ଏସିଆକୁ ହସ୍ତମୁଦି ମାହାଲ କରିବାକୁ ଚାହୁଁଛି ଆମେରିକା

ଏସିଆକୁ ହସ୍ତମୁଦି ମାହାଲ କରିବାକୁ ଚାହୁଁଛି ଆମେରିକା

ମାୟାଧର ନାୟକ : ଏସିଆ...ଇତିହାସର ଅଂଧାରୀରାତିରୁ ଆଧୁନିକ ସମୟର ସଫେଦ୍‌ ସକାଳ ପର୍ଯ୍ୟନ୍ତ ବହୁ ବୈଦେଶିକ ଆକ୍ରମଣକାରୀଙ୍କ ଲୁଣ୍ଠନର କରୁଣ ଶିକାର ହୋଇଆସିଛି । ଖ୍ରୀଷ୍ଟପୂର୍ବ ୩୦୦ ଅବ୍ଦର ଗ୍ରୀକ୍‌ ଆଲେକ୍‌ଜାଂଡର୍‌ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାବ୍ଦୀର ଆଫ୍‌ଗାନ ଆକ୍ରମଣକାରୀ ଅହମଦଶାହ ଦୁରାନୀ ପ୍ରମୁଖ ପାହାଡ଼ପର୍ବତ ପାରିହୋଇ ଏସିଆର ଉପମହାଦେଶ ଭାରତ ଚଢ଼ଉ କରିଛନ୍ତି । ମାତ୍ର ସାତସମୁଦ୍ର ପାରିହୋଇ ପର୍ତ୍ତୁଗୀଜ୍‌, ଫରାସୀ ଓ ବ୍ରିଟିଶ୍‌ ପ୍ରମୁଖ ପାଶ୍ଚାତ୍ୟ ଆକ୍ରମଣକାରୀବର୍ଗ ଭାରତମୁଖୀ ହୋଇଛନ୍ତି ଊନବିଂଶ ଶତାବ୍ଦୀର ଆଦ୍ୟପାଦ ପର୍ଯ୍ୟନ୍ତ । ହଁ, ଲକ୍ଷ୍ୟକେବଳ ଲୁଣ୍ଠନ, ଅପର୍ଯ୍ୟାପ୍ତ ସଂପଦ ଅପହରଣ । ଏବେ କିନ୍ତୁ ସେ ଧାରା ବଦଳିଛି । ଏବେ ଏଠାକୁ ନଆସି ମଧ୍ୟ ଆମେରିକା ଲୁଣ୍ଠନ ଓ ଶୋଷଣ କରିପାରୁଛି ଏସିଆ ମହାଦେଶର ବିଭିନ୍ନ ରାଷ୍ଟ୍ରଙ୍କୁ । ଆଫ୍ରିକାର ନିଗ୍ରୋମାନଙ୍କୁ ଯେମିତି ମଧ୍ୟଯୁଗରେ ଗୋରାଲୋକେ କ୍ରୀତଦାସ କରିବା ଲୋଭରେ ନିଜଦେଶକୁ ବନ୍ଦୀ କରିନେଇଯାଉଥିଲେ, ଏବେ ଆମେରିକା ସେମିତି ଏସିଆରୁ ପ୍ରତିଭାଚାଲାଣ କରିନେଉଛି ନିଜ ଇଲାକାକୁ - ଏସିଆର ବୁଦ୍ଧିକୁ ନିଜ ବିଜ୍ଞାନରେ ବ୍ୟବହାର କରି ବ୍ୟବସାୟ କରୁଛି - ନିଜ ଜ୍ଞାନର ଗୋଲାମ କରି ଶିଳ୍ପସଭ୍ୟତାର ସୌଖିନ୍‌ ସୌଧ ଗଢ଼ୁଛି । ଏଠାକୁ ଆସିବାର ବାଟଖର୍ଚ୍ଚ ନାହିଁ - ବରଂସେଇ ବାଟଖର୍ଚ୍ଚକୁ ବଟିଖର୍ଚ୍ଚରେ ପରିଣତ କରି ଏସିଆର ବିଭିନ୍ନ ରାଷ୍ଟ୍ରର ଶାସନ, ପ୍ରଶାସନ, ଦୁଃଶାସନ ଚରିତ୍ରମାନଙ୍କୁ କରାୟତ୍ତ କରୁଛି । ଆମେରିକା ଦ୍ୱାରା ଆରମ୍ଭ ହୋଇସାରିଥିବା ଅର୍ଥନୈତିକ ଆତଙ୍କବାଦ ଏହି ମାରାତ୍ମକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାରେ କେତେଦୂର ସଫଳ ହୋଇପାରିଛି, ତାହାକୁ ଏବେ ଏସିଆର ଅନୁଚିନ୍ତକବର୍ଗ ଗୁରୁତ୍ୱ ଦେଇ ଅନୁଧ୍ୟାନ କରିବାର ସମୟ ଆସି ପହଂଚିଯାଇଛି । ଆଉ କାଳ କ୍ଷେପଣ କଲେ ନେଡ଼ିଗୁଡ଼ବୋହିଯିବ କହୁଣିକି ।

   ଜଗତୀକରଣ ଧ୍ୱନି ଦେଇ ‘ପୃଥିବୀ ଗୋଟିଏ ଗାଆଁ’ର ପ୍ରଚାର ଚାଲିଥିବାବେଳେ ପ୍ରକୃତରେ କିନ୍ତୁ ପୃଥିବୀର ଗୈରିକ ‘ଗ୍ରାମଶ୍ମଶାନ’ କରିଦିଆଯାଉଛି ଏସିଆ ମହାଦେଶର ଗ୍ରାମଧର୍ମଭିତ୍ତିକ ସଭ୍ୟତାଗୁଡ଼ିକୁ । ଜଗତୀକରଣ ବା ‘ଗ୍ଲୋବାଲାଇଜେସନ୍‌’ ଫଳରେ ଆମେରିକାର ଅର୍ଥନୈତିକ ଆତଙ୍କବାଦ ଏବେ ବେଶ୍‌ ଆରାମ୍‌ରେ ନିଜ ବିଶ୍ୱରୂପ ପ୍ରଦର୍ଶନ କରି ଏସିଆକୁ ରୂପାନ୍ତରିତ କରିବାକୁ ଯାଉଛି ଏକ ମନସ୍ତାତ୍ତ୍ୱିକ ମରୁମଣ୍ଡଳରେ ! ଆତ୍ମବିଶ୍ୱାସବର୍ଜିତ ଏକ ଅଧୀନସ୍ଥ ଅଧିତ୍ୟକାରେ ! ଏହାର ସପ୍ରସଙ୍ଗ ସରଳାର୍ଥ ହେଉଛି - ଏସିଆ ଏକ ଭାବଭୂମି, ମହର୍ଷିର ମହାଦେଶ । ଏହାର ପ୍ରାଚୀନତମ ପ୍ରବାହରେ ଅଛି ମହାମାନବିକ ମୂଲ୍ୟବୋଧର ମାନବଧର୍ମ । ଏହି ମାନବଧର୍ମର ମୂଳମଂତ୍ରହେଲା - ଧନ ନୁହେଁ, ଧ୍ୟାନ... ତଂତ୍ର ନୁହେଁ, ମଂତ୍ର... ସ୍ୱତ୍ୱ ନୁହେଁ, ସତ୍ୟ... ସଂହାର ନୁହେଁ, ସଂହତି... ବିସ୍ଥାପନ ନୁହେଁ, ସଂସ୍ଥାପନ! ଗତିରୁ ପ୍ରଗତି - ଚରୈବେତି ଚରୈବେତି ! ଏହି ମାନବଧର୍ମର ବିବର୍ତିତ ବିଶ୍ୱଧର୍ମ ହେଉଛି ବୌଦ୍ଧଧର୍ମ, ଯାହାର ମହାପ୍ରବକ୍ତା ଗୌତମ ବୁଦ୍ଧଙ୍କୁ କୁହାଯାଏ ‘ଏସିଆର ଆଲୋକ’ । ବୌଦ୍ଧଧର୍ମର ବାଲ୍ୟଲୀଳା ଭାରତବର୍ଷରେ -ଚୈତନ୍ୟପ୍ରାପ୍ତି ଚୀନ୍‌ରେ - ମାତ୍ର ଅମରତ୍ୱଲାଭ ଜାପାନ୍‌ଦେଶରେ । ହିଂସା, ଆତଙ୍କବାଦ, ଯୁଦ୍ଧ ଓ ଅମାନୁଷିକତାର ଉପସଂହାରରେ ଯଦି ପ୍ରକୃତରେ କୌଣସି ପ୍ରାଚୀନଧର୍ମ ମଣିଷର ମର୍ଯ୍ୟାଦା ପ୍ରତି ଅଂଗୀକାରବଦ୍ଧ, ତା’ହେଲେ ଏହି ବୌଦ୍ଧଧର୍ମ ହିଁ ସେଇ ବୀଜମଂତ୍ରିତ ବିଶ୍ୱଧର୍ମ - ଯେଉଁ ଧର୍ମଧାରାରେ ମଣିଷ ହିଁ ଈଶ୍ୱର, ଜୀବ ହିଁ ଶିବ, କରୁଣା ହିଁ କିରଣ । ଏହି ବୌଦ୍ଧଧର୍ମ ହିଁ ସେଇ ବିଶ୍ୱୈକପ୍ରାଣ ବୀଜଧର୍ମ - ଯାହା ମଧ୍ୟମ ମାର୍ଗର ମଧୁସାଂତ୍ୱନାରେ ସାଧକଠୁ ସାଧବ ଓ ସାଧାରଣ ପର୍ଯ୍ୟନ୍ତ ସମୁଦାୟର ସମବାୟ ସିଦ୍ଧିକୁ ସ୍ୱୀକୃତି ପ୍ରଦାନ କରିଛି, ସଂସାରକୁ ଅସାର କହିନାହିଁ କଦାପି । ଏହାସେଇ ପ୍ରାକୃତ ପ୍ରଜାଧର୍ମ, ଯାହା ଇତିହାସର ରାଜକୀୟ ସ୍ପର୍ଦ୍ଧାକୁ ପରିଣତ କରିପାରିଛି ମାନବୀୟ ଶ୍ରଦ୍ଧାର ପରମ ପ୍ରଶାଂତିରେ ।

      ବୌଦ୍ଧଧର୍ମକୁ ଇତିହାସ ଚିହ୍ନଟ କରିଛି ଭାରତବର୍ଷର ପ୍ରସ୍ଥାନ ପର୍ବରେ । ମାତ୍ର ସମୟ ସୂଚାଇଦେଇଛି ଚୀନ୍‌ ଓ ଜାପାନରେ ତାର ସଂସ୍ଥାନ ଓ ସଂସ୍ଥାପନ । ସଂପ୍ରତି ଏହି ମାନବଧର୍ମ ଜାପାନ ଆନୁକୂଲ୍ୟରେ ଭାରତବର୍ଷରେ ପୁନରାୟ କେବଳ ଗୃହପ୍ରବେଶର ସ୍ୱପ୍ନଦେଖୁନାହିଁ, ଏହି ସ୍ୱପ୍ନର ବାସ୍ତବତାରେ ବରଂ ଚୀନ୍‌ ସହିତ ଭାରତର ସାମରିକ ବୈରତାର ବିଲୁପ୍ତି ଲାଗି ମଧ୍ୟ ସୁଯୋଗ ଓ ସଂଭାବନା ସୃଷ୍ଟି କରୁଛି । ଭାରତ-ଚୀନ୍‌-ଜାପାନ୍‌ ଯଦିକେବେ ନା କେବେ ପୁନର୍ଜାଗରଣର ମଂତ୍ରଶକ୍ତି ଦ୍ୱାରା ଏକତ୍ୱରେ ଉଦ୍‌ବୁଦ୍ଧ ହୋଇପାରିବେ, ତା’ହେଲେ ଏସିଆ ହୋଇଉଠିବ ଏକ ଅଦ୍ଭୁତ ଅପରାଜେୟ ମହାଶକ୍ତି । ଯାହା ସ୍ୱର୍ଗମର୍ତ୍ତ୍ୟପାତାଳକାମୀ ମାର୍କିନ୍‌ ଅପଶକ୍ତି ପାଇଁ ଅଦୂର ଭବିଷ୍ୟତରେ ହେବ ଗୋଟାଏ ଶକ୍ତଧକ୍‌କାର ଧମକ୍‌ ! ଆମେରିକାର ଅର୍ଥନୈତିକ ଆତଙ୍କବାଦ ଜନ୍ମ ନେଇଛି ଉପରୋକ୍ତ ମନସ୍ତାତ୍ତ୍ୱିକ ବିପନ୍ନତାବୋଧରୁ । ଏହି କାରଣରୁ ଏସିଆ, ଯାହାର ଉଇହୁଙ୍କାରୁ ଏକଦା ଉଚ୍ଚାରିତ ହୋଇଉଠିଥିଲା ମହର୍ଷିର ଓଁକାର, ଆଜି ଆମେରିକାର ମହାବିଲୟ ଯୋଜନାରେ ଏକ ତୀରଚିହ୍ନିତ କ୍ଷେତ୍ର । ଏସିଆର ସମାଜ, ସଭ୍ୟତା ଓ ସଂସ୍କୃତି ବିଲୁପ୍ତ ହେଲେ ଭାବ ଉପରେ ସାବ୍ୟସ୍ତ ହେବ ବସ୍ତୁର ବିଜୟ - ଯାହା ଆତଙ୍କବାଦର ଅହିରାଜ ଆମେରିକାର ହିଁ ଦିଗ୍‌ବିଜୟ । ଏସିଆର କୃଷିକ୍ଷେତ୍ରର କବର ଉପରେ ନଗର ଗଢ଼ିବ ସୌଦାଗର । ଶଇତାନୀ ଶିଳ୍ପଶାଳାହେବ ମୁନାଫାର ମୁଖଶାଳା - କୃଷିଭିତ୍ତିକ ଗ୍ରାମସଂଗଠନର କଂକାଳ କେବଳ ସ୍ମାରକିତ କରୁଥିବ ଏକ ମୃତସଭ୍ୟତାର ସମାଧିଲିପି ! ପ୍ରଜ୍ଞା, ପ୍ରଶାନ୍ତି, ପ୍ରାଣଶକ୍ତି ପରିବର୍ତେ ମାର୍କିନ୍‌ ମାର୍କେଟ୍‌ରୁ ମିଳୁଥିବ ଏସିଆର ଅସ୍ଥି, ଅଂଗାର, ଚିତାଭସ୍ମ ! ପୃଥିବୀକୁ ଆତ୍ମା, ହୃଦୟ ଓ ବିବେକର ବାର୍ତ୍ତାରେ ଉଦ୍ଦୀପିତ କରିବା ପାଇଁ ଏସିଆର ଐକ୍ୟ ଆଜି ସମୟର ଆହ୍ନାନ । ଆମେରିକା ପ୍ରାୟୋଜିତ ଏହି ଗୂଢ଼ ଅଭିସନ୍ଧିସଂପନ୍ନ ଅର୍ଥନୈତିକ ଆତଙ୍କବାଦର କଡା ମୁକାବିଲା ନିହାତି ଜରୁରି । ଏଥିପାଇଁ ଯଦିକୌଣସି ରାଷ୍ଟ୍ର ଆଜି ଅସ୍ଥିର ଏସିଆକୁ ଏକଜୁଟ୍‌ କରିବାର ନେତୃତ୍ୱ ନେଇପାରେ, ତା’ହେଲେ ସେ ହେଉଛି ସୂର୍ଯ୍ୟୋଦୟର ଦେଶ ଜାପାନ୍‌ ।

