୀୟ ରାଜପଥ ପାର୍ଶ୍ୱରେ ଖରା ବର୍ଷା ଶୀତ କାକରରେ ଛିଡା ହୋଇ ଯାତାୟତ କରିଥାନ୍ତି । ରାଜପଥ ପାର୍ଶ୍ୱ ବିଶ୍ରାମସ୍ଥଳୀ ଭାବେ ଯାହା ଏନଏଚ୍ କତ୍ତୃପକ୍ଷ ନିର୍ମାଣ କରିଛନ୍ତି ସେଠାରେ ଆଲୋକ, ପିଇବା ପାଣି କି ଶୌଚାଳୟ ବ୍ୟବସ୍ଥା ନାହିଁ । ବାରିପଦା-ଭୁବନେଶ୍ୱର ଓ ପୁରୀ କଟକକୁ ପ୍ରାୟତଃ ଦିନ ଯାକ ବସ ଯାତାୟତ କରିବା ସହିତ ବାରିପଦା ବାଲେଶ୍ୱର ମଧ୍ୟରେ ପ୍ରତି ପନ୍ଦର ମିନିଟରେ ବସ୍ ଚଳାଚଳ କରିବା ସହିତ ନୂଆ ସରକାର ଆସିବା ପରେ ସରକାରୀ ବସ୍ ମଧ୍ୟ ଏହି ରୁଟ ଦେଇ ଚଳାଚଳ କରୁଛି । ମାତ୍ର ସରକାରୀ ଓ ବେସରକାରୀ ବସ୍ ଗୁଡିକ ଏହି ନୂତନ ସରକାରୀ ବସଷ୍ଟାଣ୍ଡ ଭିତରକୁ ଆସୁ ନ ଥିବା ଯୋଗୁଁ ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ପ୍ରତିଦିନ ଭୋଗ କରିଥାନ୍ତି । ଏହି ସରକାରୀ ବସଷ୍ଟାଣ୍ଡକୁ ସମସ୍ତ ଯାତ୍ରୀବାହୀ ବସ୍ ଆସିବା ବଦଳରେ କେବଳ ମାତ୍ର ଏହି ବ୍ଲକ ଅଧିନରେ ଚାଲୁଥିବା ତିନି ଖଣ୍ଡ ଲକ୍ଷ୍ମୀ ବସ୍ ଆସିଥାଏ  । ରାଜ୍ୟ ସରକାର ଅନ୍ୟ ସମସ୍ତ ବସ୍ ଯାତ୍ରୀମାନଙ୍କୁ କ’ଣ ପାଇଁ ବସଷ୍ଟାଣ୍ଡର ସୁବିଧା ଯୋଗାଇ ଦେବା ପଦକ୍ଷେପ ନେଉନାହାନ୍ତି, ଏହା ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସତ୍ତ୍ୱେ ପରିବହନ ବିଭାଗର ନିରବତାକୁ ନେଇ ଏବେ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି କି କାହା ସ୍ୱାର୍ଥ ରକ୍ଷା ପାଇଁ ଏହା ନିର୍ମାଣ କରାଯାଇଛି । ସେହିପରି ଏଠାକାର ସରକାରୀ ହାଇସ୍କୁଲ ହତା ମଧ୍ୟରେ ନିର୍ମିତ ପ୍ରଧାନଶିକ୍ଷକଙ୍କ ପାଇଁ କ୍ୱାଟାର ଏବଂ ସାଂସଦ ଓ ବିଧାୟକଙ୍କ ଉନ୍ନୟନ ପାଣ୍ଠିରେ ନିର୍ମିତ ଦୁଇଟି ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ସରିଥିଲେ ସୁଦ୍ଧା ବର୍ଷ ବର୍ଷ ଧରି କାର୍ଯ୍ୟକ୍ଷମ ନ ହୋଇ ପରିତ୍ୟକ୍ତ ଭାବେ ପଡି ରହିଛି । ଏଥିପାଇଁ ସ୍ଥାନୀୟ ବିଧାୟକ ଏ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀ, ଜିଲ୍ଲା ପରିଷଦର ଅଧ୍ୟକ୍ଷାଙ୍କ ନିରବତାକୁ ସାଧାରଣରେ ସମାଲୋଚନା କରାଯାଇଛି । ଏଣୁ ମୋହନ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।