ଇ-କେୱାଇସି ଯାଞ୍ଚ କରିନାହାନ୍ତି ୮୭୭୭ ହିତାଧିକାରୀ

ବଡ଼ଚଣା : ଇ-କେୱାଇସି ଯାଞ୍ଚ ଅବଧି ଶେଷ ହୋଇଗଲାଣି । ସରକାର ରାସନକାର୍ଡ ହିତାଧିକାରୀଙ୍କୁ ଇ-କେୱାଇସି କରାଇବାକୁ ବାରମ୍ବାର ସୁଯୋଗ ଦେଇଛନ୍ତି । କିନ୍ତୁ ହଜାର ହଜାର ସଂଖ୍ୟାର ହିତାଧିକାରୀ ଅବଧି ମଧ୍ୟରେ ଇ-କେୱାଇସିି କରି ନାହାନ୍ତି । ସମ୍ଭବତ ଅନେକ ଅଯୋଗ୍ୟ ଏବଂ କିଛି ଯୋଗ୍ୟ ଏଥିରେ ରହିଛନ୍ତି । ଅଯୋଗ୍ୟ ଧରାପଡ଼ିଯିବା ଆଶଙ୍କାରେ ଇ-କେୱାଇସି କରିନଥିବା ଆଶଙ୍କା କରାଯାଉଥିବା ବେଳେ ଯୋଗ୍ୟ ନକରିପାରି ଚିନ୍ତାରେ ପଡ଼ିଛନ୍ତି । ଯାଜପୁର ଜିଲାର ବଡ଼ଚଣା ବ୍ଲକରୁ ୮୭୭୭ହିତାଧିକାରୀ ଇ-କେୱାଇସି କରିନଥିବା ଜଣାପଡ଼ିଛି । ଯାହା ଫଳରେ ହଜାର ହଜାର ହିତାଧିକାରୀ ରାସନ ତାଲିକାରୁ ବାଦ ପଡ଼ିବାର ସମ୍ଭାବନା ରହିଛି । ଏହି ବ୍ଳକର ୪୩ଟି ପଞ୍ଚାୟତରେ ୫୨୫୨୫ପରିବାର ୧୮୪୭୬୩ଜଣଙ୍କୁ ରାସନ କାର୍ଡରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ରାସନ୍‌କାର୍ଡ ଯୋଜନାରେ ପିଏଚ୍‌ଏଚ୍‌ (ଅଗ୍ରାଧିକାର ପରିବାର) ୪୬୧୦୭ ପରିବାର ୧୬୫୪୭୩ ଜଣ ଏହି କାର୍ଡରେ ଅନ୍ତର୍ଭୁକ୍ତ ଥିବା ବେଳେ ୮୨୭୩.୬୫ କେଜି ଚାଉଳ ଏବଂ ଅନ୍ତ୍ୟୋଦ୍ୱୟ ଯୋଜନାରେ ୫୫୪୭ପରିବାର ୧୭୫୩୨ଜଣ ହିତାଧିକାରୀଙ୍କୁ ୧୯୪୧.୫ କେଜି ଚାଉଳ ଓ ରାଜ୍ୟ କାର୍ଡରେ ୮୭୧ ପରିବାର ୧୭୫୮ ଜଣଙ୍କୁ ୮୭.୯୦ କେଜି ଚାଉଳ ପାଉଛନ୍ତି। ପୂର୍ବରୁ ୩୭୩୫ ଜଣ ନୂତନ କାର୍ଡ ନେବା ପାଇଁ ଦରଖାସ୍ତ କରିଥିଲେ ଚଳିତ ବର୍ଷ ୯୯୬ ଜଣଙ୍କୁ ନୂତନ କାର୍ଡ ବଣ୍ଟନ କରାଯାଇଛି । ଅବଶିଷ୍ଟ ୨୭୩୯ ପରିବାର ଦରଖାସ୍ତ ଯୋଗ୍ୟ ବିବେଚିତ ହୋଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଆସିଥିଲେ ବିବେଚିତ ହୋଇଥିବା ହିତାଧିକାରୀଙ୍କୁ ବଣ୍ଟନ କରାଯିବ । ଇ-କେୱାଇସି ଯାଂଚ ଯୋଗୁଁ ୬୦୦୦ ଉର୍ଦ୍ଧ ହିତାଧିକାରୀ ବାଦ୍‌ ପଡିବାର ସମ୍ଭାବନା ଅଛି ବୋଲି ଯୋଗାଣ ବିଭାଗ ଆକଳନ କରୁଛି । ବର୍ତମାନ ୮୭୭୭ ଜଣ ହିତାଧିକାରୀଙ୍କୁ ଜୁଲାଇ ମାସରୁ ଏମାନଙ୍କ ଚାଉଳ ବନ୍ଦ କରାଯିବ ।

