ମାୟାଧର ନାୟକ : ଆମେସବୁ ପଥର ଜନ୍ମ ପାଇଚୁ ବୋଲି ସତରେ ଗର୍ବିତ । ତୁମ ପାଦତଳର ପାହାଚ ହେବାଠୁ ଆରମ୍ଭ କରି ତୁମ ଆଖି ଆଗର ଦିବ୍ୟପ୍ରତିମା ପ୍ରସ୍ତୁତ ପର୍ଯ୍ୟନ୍ତ ଆମେ କେବଳ ଲକ୍ଷକୋଟି କଳେବର ଧାରଣ କରିନାହୁଁ; ଆମେ ବି ରହିଆସିଛୁ ତୁମ ମଣିଷସଭ୍ୟତାର ପରାକ୍ରମୀ ପରିତ୍ରାତା ଭୂମିକାରେ କାହିଁ କେଉଁ କାଳୁ । ତୁମେ ତୁମ ମନଇଚ୍ଛା ଆମକୁ ଭାଂଗିଛ, ଗଢ଼ିଛ - ଖଂଡଖଂଡ କରି ଦଂଡ ନ ଦେଇଛ କେତେ! ଆମେ ସେ ଦଂଡକୁ ପିଠି ପତାଇ ମାନିନେଇଛୁ କାଳେକାଳେ, ଯୁଗେଯୁଗେ । ତୁମ ଶାବଳର ଚିହ୍ନ ଆମ ପାଇଁ ତୁମ ସୃଜନ-ଚିନ୍ମୟ ଚେତନାର ଚିତ୍ରାଂକନ ... ତୁମ ନିହାଣର ନିଶାଣ ଆମ ପାଇଁ ତୁମ ରୂପରଚନାର ରେଖାଂକନ ... ତୁମ ହାତୁଡ଼ିର ପ୍ରହାର ଆମ ପାଇଁ ତୁମ ଶିଳ୍ପସଂକଳ୍ପର ଉପହାର । ତୁମ ଚୋଟ ଆମକୁ ଚୁଂବନ । ତୁମ ଆଘାତ ଆମକୁ ଆଲିଂଗନ । ଯେତେବେଳେ ତୁମ ସଭ୍ୟତାରେ ବିଜ୍ଞାନର ବାନା ଉଡ଼ିଲା, ସେତେବେଳେ ଆମ ପ୍ରତି ତୁମ ବ୍ୟବହାର ଆହୁରି ବଦଳିଗଲା । ଡିନାମାଇଟ୍ ବିସ୍ଫୋରଣ କରି ବିସ୍ଥାପିତ କରିଦିଆଗଲା ଆମକୁ - କେଉଁଠି ଥିଲୁ, କେଉଁଠି ଆସି ପଡ଼ିଲୁ, ଜାଣିପାରିଲୁନି କିଛି । ଖଂଡବିଖଂଡ ହେବା ପରେ ଆମର କ୍ଷତାକ୍ତ ପିଣ୍ଡ କ’ଣ ଦୁଃଖରେ ଦହି ହୋଇନାହିଁ, କ୍ଳେଶରେ କଳା ପଡ଼ିନାହିଁ, ଅବ୍ୟକ୍ତ ଜ୍ୱାଳାରେ ଜର୍ଜରିତ ହୋଇନାହିଁ? କିନ୍ତୁ ହସିହସି ସେ ଦୁଃଖ, କ୍ଳେଶ, ଜ୍ୱାଳାକୁ ଆମେ କରିନେଇଛୁ ଗଳାର ମାଳା । ପରମ ପୁଲକରେ ପୂରିଉଠିଛି ଆମର ଏ ପାଷାଣ-ପ୍ରାଣ । କାହିଁକି