ଈର୍ଷାର କେତେ ରୂପ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ଈର୍ଷାର କେତେ ରୂପ, ସେବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । 
ମଣିଷ ଏକ ସାମାଜିକ ପ୍ରାଣୀ । ସମାଜ ଭିତରେ ଘର, ପରିବାର ଭିତରେ ମଣିଷ ଚଳେ । ନିତ୍ୟନୈମିତ୍ତିକ ଜୀବନରେ ସମସ୍ତଙ୍କୁ ନେଇ ଚଳିବାକୁ ଚେଷ୍ଟା କରେ । ହେଲେ ଏହି ଚଳିବା ଭିତରେ ସେ ନାନାଦି ଫନ୍ଦିଫିକର ଓ ସମସ୍ୟାର ସମ୍ମୁଖୀନ ହୋଇପଡ଼େ । ନିଜର ଦୋଷ ନଥାଇ ଅନେକ କ୍ଷେତ୍ରରେ ଦୋଷୀ ହୋଇପଡ଼େ । ପୁଣି ସବୁ କରି ମଧ୍ୟ ଶେଷରେ କୃତଜ୍ଞତା ଟିକିଏ ବି ମିଳେ ନାହିଁ । ଏହାରି ଭିତରେ ସେ ଅବସନ୍ନ ହୋଇପଡ଼େ । ଜୀବନକୁ ଅସାର ବୋଲି ମଣେ । ମୁହଁରେ ହସ ଟିକିଏ ବି ଝଲସି ଉଠେନାହିଁ । ସତେ ଯେମିତି ବଳକା ଜୀବନ କେବଳ କାଟିବା ପାଇଁ ବାକି ରହିଯାଇଛି । ଈର୍ଷା, ଦ୍ୱେଷ ଓ ପରଶ୍ରୀକାତରତାର ଶିକାର ହୋଇ ଗୋଟିଏ ମଣିଷ ଶେଷରେ ନିଜର ଭାଗ୍ୟକୁ ନିନେ୍ଦ । ଜୀବନକୁ ସହଜ ଓ ସରଳ ଭାବୁଥିବା ବିଚରା ମଣିଷଟା ବୁହତ ଦୁଃଖ ପାଏ । କଷ୍ଟ ଭିତରେ ସେ ବଞ୍ଚିବାକୁ ଚେଷ୍ଟା କରି କରି ଶେଷରେ ସଂସାର ଛାଡ଼ି ଚାଲିଯାଏ । ପରିଶେଷରେ ସଭିଏଁ କହନ୍ତି "ଲୋକାଟି ଜୀବନରେ ଶାନ୍ତି ଟିକିଏ ବି ପାଇଲା ନାହିଁ ।' ମାତ୍ର ସେହି ଲୋକମାନେ ହିଁ ବଞ୍ଚିଥିବା ଅବସ୍ଥାରେ ତାର ଅଶାନ୍ତିର କାରଣ ମଧ୍ୟରୁ କିଛି କିଛି ମାତ୍ରାରେ ଦୋଷୀ ବୋଲି କେବେ ଚିନ୍ତା ମଧ୍ୟ କରନ୍ତି ନାହିଁ । ଯେଉଁ ଲୋକଟି ଭଲରେ ଚଳିଲା ତାହା ପାଖ ପଡ଼ୋଶୀ, ବନ୍ଧୁବାନ୍ଧକଙ୍କ ଆଖିରେ ଯାଏ ନାହିଁ । ଗୋଡ଼ଟଣା ନୀତି ଆରମ୍ଭ ହୋଇଯାଏ । ଇର୍ଷାପରାୟଣ ହୋଇ ନାନାଦି ଫନ୍ଦିଫିକର କରି ତାର ସୁଖମୟ ଜୀବନକୁ କଳୂଷିତ କରି ପକାନ୍ତି କିଛି ଏମିତି ଲୋକ, ଯେଉଁମାନେ କି ପ୍ରତିଟି ସମାଜ ଓ ପ୍ରତିଟି ପରିବେଶରେ ରହିଥାନ୍ତି । "ସିଏ ଗାଡ଼ିଘୋଡ଼ା କରି ପକାଇଲାଣି', "ସିଏ ସମ୍ପତ୍ତିବାଡ଼ି ଅର୍ଜି ଦେଲାଣି', "ସିଏ ବଡ଼ଲୋକ ହେଇଗଲାଣି' । ସାମାଜିକ ଜୀବନରେ ୟାର ତାଲିକା ବେଶ୍ ଲମ୍ବା । 
ଅନ୍ୟକୁ ହଇରାଣରେ ପକାଇ କଣ ପ୍ରକୃତରେ ମଣିଷ ଶାନ୍ତି ପାଏ? ଉତ୍ତର ଅବଶ୍ୟ ନା । କାରଣ ମଣିଷ ଇର୍ଷାଳୁ ହୋଇ ପଡ଼ିଲେ ଏମିତି ହୁଏ । ପରଶ୍ରୀକାତରତାର ଶିକାର ବ୍ୟକ୍ତି ନିଜେ କେବେ ଭଲରେ ରହେ ନାହିଁ କି ଆଉ କାହାକୁ ଭଲରେ ରଖେଇ ଦିଏ ନାହିଁ । ଏପରି ବ୍ୟକ୍ତି ଠାରୁ ଦୂରେଇ ରହିବା ହିଁ ଭଲ । ହେଲେ କେତେକାଂଶରେ ଏହା ନିଜ ପରିବାର ଭିତରେ ହିଁ ରହିଥାନ୍ତି । ଯାହାକୁ କି ନେଇ ଚାଲିବା ଅତ୍ୟନ୍ତ କଷ୍ଟକର ବ୍ୟାପାର । ମଣିଷକୁ ଭଲ ପାଇବା ବଦଳରେ ଈର୍ଷା କରିଲେ କେଉଁ ମଣିଷ ପାଖରେ ରହିବ ନାହିଁ । ଏତକ ବୁଝିଲେ ମଣିଷର ମଙ୍ଗଳ ହିଁ ମଙ୍ଗଳ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।