କଟକର ଦେବଦେବୀ ପୀଠ


ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : କଟକରେ ବହୁ ପ୍ରାଚୀନ ଓ ନୂତନ ଦେବଦେବୀ ପୀଠ ରହିଛି  । ପ୍ରତିଦିନ ସ୍ନାନାନ୍ତେ ଦେବଦେବୀ ଦର୍ଶନ କରିବା ଗାଁରୁ ମୋର ଅଭ୍ୟାସ ଥିଲା  । କଟକରେ ମୁଁ ସବୁ ପୀଠକୁ ପ୍ରତିଦିନ ଦର୍ଶନ କରିବାକୁ ନଯାଇ ପାରିଥିଲେ ହେଁ କେତେଗୋଟି ପୀଠକୁ ଯାଇଥାଏ  । ପ୍ରତିଦିନ ମୁଁ ଶୁଖିଲା ଲୁଗା ସାଙ୍ଗରେ ନେଇ ଗଡଗଡିଆ ଘାଟକୁ ଯାଏ  । ସେଠାରେ ପୁଣ୍ୟତୋୟା ମହାନଦୀରେ ସ୍ନାନ କରି ଶୁଖିଲା ଲୁଗା ପିନ୍ଧିଥାଏ  । ପ୍ରଥମେ ମୁଁ ଗଡଗଡିଆ ଘାଟରେ ବିରାଜିତ ବିଶ୍ୱେଶ୍ୱର ଓ ଚିତ୍ରେଶ୍ୱରଙ୍କ ଦର୍ଶନ କରିଥାଏ  । ବିଶେଶ୍ୱର ଶିବଲିଙ୍ଗ ପ୍ରାୟ ପନ୍ଦର ଶହ ବର୍ଷ ତଳେ ଅର୍ଥାତ୍ ପଞ୍ଚମ ଶତାବ୍ଦୀରେ ଏଠାରେ ଆବିର୍ଭାବ ହୋଇଥିଲେ  । ବିଶ୍ୱେଶ୍ୱରଙ୍କୁ କେହି କେହି ବିମ୍ବେଶ୍ୱର ମଧ୍ୟ କହିଥାନ୍ତି  । ଭୋ÷ମକର ରାଜତ୍ୱରେ ବିଶ୍ୱେଶ୍ୱରଙ୍କର ମନ୍ଦିର ନିର୍ମାଣ ହୋଇଥିଲା  । ସେହି ମନ୍ଦିର ଭାଙ୍ଗିଯିବାରୁ  ଗଙ୍ଗବଂଶୀ ତୃତୀୟ ଅନଙ୍ଗ ଭୀମଦେବ ମନ୍ଦିର ନିର୍ମାଣ କରାଇଛନ୍ତି  । ସେହି ମନ୍ଦିର ମଧ୍ୟ ଭକ୍ତମାନଙ୍କ ଦ୍ୱାରା ବହୁଥର ପୁନଃନିର୍ମିତ ହୋଇଛି  । ଚିତ୍ରେଶ୍ୱରଙ୍କ ଶିବଲିଙ୍ଗ ଦ୍ୱାଦଶ ଶତାବ୍ଦୀରେ ପ୍ରତିଷ୍ଠିତ  । ଉଭୟ ଶିବଲିଙ୍ଗଙ୍କୁ ବର୍ତ୍ତମାନ ଲୋକମାନେ ଗଡଗଡିଆ ମହାଦେବ କହୁଛନ୍ତି  । ମୁଁ ପ୍ରତିଦିନ ସେହି ମନ୍ଦିରରେ ଶିବତାଣ୍ଡବ ବୋଲେ  ।
ଏହାପରେ ମୁଁ ଗଡଚଣ୍ଡୀଙ୍କୁ ଦର୍ଶନ କରିବାକୁ ଯାଏ  । ଏହି ଚଣ୍ଡୀଙ୍କ ପ୍ରତିଷ୍ଠା କାଳ ସଂପର୍କରେ କେହି କିଛି କହିପାରନ୍ତି ନାହିଁ  । ମୂର୍ତ୍ତିତତ୍ତ୍ୱ ଦୃଷ୍ଟିରୁ ବିବେଚନା କଲେ ଏହି ଚଣ୍ଡୀ ପ୍ରତିମା ଚତୁର୍ଥ ପଞ୍ଚମ ଶତାବ୍ଦୀର  । ତୃତୀୟ ଅନଙ୍ଗ ଭୀମଦେବ ବାରବାଟୀ ଦୁର୍ଗ ନିର୍ମାଣ କାଳରେ ଚଣ୍ଡୀଙ୍କର ମନ୍ଦିର ନିର୍ମାଣ କଲେ ଏବଂ ଦୁର୍ଗର ଇଷ୍ଟଦେବୀ ରୂପରେ ପୂଜାକଲେ  । ଅନଙ୍ଗ ଭୀମଦେବଙ୍କ ଠାରୁ ମୁକୁନ୍ଦଦେବଙ୍କ ରାଜତ୍ୱ ପର୍ଯ୍ୟନ୍ତ ଗଡଚଣ୍ଡୀଙ୍କର ପୂଜା ମହାସମାରୋହରେ ହେଉଥିଲା  । ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜ ଶାସନ କାଳରେ ଗଡଚଣ୍ଡୀ ପୂଜା ପାଇଲେ ନାହିଁ  । ସ୍ୱାଧୀନତା ପରେ କିଛି ପିଲା କୋଳି ଖାଇବାକୁ  ଗଡଚଣ୍ଡୀଙ୍କ ମନ୍ଦିର ଦେଖିଲେ  । ଏହାପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ମନ୍ଦିର ପୁନରୁଦ୍ଧାର କରାଯାଇ ଦେବୀଙ୍କର ନିତ୍ୟ ନୈମିତ୍ତିକ ପୂଜା ଚାଲିଛି  । କଟକର ଏହି ପ୍ରାଚୀନ ଦେବୀ ସାକ୍ଷାତ ଜଗଜ୍ଜନନୀ  । ତାଙ୍କ ନିକଟରେ ମୁଁ ନାରାୟଣୀ ସ୍ତୋତ୍ର ବୋଲିଥାଏ  । ତାପରେ ଚଣ୍ଡୀ ମନ୍ଦିରକୁ ଯାଏ  । ଏହି ଚଣ୍ଡୀ ପ୍ରାଚୀନ ଦେବୀ ହେଲେ ହେଁ ଭୂମିତଳେ ପୋତି ହୋଇ ଯାଇଥିଲେ  । ଜଣେ ଲୋକ ଚାଷ କରୁକରୁ ତା ଲଙ୍ଗଳମୁନ ଚଣ୍ଡୀଙ୍କ ଠାରେ ବାଜିଲା  । ସ୍ଥାନଟି କନିକା ରାଜାଙ୍କର ହୋଇଥିବାରୁ ସେ କନିକାରାଜାଙ୍କୁ ଜଣାଇଲା  । କନିକା ରାଜା ମନ୍ଦିର ନିର୍ମାଣ ପୂର୍ବକ ଚଣ୍ଡୀଙ୍କ ପୂଜାର ବିଧିବିଧାନ କଲେ  । ସେହି ମନ୍ଦିର ଭକ୍ତଙ୍କ ଦାନରେ ବହୁବାର ପୁନଃନିର୍ମିତ ହୋଇଛନ୍ତି  । ବର୍ତ୍ତମାନ ଦେବୀ ‘କଟକ ଚଣ୍ଡୀ’ ନାମରେ ସୁପ୍ରସିଦ୍ଧା ଏବଂ ହଜାର ହଜାର ଭକ୍ତଙ୍କର ଆରାଧ୍ୟା  । ମୁଁ ଚଣ୍ଡୀଙ୍କ ନିକଟରେ ସିଦ୍ଧ କୁଞ୍ଜିକା ସ୍ତୋତ୍ର ବୋଲେ  ।
କଟକ ଚଣ୍ଡୀଙ୍କ ଦର୍ଶନ ପରେ ମୁଁ ବକ୍ସିବଜାର ଅମରେଶ୍ୱର ମନ୍ଦିରକୁ  ଦର୍ଶନ କରିବାକୁ ଯାଏ  । ଅମରେଶ୍ୱର ମନ୍ଦିର ସୂର୍ଯ୍ୟବଂଶୀ ଗଜପତିଙ୍କ ଶାସନ କାଳରେ ଷୋଡ଼ଶ ଶତାବ୍ଦୀରେ ନିର୍ମିତ  । ସେଠାରେ ମୁଁ ମହିମ୍ନସ୍ତୋତ୍ର ବୋଲିଥାଏ  । ହଜାର ହଜାର କଟକବାସୀଙ୍କର  ବିଶ୍ୱାସର ଦେବତା ହେଉଛନ୍ତି ଅମରେଶ୍ୱର  । ପ୍ରତିଦିନ ଶହ ଶହ ଭକ୍ତ ଅମରେଶ୍ୱରଙ୍କ ଦର୍ଶନ ନିମିତ୍ତ ଆସିଥାନ୍ତି  । ବର୍ତ୍ତମାନ କଟକର ପ୍ରତ୍ୟେକ ସାହିରେ ଅଗଣିତ ଶିବମନ୍ଦିର ନିର୍ମାଣ ହେଲାଣି, ଯାହା ଏକ ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ  । ଅମରେଶ୍ୱରଙ୍କ ଦର୍ଶନ ପରେ ମୁଁ ସମୟ ଅଭାବରୁ ଅନ୍ୟ କୋ÷ଣସି ମନ୍ଦିରକୁ ଯାଇପାରେ ନାହିଁ  । କିନ୍ତୁ ଛୁଟି ଦିନ ମାନଙ୍କରେ ବିଭିନ୍ନ ମଠ ଓ ମନ୍ଦିରକୁ ଯିବାକୁ ମୋତେ ଭଲ ଲାଗେ  । ସେଠାରେ ଦେବଦେବୀଙ୍କ ଦର୍ଶନ ସହ ସାଧୁସନ୍ଥଙ୍କ ଦର୍ଶନ କରି ମୁଁ କୃତ୍ୱକୃତ୍ୱ ହୁଏ  । କଲେଜରେ ପ୍ରବେଶ କରିବା ପୂର୍ବରୁ ମୁଁ ଷୋଳପୁଅ ମାଆଙ୍କ  ଦର୍ଶନ କରେ  । ଏହି ଦେବୀ ବୋ÷ଦ୍ଧ ଦେବୀ  । ଉଦୟଗିରିରୁ ଏହି ଦେବୀଙ୍କୁ ଆଣି ଇଂରେଜ ପଦାଧିକାରୀମାନେ କଲେଜ ପରିସରରେ ରଖିଥିଲେ  । ଦେବୀ ସେହିଦିନରୁ ଏଠାରେ ପୂଜିତ  । ