ଉନ୍ନୟନ କମିଟି ସମୀକ୍ଷା ବୈଠକ
ପାରାଦୀପ : ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌରାଧ୍ୟକ୍ଷ, କୁଜଙ୍ଗ ଓ ତିର୍ତୋଲ ବ୍ଲକ୍ ବିଡିଓ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଦିଆଯାଇଥିବା ଟାର୍ଗେଟ ପୂରଣ ହୋଇ ପାରିଛି କି ନାହିଁ, ଯେଉଁଠି ଟାର୍ଗେଟ ପୂରଣ ହୋଇ ପାରି ନାହିଁ, ତାହାର କାରଣ ଓ ନିରାକରଣ ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲେ । ସେହିଭଳି ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକର ଅବ୍ୟବହିତ ପୂର୍ବରୁ ଅଠରବାଙ୍କୀସ୍ଥିତ ବିଜୁ ମେମୋରିଆ ହସ୍ପିଟାଲ ପରିସରରେ ଅନୁଷ୍ଠିତ ରୋଗୀ କଲ୍ୟାଣ ପରିଚାଳନା ସମିତି ବୈଠକରେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଅଂଶ ଗ୍ରହଣ କରିଥିଲେ । ବୈଠକରେ ହସ୍ପିଟାଲ ବିଲ୍ଡିଂ, ଝରକା, କବାଟ ସମେତ ଷ୍ଟାଫ କ୍ୱାର୍ଟର ଗୁଡିକର ମରାମତି, ଆମ୍ବଲାନ୍ସ କିଣା, କାଓ କ୍ୟାଚର ନିର୍ମାଣ, ଅକି୍ସଜେନ୍ ପ୍ଲାଂଟ ଗୃହ ନିର୍ମାଣ ସମେତ ଆଶା କର୍ମୀଙ୍କୁ ଠିକ୍ ସମୟରେ କିଟ୍ ପ୍ରଦାନ କରିବା ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ହସ୍ପିଟାଲ ମୁଖ୍ୟ ଚିକିତ୍ସାଧିକାରୀ ଡ. ବସନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡ.ପ୍ରସନ୍ନ ସାମଲ, ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ରୋଗୀ କଲ୍ୟାଣ ପରିଚାଳନା ସମିତି ସଦସ୍ୟ ସୁବ୍ରତ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ମନୋଜ ନାୟକ, ଆଇନିଜୀବୀ ସଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।