ଏଟିଏମ୍ ଲକର ଭାଙ୍ଗି ୧୦ ବ୍ୟାଟେରୀ ଚୋରି
କୁଖ୍ୟାତ ଲୁଟେରା ଗିରଫ; ବିଭିନ୍ନ ଥାନାରେ ରହିଛି ୨୨ ମାମଲା
ଭୁବନେଶ୍ୱର, ୧୨ା୧୧ : ଗତ ୩ ମାସ ତଳେ ଏକ ଏଟିଏମ୍ ରୁମର ଲକର ଭାଙ୍ଗି ୧୦ଟି ବ୍ୟାଟେରୀ ଚୋରି ହୋଇଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଲୁଟେରାକୁ ଗିରଫ କରିବା ସହ ତାଠାରୁ ୬ଟି ବ୍ୟାଟେରୀ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଓଲଟାଉନ୍ ଗୋଡିପୋଖରୀ ସାହିର କୃପାସିନ୍ଧୁ ମହାପାତ୍ର । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଗତ ୯.୮.୨୦୨୪ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ଅଭିଯୁକ୍ତ ଏକ ସ୍କୁଟିରେ ଡୁମୁଡୁମା ପୁସ୍ ନିକଟରେ ଥିବା ଏସବିଆଇ ଏଟିଏମ ରୁମରେ ଥିବା ଲକର ଭାଙ୍ଗି ସେଠାରେ ଥିବା ୧୦ଟି ବ୍ୟାଟେରୀକୁ ଚୋରି କରି ନେଇ ଯାଇଥିଲେ । ଏହି ମାମଲାର ତଦନ୍ତ କରି ଆଜି ଭରତପୁର ଥାନା ପୁଲିସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଅଭିଯୁକ୍ତକୁ ତା ଘରୁ କାବୁ କରାଯାଇଥିବା ବେଳେ ତାଠାରୁ ୬ଟି ଚୋରି ବ୍ୟାଟେରୀ ଜବତ କରାଯାଇଛି । ଅନ୍ୟ ପଟେ ଅଭିଯୁକ୍ତର ସ୍କୁଟିକୁ ପୂର୍ବରୁ ମୈତ୍ରୀବିହାର ଥାନା ପୁଲିସ ଜବତ କରିଥିଲା । ଅଭିଯୁକ୍ତର ଅପରାଧିକ ସମ୍ପକ୍ତି ଯାଞ୍ଚ ବେଳେ ସେ ଜଣେ ପେଷାଦାର ଅପରାଧୀ ଓ ତା ନାମରେ ଶ୍ରୀ ଲିଙ୍ଗରାଜ ଥାନା, ଖଣ୍ଡଗିରି ଥାନା, ମଞ୍ଚେଶ୍ୱର ଥାନା, ମୈତ୍ରୀବିହାର ଥାନା, ଜଟଣୀ ଥାନା, ଏୟାରଫିଲ୍ଡ ଥାନା, କ୍ୟାପିଟାଲ ଥାନା ଓ ବଡ଼ଗଡ଼ ଥାନାରେ ୨୦୦୮ ମସିହାରୁ ୨୦୨୪ ମସିହା ମଧ୍ୟରେ ସମୁଦାୟ ୨୨ଟି ଅପରାଧିକ ମାମଲା ରୁଜୁ ହୋଇ ପାରିଛି ।