ଜାଣିଛ? କାରଣ ଆମର ଏ ବେଦନାରେ ତୁମ ବିବର୍ତ୍ତନ, ଆମର ଏ ବ୍ୟଥାରେ ତୁମ ବିକାଶସାଧନ, ଆମର ଏ ପ୍ରାସରେ ତୁମ ପ୍ରୟାସ ଓ ପ୍ରଗତିର ପ୍ରସ୍ଫୁଟନ । ତୁମ ସଭ୍ୟତା, ତୁମ ସଂସ୍କୃତି, ତୁମ ସମୃଦ୍ଧି - ସବୁଠି ଆମ ଆତ୍ମୋତ୍ସର୍ଗ ଏକ ଏକ ଅଲିଖିତ ଉପାଖ୍ୟାନ ।
ପଥରର ଏ ମୂକ ଆତ୍ମାକୁ ଅନୁଭବ କରିଛ କେବେ ? ବିଶାଳ ନଦୀବନ୍ୟାରୁ ତୁମ ସମାଜକୁ ଆଉ ଭାବୀ ବଂଶଧରବର୍ଗକୁ ରକ୍ଷା କରିବାକୁ ଯାଇ କେଉଁ ଦୂରପର୍ବତର ପଥର ଆମେ ଆସି ପାଲଟିଛୁ ତୁମ ବିରାଟ ବଂଧର ବିପୁଳାୟତନ । ଆମକୁ ନେଇ ନିର୍ମିତ ନାନାଦି ନଦୀବଂଧ ତୁମ ଅଗ୍ରଗାମୀ ସଭ୍ୟତାର ଅବିସଂବାଦିତ ମୁଖବଂଧ । ଜଳସେଚନଠାରୁ ଆରମ୍ଭ କରି ଜଳବିଦୁ୍ୟତ୍ ପ୍ରକଳ୍ପ ପର୍ଯନ୍ତ ତୁମ କୃଷି ଓ ଶିଳ୍ପର କାହାଣୀ କହିଆସିଛି ସାରାଦୁନିଆର ଏ ନଦୀବଂଧ - ଯେଉଁଠି ଜଡ଼ି ରହିଛି ଆମର କଂକାଳ, ଆମର କବଂଧ ! ତୁମ ଇତିହାସର ପ୍ରକାଣ୍ଡ ପ୍ରତିମୂର୍ତ୍ତି, ଉଦାତ୍ତ ଅନୁଶାସନ, ସମୁନ୍ନତ ସ୍ତମ୍ଭ, ମନୋଜ୍ଞ ମିନାର୍, ମହାମହଲ, କାରାଦୁର୍ଗ, ସପ୍ତାଶ୍ଚର୍ଯ୍ୟ - ଆମେ ସମାହିତ ସର୍ବତ୍ର । ତୁମ ଧର୍ମର ଧାମ, ପୀଠ, ତୀର୍ଥ, ସ୍ତୂପ, ମଣ୍ଡପ - ଆମେ ପରିଗୃହୀତ ସର୍ବତ୍ର । ତୁମ ରାଜନୀତିର ରଂଗବାଜିରେ ଶିଳାନ୍ୟାସ ହେଉ କି ଭିତ୍ତିପ୍ରସ୍ତର ହେଉ - ଖଂଡେଖଂଡେ ସଂତକ ବା ସ୍ମାରକୀ ଭାବରେ ବ୍ୟବହୃତ ଆମେ । ତୁମ ରାଜପଥର ଧାରେ ଧାରେ ଆମ ନିଶାଣଖୁଂଟର ନିତ୍ୟନୈମିତିକ ଅବତାର ! ଅତୀତରୁ ଅଦ୍ୟାବଧି ଆମ ଆତ୍ମବଳିର ଅଧ୍ୟାୟଗୁଡ଼ିକୁ ଉନ୍ମୋଚନ କରିଛ କି କେବେ?
