ଉକ୍ରର୍ଷ ଅଭିଯାନରେ ୨୬୦ ଗାଁ ସାମିଲ୍

 ନୂଆପଡ଼ା : ନୂଆପଡ଼ା ଜିଲ୍ଲା ୨୬୦ଗୋଟି ଜନଜାତି ବହୁଳଗ୍ରାମ ଗୁଡିକୁ ଧରତୀ ଆବା ଜନଜାତୀୟ ଗ୍ରାମ ଉକ୍ରର୍ଷ ଅଭିଯାନରେ ଅନ୍ତର୍ଭୁକ୍ତ ପାଇଁ ଚିହ୍ନଟ କରାଯାଇଛି । ଏ ନେଇ ନୂଆପଡ଼ା ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇ ଦିଆଯାଇଛ । କୋମନା ବ୍ଲକର ୧୨୪ ଗୋଟି ଗ୍ରାମ, ନୂଆପଡ଼ା ବ୍ଲକର ୩୪ଟି, ବୋଡେନ୍ ବ୍ଲକର ୭୦ଟି, ଖରିଆର ବ୍ଲକର ୧୮ ଟି, ସିନାପାଲି ବ୍ଲକ୍ର ୧୪ଟି ଗ୍ରାମରେ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଉପଲବ୍ଧ ସେବା ଜନସାଧାରଣ ତଥା ଗୋଷ୍ଠୀମାନଙ୍କ ପାଖରେ ପହଞ୍ଚାଇବା ଏବଂ ପହଞ୍ଚିଥିବା ସୁନିଶ୍ଚିତ କରିବା, ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ  । ଆଗାମୀ ଦିନରେ ଲୋକଙ୍କର ଆବଶ୍ୟକତା ଉପଲବ୍ଧି ପୂର୍ବକ ସମ୍ପୃକ୍ତ ବିଭାଗ ଦ୍ୱାରା ସଂପୃକ୍ତି ତଥା ସହଭାଗିତା ଉଦ୍ରେକ କରିବା ପାଇଁ ଜୁନ୍ ୧୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତସ୍ତରରେ ସଚେତନତା ତଥା ବିଭିନ୍ନ ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି  । ଏହି ଶିବିରରେ ଯୋଗ୍ୟ ଲାଭାର୍ଥୀମାନଙ୍କୁ ଆଧାର କାର୍ଡ, ରାସନ କାର୍ଡ, ଆୟୁଷ୍ମାନ ଭାରତ କାର୍ଡ, ଜାତି ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, କିଷାନ୍ କ୍ରେଡିଟ କାର୍ଡ, ଜନଧନ ଆକାଉଣ୍ଟ, ବାର୍ଦ୍ଧକ୍ୟ/ବିଧବା/ଭିନ୍ନକ୍ଷମ ଭତ୍ତା ତଥା ଅନ୍ୟାନ୍ୟ ବିଭାଗଦ୍ୱାରା ପ୍ରଦତ୍ତ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ । ଏନେଇ ଏକ ସଚେତନତା ରଥ ମଧ୍ୟ ପ୍ରତ୍ୟେକ ପଞ୍ଚାୟତ ଶିବିରରେ ପହଞ୍ଚିବ ଏବଂ ବିଭିନ୍ନ ବିଭାଗ ଦ୍ୱାରା ଶିବିରରେ ଆବଶ୍ୟକ ସେବା ଯୋଗାଇ ଦିଆଯିବ । ଏହି ଶିବିରରେ ଜନସାଧାରଣ ସାମୂହିକ ତଥା ବ୍ୟକ୍ତିଗତ ଆବଶ୍ୟକତାର ଦାବି ଉପସ୍ଥାପନ କରିବାର ସୁଯୋଗ ପାଇବେ  ।