୩ ମାସ ମଧ୍ୟରେ ଯଦି ଏମାନେ ଇ-କେୱାଇସି ଅପଡେଟ୍‌ ନକରନ୍ତି, ତେବେ ତାଲିକରୁ ସମ୍ପୂର୍ଣ୍ଣ ବାଦ୍‌ ପଡିବେ ବୋଲି ସରକାର ଚେତାଇ ଦେଇଛନ୍ତି । କହିବାପାରିବା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନେକ ଅଯୋଗ୍ୟ ଓ ମୃତବ୍ୟକ୍ତି ସାମିଲ ଥିବା ଅଭିଯୋଗ ହୋଇ ଆସୁଥିଲା । ନୂଆ ସରକାର ଆସିବା ପରେ ବଣ୍ଟନ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ୨୦୨୪ ଅଗଷ୍ଟ ୨୨ତାରିଖରୁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯେଭଳି ପ୍ରତ୍ୟେକ ଯୋଗ୍ୟ ହିତାଧୁକାରୀ ଇ-କେୱାଇସି କରିପାରିବେ ସେଥିପାଇଁ ସରକାର ପ୍ରାୟ ୫ଥର ଏହାର ଅବଧି ବୃଦ୍ଧି କରିଥିଲେ । ଏପରିକି ବାହାରେ ଥିବା ବ୍ୟକ୍ତିଙ୍କୁ ବିକରିବାକୁ ଇ-କେୱାଇସି ଅପଡେଟ କରିବାର ସୁଯୋଗ ଦିଆଯାଇଥିଲା ।  ଜୁନ ଶେଷ ସୁଦ୍ଧା ଯେଉଁ ମାନେ ଇ-କେୱାଇସି କରି ନାହାନ୍ତି ସେମାନଙ୍କୁ ବାଦ୍‌ ଦିଆଯିବା ଏକପ୍ରକାର ନିଶ୍ଚିତ ହୋଇଛି । ବଡ଼ଚଣା ବ୍ଲକଟି ୪୩ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବାବେଳେ ଜାତୀୟ ଖାଦ୍ୟ ସୁରକ୍ଷାଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମୋଟ ୧୮୪୭୬୩ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ହୋଇରାସନ ସାମଗ୍ରୀ ପାଉଛନ୍ତି । ସମୁଦାୟ ସମଗ୍ର ବ୍ଲକର ୧୦୩୦୩ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯାଉଛି, ଇ-କେୱାଇସି ଯୋଗୁଁ ୩ମାସର ବହୁ ଚାଉଳ ବଂଚିତ ହେବ ।  ୩ମାସ ମଧ୍ୟରେ ଇ-କେୱାଇସି ଯାଂଚ ନକଲେ ସମ୍ପୂର୍ଣ ବାଦ୍‌ ଦିଆଯିବ ବୋଲି କୁହାଯାଇଛି ।  ଇ-ଯାଂଚ ନକରିବା ପଛରେ ଅନେକ ବ୍ୟକ୍ତିଙ୍କ ଚାରି ଚକିଆ, ୬ ଚକିଆ ଗାଡି ଥିବା ଏବଂ ସେହିଭଳି ବୃଦ୍ଧାଓ ଶଯ୍ୟାଶାୟୀ,ଛୋଟ ଶିଶୁ ମାନଙ୍କର ଇ-କେୱାଇସି କରିବାରେ ସମସ୍ୟା ରହିଥିବା ସୂଚନା ମିଳିଛି ।