ମଣିଷ । ତମର ଆକୃତି ନିର୍ଦ୍ଦିଷ୍ଟ, ନିର୍ଦ୍ଧାରିତ । ପଥର । ଆମର ଆକୃତି ଅନାଦି, ଅନଂତ । କେମିତି ଥିଲୁ - କିଏ କହିବ ? କେମିତି ହେବୁ - କିଏ ବତେଇବ? ଆମ ରୂପ ଅପେକ୍ଷା କରେ ରୂପାନ୍ତରକୁ । ରୂପାତୀତ, ସୀମାତୀତ ହେବାର ଭବିତବ୍ୟ ହିଁ ଆମର ଭାଗ୍ୟ । ମଣିଷ । ତମର ପ୍ରକୃତି ଅସ୍ଥିର, ଚଂଚଳ । ପଥର । ଆମର ପ୍ରକୃତି ସ୍ଥିର, ନିଶ୍ଚଳ । ଆମକୁ ‘ଅଚଳ’ କୁହାଯାଏ ଏଥିପାଇଁ । ତୁମେ ବି ଆମକୁ ତାଚ୍ଛଲ୍ୟ କରି କହିଥାଅ- ଅକର୍ମା ଶିଳା - ନହେଲେ ମାଙ୍କଡ଼ା ପଥର - କାରଣ ତୁମ ପରି ଆମର ପ୍ରବୃତି ନାହିଁ, କ୍ଷୁଧା ନାହିଁ, ତୃଷ୍ଣା ନାହିଁ । ଆମେ ନିବୃତ୍ତ, ନିରାସକ୍ତ, ନିଷ୍କାମ ।
ତୁମର ସବୁ ଥାଇ, କିଛି ନାଇଁ - ତୁମେ ରିକ୍ତ ।
ଆମର କିଛି ନ ଥିବାର ଶୂନ୍ୟତାବୋଧରେ ବି ସବୁଥିବାର ପରିପୂର୍ଣ୍ଣତା - ଆମେ ଅତିରିକ୍ତ ।
ଶତ ସଂଭାବନା ସତ୍ତ୍ୱେ - ତୁମେ ମଣିଷ ହୋଇ ସୁଦ୍ଧା କ୍ଷୟିଷ୍ଣୁ । ବଂଚୁଥାଅ ମରିମରି ।
ଶତ ବିଡ଼ଂବନା ସତ୍ତ୍ୱେ - ଆମେ ପଥର ହୋଇ ସୁଦ୍ଧା ସହିଷ୍ଣୁ । ନାନା ରୂପ ନେଇଥାଉ ନ ଡରି, ନ ମରି । ତୁମେ କ’ଣ ଆମ ପରି ପ୍ରେମୀ ବା ପ୍ରେମିକ ହୋଇପାରିବ କସ୍ମିନ୍ କାଳେ? ଆମ ପରି ଭଲପାଇପାରିବ କଠୋର ନିଷ୍ଠାରେ ?
ଆମର ପ୍ରେମ ହିଁ ଆମର କାଠିନ୍ୟ ।
ତୁମ ପ୍ରେମର ପୃଥିବୀ କିନ୍ତୁ କ୍ଷଣକ୍ଷଣକେ ଆନ ।
ଏ କଥା ମୁଁ କହୁନି, କହୁଚି ତୁମ ପୃଥିବୀର ବେଂଗରଜା ତା’ ବେଂଗୁଲୀରାଣୀକୁ !
ପଥରକୁ ଚାହଁ । ଦେଖ ଦିବ୍ୟଦୃଷ୍ଟିରେ । ତାହା ତୁମ ଦର୍ପଣ । ସେ ଦର୍ପଣରେ ତୁମ କଳା, କୃଷ୍ଟି, କାରିଗରିର କେତେନାକେତେ ପ୍ରମୂର୍ତ୍ତ ପ୍ରତିଫଳନ । ଯଦି ଆଉଟିକିଏ ଧ୍ୟାନ ଦେଇ କାନ ରଖିବ ପଥର ଛାତିରେ, ତା’ହେଲେ ଶୁଣିପାରିବ ସୂକ୍ଷ୍ମାତିସୂକ୍ଷ୍ମ ସ୍ପଂଦନର ଶବ୍ଦ ! ସେ ସ୍ପଂଦନ କାହା ପାଇଁ ? ଅନୁଭବ କର । ସଭ୍ୟତାର ଯେଉଁମାନେ ପ୍ରବଂଚିତ ନିର୍ମାତା, ଶ୍ରମଜୀବୀ ଦାସ, କର୍ତ୍ତବ୍ୟନିଷ୍ଠ କିଂକରକୁଳ - ସେଇମାନଙ୍କ ସକାଶେ ପଥର ଛାତିରେ ଏ ହୃତ୍ସ୍ପଂଦନ ... ହାହାକାର... ଦ୍ରବୀଭୂତ ଦୀର୍ଘଶ୍ୱାସ! ହାତୀ ପିଠିରେ, ମଣିଷ ପିଠିରେ, ଯାନବାହନ ଉପରେ ବୁହା ହୋଇ ଆସୁଥିବା ବେଳେ ଲକ୍ଷକୋଟି ପଥରଙ୍କ ପଥଯାତ୍ରାକୁ ମନେପକାଇଛ କେବେ ? ଆମକୁ ଛେଚିପିଟି, କାଟିକୁଟି, ଭାଂଗିଚୂରି, ହାଣିମାରିବାର ମାତାଲ୍ ହତିଆରମାନଙ୍କୁ କେବଠୁ କ୍ଷମା କରିସାରିଛୁ ଆମେ । କାରଣ ଆମର ମୃତୁ୍ୟ ତୁମ ସଭ୍ୟତାର ମହାଜୀବନ - ଆମର ପତନ ତୁମ ଅଭୁ୍ୟଦୟୀ ସଂସ୍କୃତିର ଉତୁଙ୍ଗ ଅଭୁ୍ୟତ୍ଥାନ । ତୁମେ ମଣିଷ । ମହାର୍ଘ ମସ୍ତିଷ୍କର ମାଲିକ । ପାଂଚମନରୁ ପଚିଶ ପ୍ରକୃତିର ପ୍ରତିଭାଧର ପ୍ରତିଭୂ । ଅଥଚ କିଛି ଶିଖିଲ ନାହିଁ ପଥର ପାଖରୁ ? ଭୋଗ କଲ, ସଂଭୋଗ କଲ - ଜାଣିଲ ନାହିଁ ତ୍ୟାଗ କ’ଣ, ତିତିକ୍ଷା କ’ଣ ! ତୁମର ବିଡ଼ାବିଡ଼ା ପୋଥିପତ୍ର, ଥାକଥାକ ତତ୍ତ୍ୱଜ୍ଞାନ, ଦୁନିଆଯାକର ଦର୍ଶନ-ବିଜ୍ଞାନ ... ହେଲେ ପଥରର କଳ୍ପକଳ୍ପବ୍ୟାପୀ କଠିନ ସଂକଳ୍ପ ଆଉ କାଳକାଳର ମୌନତପସ୍ୟାରୁ ଆଜି ବି ଆତ୍ମଗତ କରିପାରିଲ ନାହିଁ କାଣିଚାଏ?
ପଥର ଭଲପାଇଛି ମଣିଷକୁ । ମାତ୍ର ମଣିଷ କ’ଣ ଭଲପାଇ ପାରିଲା ପଥରକୁ ? ବନଭୂମିର ଆଦିବାସୀ ଯେଉଁ ବୃକ୍ଷକୁ ଦେବତୁଲ୍ୟ ଜ୍ଞାନ କରେ, ଜନବହୁଳ ସମୃଦ୍ଧ ସହରର ଅଧିବାସୀ ସେଇ ବୃକ୍ଷକୁ ପ୍ରତ୍ୟକ୍ଷ କଲାମାତ୍ରେ ମନର ଅତଳରେ ଆରମ୍ଭ କରିଦିଏ ବ୍ୟବସାୟଗତ ମୂଲ୍ୟ ଆକଳନ । ପଥର ପ୍ରତି ମଧ୍ୟ ସେଇ ଏକା ଦୃଷ୍ଟିଭଂଗୀ । ତୁମେ ଆମର ମାନ ନୁହେଁ, ମୂଲ୍ୟ ବୁଝ ଖାଲି । ଆମକୁ ଶସ୍ତାରେ କିଣି କେମିତି ମହଙ୍ଗାରେ ବିକିବ - ସେଥିପାଇଁ ହିସାବଖାତାର ମୋଟେଇ ବଢେଇ ଚାଲୁଥାଅ ବରାବର ।
ତୁମେ ଆମକୁ କୋରୁଥାଅ, ବିଦାରୁଥାଅ - ଆମେ କିନ୍ତୁ ତୁମକୁ ସେମିତି ଭଲପାଉଥାଉ - ଆମ ପିଣ୍ଡ ଖଣ୍ଡବିଖଣ୍ଡ ହେଲା ପରେ ବି । ଆମ ଧ୍ୱଂସରେ ଯଦି ତୁମ ସୃଷ୍ଟି ହୋଇପାରେ ସୁନ୍ଦର, ଶ୍ରୀସଂପନ୍ନ - ତେବେ ତଥାସ୍ତୁ । ଭୟ କେବଳ ଗୋଟିଏ କଥା ପାଇଁ । ତା’ ହେଉଛି, ତୁମେ ତୁମ ପରିବେଶ, ପ୍ରତିବେଶୀ, ଆତ୍ମୀୟସ୍ୱଜନ, ନିଜ ଜାତି ଓ ଜନତାକୁ ଆତ୍ମସ୍ୱାର୍ଥ ପାଇଁ ବିପର୍ଯ୍ୟସ୍ତ କରିଦେବାରେ କୁଣ୍ଠିତ ହେଉନାହଁ ତିଳଟିଏ ମାତ୍ର । ତା’ କରନା - କରନା କଦାପି । ମନେନାହିଁ, ମହାଭାରତର ଯଦୁବଂଶ କଥା ? ନିଜ ନିଜ ମଧ୍ୟରେ ଗୋଳଯୁଦ୍ଧ କରି କରି କିପରି ସମୂଳେ ନିଶ୍ଚିହ୍ନ ହୋଇଗଲେ ଦିନେ ? ଯୁଦ୍ଧ, ଗୃହଯୁଦ୍ଧ, ବୂ୍ୟହଯୁଦ୍ଧ, ମହାଯୁଦ୍ଧ - କ’ଣ ଦରକାର ? ‘ବସୁଧୈବ କୁଟୁମ୍ବକଂ’ର ମନ୍ତ୍ର ଉଚ୍ଚାରଣ କରି ପ୍ରେମର ପୃଥିବୀଟିଏ ଗଢ଼ିପାରିଲ ନାହିଁ? ଯିଏ ଯୋଦ୍ଧା, ସିଏ ଘାତକ ନୁହେଁ - ପ୍ରେମିକ, ମହାପ୍ରେମିକ । ଲକ୍ଷକୋଟି ପ୍ରାଣର ତ୍ରାଣକର୍ତ୍ତା ସେ । ନିଜେ ମରିଯାଇପାରେ, ଅନ୍ୟସମସ୍ତଙ୍କୁ ବଂଚାଇ ରଖିବାର ପଣ କରି - ଠିକ୍ ଆମ ପଥର ଜାତି ପରି । ଆମକୁ ଖଣ୍ଡେ ମାମୁଲି କଠିନ ଶୀତଳ ପିଣ୍ଡ ମଣିବାର ଭୁଲ୍ କର ନାହିଁ କେବେ ? ଆମର କ୍ରୋଧ, ଆମର ଉତ୍ତେଜନା, ଆମର ଉତ୍ତପ୍ତତା ଭାରି ଭୟଙ୍କର । ଶୁଣି ନାହଁ ଆଗ୍ନେୟଗିରିର ବିସ୍ଫୋରିତ ବିବରଣୀ - କଳ୍ପନା କରିନାହଁ ଉଦଗ୍ର ଉଦ୍ଗୀରଣ ବେଳର କରାଳ କରଣୀ ? ଜଳନ୍ତା ପାହାଡ଼ର ଆଁ’ରୁ ନିଆଁର ଝଲକ - ଆଉ ସେ ଝଲକରେ ପଥରର ଝଡ଼ ... କେତେ ପ୍ରଳୟଙ୍କର! ମୃତ ଆଗ୍ନେୟଗିରି, ସୁପ୍ତ ଆଗ୍ନେୟଗିରିର ପଥରମାନଙ୍କୁ ପ୍ରଣିପାତ କର - ଜୀବନ୍ତ ଆଗ୍ନେୟଗିରିର ପଥରମାନଙ୍କୁ ପ୍ରଶାନ୍ତ ରହିବା ପାଇଁ ପ୍ରାର୍ଥନା କର ! ପ୍ରକୃତିକୁ ବିକୃତିରେ ବଦଳିଯିବାକୁ ମୁହୂର୍ତ୍ତଟିଏ ଲାଗିବନାହିଁ - ଯଦି ଚେତନା ଥାଇ ମଧ୍ୟ ତୁମେ ମଣିଷମାନେ ଜଡ଼ ହେବାକୁ ଚାହ!
