ଓଡ଼ିଶା ପୁଲିସର ‘ଅପରେସନ ଧରପଗଡ’

ଓଡ଼ିଶା ପୁଲିସର ‘ଅପରେସନ ଧରପଗଡ’
  • ଲଘୁ ଖଣିଜ ମାଫିଆ ବିରୋଧରେ ୧୩୪ ମାମଲା, ୧୬୩ ଗାଡି ଜବତ
  • ଗୋ-ଚାଲାଣ ବିରୋଧରେ ୨୩ ମାମଲା ରୁଜୁ ୩୧ ଗିରଫ
  • ଡିଜିପି ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ଅଭିଯାନ ଜାରି

ଭୁବନେଶ୍ୱର : ରାଜ୍ୟରେ ଚୋରା ବାଲି, ମୋରମ ଏବଂ ମାଙ୍କଡ଼ା ପଥର ମାଫିଆ ତଥା ବେଆଇନ ଗୋ-ଚାଲାଣକାରୀଙ୍କ ବିରୋଧରେ ଓଡ଼ିଶା ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କ୍ରମରେ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଏବଂ ଗୋ-ଚାଲାଣ ଉପରେ ରୋକ ଲଗାଇବା ପାଇଁ ପୁଲିସ ପକ୍ଷରୁ କିଛି ଦିନ ଧରି "ଅପରେସନ୍‌ ଧରପଗଡ" ନାମକ ବିଶେଷ ଅଭିଯାନ ଚଳାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯାଇଛି । ସାରା ରାଜ୍ୟରେ ଏହି ମାଫିଆଙ୍କ ବିରୋଧରେ ୧୩୪ଟି ମାମଲା ରୁଜୁ ହୋଇଛି ।

    ଏଥିସହିତ ୧୬୩ଟି ବାଲି ବୋଝେଇ ଯାନ ଜବତ କରାଯାଇଛି । ୧୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୯୨ରୁ ଅଧିକ ଲୋକଙ୍କୁ ନୋଟିସ୍‌ ଜାରି କରାଯାଇଛି । ଜିଲ୍ଲାଭିତ୍ତିକ ଆକ୍ସନରେ ମୟୂରଭଞ୍ଜ ପୁଲିସ ୩୯ଟି ମାମଲା ରୁଜୁ କରି ୪୫ଟି ଯାନ ଜବତ କରିଛି । ବାଲେଶ୍ୱରରେ ୩୨ଟି ମାମଲା ସହ ୬୭ଟି ଯାନ, ଭଦ୍ରକରେ ୧୮ଟି ମାମଲା ସହ ୧୮ଟି ଯାନ ଏବଂ ଗଞ୍ଜାମରେ ୩୩ଟି ମାମଲା ସହ ୩୩ଟି ଯାନ ଜବତ ହୋଇଛି । ସେହିପରି ବେଆଇନ ଗୋ-ଚାଲାଣ ଅଭିଯୋଗରେ ପୁଲିସ ୨୩ଟି ମାମଲା ରୁଜୁ କରି ୩୧ ଜଣଙ୍କୁ ଗିରଫ କରିଛି । ରାଜ୍ୟରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବା, ଅସାମାଜିକ କାର୍ଯ୍ୟକଳାପ ଉପରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ ବେଆଇନ ଲଘୁ ଖଣିଜ ଚୋରା ଚାଲାଣ ଏବଂ ଗୋ-ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ତତ୍ତ୍ୱାବଧାନରେ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପିମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।