ଚୋରି ଡକାୟତି ଘଟଣାରେ ୪ ଗିରଫ

ଜୟପୁର : ବିଭିନ୍ନ ଚୋରି ଏବଂ ଡ଼କାୟତି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଜୟପୁର ଏସ୍ଡିପିଓ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସ୍ପି ରୋହିତ ବର୍ମା ସୂଚନା ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଜୟପୁର ସହରରେ ଚୋରି ଡକାୟତି ଘଟଣା ଥମିବାର ନାଁ ନେଉନି । ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଡକାୟତି କିମ୍ବା ଚୋରି ଘଟଣା ସାମ୍ନାକୁ ଆସୁଛି । ଗତ ତିନିଦିନ ମଧ୍ୟରେ ପୁଣି ଜଣେ ଟ୍ରାକ୍ଟର ସୋରୁମ୍ ମାଲିକଙ୍କୁ ଟାର୍ଗେଟ କରିଥିଲେ ଦୁର୍ବୃତ୍ତ । ଗତ ୧୬ ତାରିଖ ମଧ୍ୟରାତ୍ରରେ ଚୋରମାନେ ଟିଣଛାତକୁ ଭାଙ୍ଗି ଉପର ପଟୁ ସୋ’ରୁମ ଭିତରକୁ ପ୍ରବେଶ କରି ଆସବା ଜିନିଷ ଭାଙ୍ଗିବା ସହ ୨ ଲକ୍ଷ ୫୦ ହଜାର ଟଙ୍କା ଥିବା ସେଫ୍ଟି ଲକରକୁ ନେଇ ଚାଲିଯାଇଥିଲେ । ଏହି ମାମଲାରେ ସୋରୁମ ମାଲିକ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସର ତଦନ୍ତ ହୋଇଥିଲା । କୋରାପୁଟ ଏସ୍ପି ରୋହିତ ବର୍ମାଙ୍କ ନିଦେ୍ର୍ଦଶ କ୍ରମେ ଜୟପୁର ଏସଡିପିଓ ଅଙ୍କିତ କୁମାର ବର୍ମାଙ୍କ ତତ୍ତ୍ୱାବଧାନରେ ଜୟପୁର ଟାଉନ ଥାନା ଅଧିକାରୀ ଇଶ୍ୱର ଚନ୍ଦ୍ର ତାଣ୍ଡି ଏବଂ ଏସ୍ଆଇ ସିଦ୍ଧାନ୍ତ ବେହେରାଙ୍କୁ ନେଇ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା । ଏହି ଘଟଣାରେ ଦୋକାନରେ ଲାଗିଥିବା ସିସିଟିଭିକୁ ଆଧାର କରି ପୋଲିସ ତଦନ୍ତ କରିଥିଲା । ତଦନ୍ତ ବେଳେ ସାଇଣ୍ଟିଫିକ ଦଳ ସହ ଅନୁସନ୍ଧାନୀ କୁକୁର ମଧ୍ୟ ସାମିଲ୍ ଥିଲା । ଅନୁସନ୍ଧାନୀ କୁକୁର ସ୍ଥାନୀୟ ହାଟପଦା ଅଞ୍ଚଳରୁ ଅଭିଯୁକ୍ତମାନେ ରହିଥିବା ସନ୍ଧାନ କରିଥିଲା । ଏହାକୁ ଆଧାର କରି ହାଟପଦା ଅଞ୍ଚଳରୁ ୪ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଥିବାବେଳେ ସେମାନେ ଚୋରି କରିଥିବା ଘଟଣାକୁ ସ୍ୱୀକାର କରିଥିଲେ । ପରେ ୨ଲକ୍ଷ ୫୦ ହଜାର ଟଙ୍କା ଥିବା ସେଫ୍ଟି ଲକରକୁ ଜୟପୁର ଗାନ୍ଧି ଛକ ନିକଟରେ ଥିବା କୋଲାବ କେନାଲ ବ୍ରିଜ ତଳକୁ ପକାଇ ଦେଇଥିବା କହିଥିଲେ । ପୋଲିସ ଅଭିଯୁକ୍ତମାନଙ୍କୁ ଉକ୍ତ ସ୍ଥାନକୁ ନେଇ ଫୋପାଡି ଥିବା ସେଫ୍ଟି ଲକର ଜାଗାକୁ ଚିହ୍ନଟ କରିଥିଲେ । ପରେ ଜୟପୁର ଦମକଳ ବାହିନୀଙ୍କ ସହାୟତାରେ କେନାଲ ଭିତରୁ ସେଫ୍ଟି ଲକରକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ସହିତ ଚୋରମାନେ ଅନ୍ୟ ୪ଟି ଘଟଣାରେ ମଧ୍ୟ ସାମିଲ୍ ଥିବା ସ୍ୱୀକାର କରିଥିଲେ । ଏହାକୁ ନେଇ କୋରାପୁଟ ଏସ୍ପି ଜୟପୁର ଏସଡିପିଓଙ୍କ କାର୍ଯ୍ୟାଳୟରେ ଏସ୍ଡିପିଓ ଅଙ୍କିତ କୁମାର ବର୍ମା, ଥାନା ଅଧିକାରୀ ଇଶ୍ୱର ଚନ୍ଦ୍ର ତାଣ୍ଡି ଏବଂ ଯାଞ୍ଚ ଅଧିକାରୀମାନଙ୍କ ଉପସ୍ଥିତିରେ  ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।