ହେ ହୋହଲ୍ଲାରେ ମସ୍ତ ମଣିଷମାନେ, ପ୍ରକୃତି ଉପରେ ତୁମ ପୁରୁଷପଣ ଜାହିର କରି ତୁମେ ଆଉ ଦର୍ପ ଦେଖାଅନା । ଯେଉଁ ପଥରକୁ ପାଦ ତଳେ ପାହାଚ କରିଛ, ସେଇ ପଥରକୁ ରତ୍ନସିଂହାସନରେ ପ୍ରତିମା ରୂପରେ ବସାଇ ଯୋଡ଼ହସ୍ତରେ ପ୍ରଣାମ କରୁଛ ! ତମମାନଙ୍କୁ କହିବି ଆଉ କ’ଣ ? ମୋ ଭାଷା ପଥରର ଭାଷା - ନୀରବତା । ଆମେ ପଥରମାନେ ଯେ ଏଯାଏଁ ବିପ୍ଳବ କରିନୁ, ତମ ଭାଗ୍ୟ ଭଲ । ଏକଦା ଆମର ପକ୍ଷ ଥିଲା, ବଡ଼ବଡ଼ ପାହାଡ଼ ରୂପରେ ଗଗନପବନ ଖେଦିବୁଲୁଥିଲୁ ବୋଲି ଇନ୍ଦ୍ରଦେବତା ବି ଆମକୁ ସହି ନ ଥିଲା ସେଦିନ । ଆମର ପକ୍ଷଛେଦନର ଅଭିଯାନ ଆରମ୍ଭ କଲା ଦେବସମାଜ । ସମୁଦ୍ର ଶେଷକୁ ହେଲା ଆମର ଗୋପନ ଆଶ୍ରୟସ୍ଥଳ । ମଗ୍ନ ମୈନାକକୁ ପଚାର, ସେ କହିବ ଆମ ପଥରମାନଙ୍କର ଏଇ ପୌରାଣିକ ଅତୀତର ଦୁଃଖଦ ସ୍ମୃତିକଥା ।
ତଥାପି ଆମେ ଦେବସମାଜକୁ ନୁହେଁ, ଭଲପାଉ ମାନବକୁଳକୁ । ସେଥିପାଇଁ ଦେବତାର ସ୍ୱର୍ଗ ନୁହେଁ - ଆମେ ବାଛି ନେଇଛୁ ମଣିଷର ମର୍ତ୍ତ୍ୟ, ଏ ଭୂତଳ - ଏ ପାତାଳ । ଆଜି ମଣିଷ ଅପେକ୍ଷା ପଥରର ମୂଲ୍ୟ ବେଶି । ଦେବଦେବୀ ପ୍ରତିମାଠାରୁ ଆରମ୍ଭ କରି ପଥରଦୁର୍ଗ, ପଥର କାର୍ଯ୍ୟ, ଆନିକଟ ବ୍ରିଜ୍ ସବୁକାମରେ ଆମେ ବ୍ୟବହୃତ ହେଲୁ । ମଣିଷର ଭବିଷ୍ୟତ ଧ୍ୱଂସମୁଖୀ ହୋଇଚାଲିଥିବା ବେଳେ ଆମର ଭବିଷ୍ୟତ କିନ୍ତୁ ଉଜ୍ୱଳ । ମଣିଷ, ଜୀବଜନ୍ତୁ ଜନ୍ମ ହୋଇ ମାତ୍ର କେଇବର୍ଷ ମଧ୍ୟରେ ମୃତୁ୍ୟମୁଖରେ ପଡ଼ନ୍ତି । ଆମର ଜନ୍ମ ଲକ୍ଷଲକ୍ଷ ବର୍ଷ ତଳୁ ହୋଇଥିଲେ ମଧ୍ୟ ଆମେ ହଜାର ହଜାର ବର୍ଷ ବଂଚି ରହୁ- ଏପରିକି କେହିକେହି କଟାଇ ଦେଉ ଅପରିମାପ୍ୟ ଆୟୁଷ୍କାଳ । ଏଇ ପଥରରୁ ଦିଅଁ ଭଗବାନ ହୁଏ । ମନ୍ଦିର ତୋଳାଯାଏ । ମନ୍ଦିରର ଗାତ୍ରରେ ରୂପସୀ ମୂର୍ତ୍ତି ଶୋଭାପାଏ । ପୁଣି ‘କାମଶାସ୍ତ୍ର’ ମଧ୍ୟ ପଥରରେ ଗଢ଼ା ହୋଇ ମନ୍ଦିର ମିଉଜିୟମ୍ମାନଙ୍କରେ ସ୍ଥାନ ପାଏ । ଦେଶବିଦେଶରୁ ଲକ୍ଷଲକ୍ଷ ଦେଖଣାହାରିଙ୍କ ଆଖି ଲାଖିରହେ । ନିହାଣ ମୂନରେ ପଥର କାରିଗର, ଶିଳ୍ପୀ ଆମ ଦେହରେ ଖୋଦେଇ କରି ଅବିକଳ ମୂର୍ତ୍ତି ଗଢ଼ି ଦିଅନ୍ତି । ସେ ମୂର୍ତି ବହୁ ମୂଲ୍ୟରେ ବିକ୍ରି ହୁଏ । ପଥର ମୂର୍ତ୍ତି ମଧ୍ୟ ଚୋରି ହୋଇ ବିଦେଶକୁ ଚାଲାଣ ହୁଏ । ଆଜି ମୋ ଦେଶର ମଣିଷମାନେ ପଥର ପାଲଟିଗଲେଣି ।
ହେ ମୋର ଦେଶର ପଥରମାନେ, ତୁମେ ମୋଟେ ବ୍ୟସ୍ତ ହୁଅନି । ତୁମେ ଯେଉଁଠି ଥିଲେ ବି ତୁମ ପ୍ରେମରେ ପ୍ରତ୍ନତାତ୍ତ୍ୱିକମାନେ ପାଗଳ । ମୁଁ ମଧ୍ୟ । କେବେ ବିଦେଶ ଗଲେ ସାକ୍ଷାତ ହେବ ନିଶ୍ଚୟ । ହଉ! ତୁମେ ଯେଉଁମାନେ ରମଣୀୟ ସୁନ୍ଦରୀ ନାରୀ ରୂପରେ ଦେଶବିଦେଶରେ ଅଛ, ତୁମେମାନେ ବରଂ ମିଉଜିୟମ୍କୁ ପଳା - ମୁଁ ଯାଉଛି ଏଇ ଲଂଡନ୍ ମାଟିର ଅତ୍ୟାଧୁନିକ ଲାବୋରେଟୋରୀକୁ । କେବେ ଯଦି ଦେଖା ହେବା, କଥା ହେବା ଚୁପ୍ଚାପ୍ ।
ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