      ଆଜି ଭ୍ରଷ୍ଟ ଭାରତର ନଷ୍ଟନଥିରୁ ନିଶ୍ଚିହ୍ନ କରିଦେବାକୁ ପଡ଼ିବ ଆମେରିକାର ସ୍ପଷ୍ଟ ସ୍ୱାକ୍ଷର । ଚୀନ୍‌ର ଚିତ୍ରରୁ ଉଠାଇଦେବାକୁହେବ ମାର୍କିନ୍‌ ମାୟାଜାଲ । ଏସିଆର ମହାମଂଚରେ ଅଭିଷିକ୍ତ କରିବାକୁହେବ ବୌଦ୍ଧ ଜାପାନକୁ । ଜାପାନ୍‌କୁନେବାକୁ ପଡ଼ିବ ନିଷ୍କମ୍ପ ନେତୃତ୍ୱ-ଏସିଆକୁ ଆଉଥରେ ଉଇହୁଂକା ନକରିବାର ବଜ୍ରସଂକଳ୍ପରେ । ମାତ୍ର ଜାପାନ୍‌ ଏଥିପାଇଁ ଆଗେଇ ଆସିବ କେବେ ? ବହୁ ଦିନରୁ ଆମ ସରକାରମାନେ କୃଷିରୁ ମୁହଁ ଫେରାଇ ଶିଳ୍ପ ସାମ୍ରାଜ୍ୟରେ ମସଗୁଲ ଥିଲେ । ଏବେ ଗାଁକୁ ଫେର । କୃଷି ହିଁ ଜୀବନ ବଂଚାଇବ । ଗାଁ, ମାଆ, ମାଟି, ମଣିଷ ସବୁ ଏକାଠି ହୁଅ । ପୁଂଜିପତିମାନେ କେବେ ବି ଗାଁ ମାଆ ମାଟି ମଣିଷକୁ ଅନାଇନାହାନ୍ତି । ସବୁବେଳେ ଗାଁରେ ରହୁଥିବା ମଣିଷ, କୃଷି ଉପରେ ନିର୍ଭର କରୁଥିବାଲୋକେ ଖାଦ୍ୟବସ୍ତ୍ର, ବାସଗୃହ, ସ୍ୱାସ୍ଥ୍ୟ, ଶିକ୍ଷା ଦରକାର ମୁତାବକ ପାଉନାହାଁନ୍ତି । ଯେଉଁମାନେ ସାରା ବିଶ୍ୱବାସୀଙ୍କ ମୁହଁରେ ଖାଦ୍ୟଦେଉଛନ୍ତି, ସେମାନେ ଅର୍ଦ୍ଧାହାର ଅନାହାରରେ ଦିନଦିନ ବିତାଇ ଦେଉଛନ୍ତି । ଅଭାବ ଅସୁବିଧା ଦୁଃଖ କଷ୍ଟ ଏମାନଙ୍କର ଦେହସୁହା ହୋଇଯାଇଛି । ଏବେ ‘ଭାବ’ଲୋକଙ୍କୁ ଦୁଃଖ ପଡ଼ିଛି । ସୁଧଖୋର ସାହୁକାର ପରି ସରକାର କୃଷକମାନଙ୍କୁ କେବଳ ଖାତକ କରି ଚାଲିଛନ୍ତି । ଏସିଆର ଚାଷୀ ଆତ୍ମହତ୍ୟା କରି ମରୁଚି, ରାଷ୍ଟ୍ର ଶାସକମାନେ ଶିଳ୍ପପତିମାନଙ୍କ ସହିତ ସାମିଲ୍‌ହୋଇ ମୁନାଫାର ମୀନାର୍‌ ଗଢ଼ୁଛନ୍ତି-ନିରନ୍ନ ଜନତାର ଅସ୍ଥିଗଦା ଉପରେ ! ଏ ମହାର୍ଘ ମହାଭିଯାନର ମହାନାୟକ ହେବ ଗଣଦେବତାର ସେଇ ଗରିବଗୋତ୍ର : କୃଷକ ।

      ଯଦି ଏକ ସୁସ୍ଥ ସମାଜର କେନ୍ଦ୍ରବିନ୍ଦୁ କୃଷକର କୃତିକୁନେଇ ସୃଷ୍ଟି କରାଯାଏ, ତା’ହେଲେ ସଭ୍ୟତା ଓ ସଂସ୍କୃତି ସୁରକ୍ଷିତ ରହିବା ଦିଗରେ କୌଣସି ଶ୍ରେଣୀଶତ୍ରୁର ଶଇତାନି ସକ୍ରିୟ ହୋଇପାରିବନାହିଁ । କୃଷକମାନେ ମାଟିର ମଣିଷ କେବଳ ନୁହନ୍ତି, ସେମାନେ ସ୍ୱାଭାବିକ ଭାବରେ ଜନସମାଜର ଜାଗ୍ରତ ପ୍ରହରୀ । କୃଷକର ସାହସିକ ସାମର୍ଥ୍ୟକୁ ଗୁଣ୍ଡା ଡକାୟତ, ଗ୍ୟାଙ୍ଗ୍‌ଷ୍ଟର କି ମାଫିଆଚକ୍ର ସୁଦ୍ଧା ସାମ୍ନା କରିବାର ସ୍ପର୍ଦ୍ଧା କରିପାରନ୍ତି ନାହିଁ । ମାତ୍ର ଆଜି ରାଜନୈତିକ ରାହୁ, କେତୁ ଓ ଭସ୍ମାସୁରମାନେ ଶିଳ୍ପପତି ଓ ମା‘ିଆଚକ୍ରର ମିଳିତ ଇଶାରାରେ ଜନସମାଜର ବିଶ୍ୱାସରେ ବିଷ ଦେବାକୁ ସୁଦ୍ଧା ପଛଉନାହାନ୍ତି । ଏସିଆ ମହାଦେଶର ଏଇ ଲୋଭୀ ରାଜନୈତିକ ଚକ୍ର ଓ ପ୍ରବଂଚକ ପ୍ରଶାସକ ବ୍ୟୂହ ଭିତରେ ଅସାଧୁ ଆମେରିକା ନିଜ ଅଧର୍ମବିତକୁ କାମରେ ଲଗାଇସାରିଛି । ଶିଳ୍ପ ଗଢ଼ିଉଠୁଛି କୃଷିର କଂକାଳ ଉପରେ-ଗାଆଁ ହଜିଯାଉଛି ସହର ସୁଅରେ-ବ୍ୟଭିଚାର, ଭ୍ରଷ୍ଟାଚାର, ହତ୍ୟା, ଧର୍ଷଣ, ଅପରାଧର ମାତ୍ରା ବଢ଼ିଚାଲୁଛି ଦିନକୁ ଦିନ । ସାମାଜିକତା ଓ ବ୍ୟକ୍ତିକତା ଆଜି ବିପନ୍ନ । ପରିବେଶ ପ୍ରଦୂଷିତ-ଶିଳ୍ପାୟତନର ସଂକ୍ରମଣଶୀଳ ସଂକଟରେ । ଏବେ ସମୟ ଆସିଛି ଏସିଆର ସମାଜକୁ ବଂଚାଇବାକୁ ପଡ଼ିବ । ଜାପାନ୍‌ ଆଜି ଏସିଆର ଆଲୋକ ବୁଦ୍ଧଙ୍କ ବିବେକୀ ବାର୍ତ୍ତାକୁ ବାସ୍ତବତାରେ ପରିଣତ କରିବା ପାଇଁ କଠୋର ନେତୃତ୍ୱର ଆହ୍ୱାନ ଦେଉ । ଚୀନ୍‌ ଓ ଭାରତ ଚିହ୍ନିତ ହୁଅନ୍ତୁ ଜାପାନ ସହିତ-ସେଇ ଗୋଟିଏ ମହାନ୍‌ ଲକ୍ଷ୍ୟରେ-ଏସିଆ ବଂଚାଅ । ଏକଜୁଟ୍‌ ହୁଅ ଏସିଆ ! ଆତଙ୍କବାଦର ଜଘନ୍ୟ ଜନ୍ମଦାତା ଆମେରିକା ଏବେ ଆରମ୍ଭ କରିଦେଇଛି ଅଘୋଷିତ ତୃତୀୟ ବିଶ୍ୱଯୁଦ୍ଧ -ଯାହାର ମୁଖ୍ୟଆୟୁଧ ହେଉଛି ଅଚଳ ଅର୍ଥନୀତି । ଏହି ଅଚଳ ଅର୍ଥନୀତିର ଉଦ୍ଦେଶ୍ୟ ହେଉଛି ବିଶ୍ୱବଜାରକୁ ବିଶୃଂଖଳିତ କରାଇ ବିଭିନ୍ନ ରାଷ୍ଟ୍ରରେ ଏକପ୍ରକାର କୋକୁଆଭୟ ଉପୁଜାଇବା ।

      ବର୍ତ୍ତମାନ ‘ଅର୍ଥନୈତିକ ମାନ୍ଦାବସ୍ଥା’ର ଜୋର୍‌ସୋର୍‌ ପ୍ରଚାର ଚାଲିଛି ମିଡ଼ିଆ ମାଧ୍ୟମରେ । ଏହାହେଉଛି ପ୍ରକୃତରେ ଧୂର୍ତ୍ତ ଆମେରିକାର ଧୂଆଁବାଣ । ଏ ଧୂଆଁବାଣରେ ଏସିଆ ମହାଦେଶର ମାନଚିତ୍ର ଆଜି ପାଂଶୁଳ ଓ ପାଣ୍ଡୁର । ଏହା ଅର୍ଥନୈତିକ ଆତଙ୍କବାଦ - ଯାହା ମାର୍କିନ ମହାତଙ୍କର ପ୍ରଥମ ପର୍ଯ୍ୟାୟ । ଏଇବାଟେ ତୃତୀୟ ବିଶ୍ୱ ସମେତ ସମଗ୍ର ଏସିଆ ମହାଦେଶର ମେରୁଦଣ୍ଡକୁ ଭାଙ୍ଗି ଚୂରିଦେବାର ଚକ୍ରାନ୍ତ ପଛରେ କି ରହସ୍ୟ ? ଏସିଆର ବିଭିନ୍ନ ରାଷ୍ଟ୍ରକୁ ନିଜ ନିଜ ମଧ୍ୟରେ ଯୁଦ୍ଧପ୍ରବୃତ୍ତ କରାଇ ସଭ୍ୟତା ଓ ସଂସ୍କୃତିର ସମାଧି ରଚନା କଲେ କି ମୁନାଫା ହାସଲ କରିବ ଈଗଲ ଆମେରିକା ? ଏକଜୁଟ୍‌ ହୁଅ ଏସିଆ ! ଏବେ ଏ ମହାସଂକଟରୁ ବର୍ତ୍ତିବାକୁ ହେଲେ ଦ୍ୱିତୀୟ ବିଶ୍ୱଯୁଦ୍ଧର ପାଉଁଶଗଦା ତଳୁ ପୁଣି ଜୀବନ୍ୟାସ ପାଇଥିବା ଜାପାନ୍‌କୁ ନେବାକୁ ପଡ଼ିବ ନେତୃତ୍ୱ । ଜାପାନ୍‌-ଚୀନ୍‌-ଭାରତର ମିଳିତ ମହାମଞ୍ଚ ହିଁ ରକ୍ଷା କରିବ ବିପନ୍ନ ଏସିଆର ଅସ୍ତିତ୍ୱ !

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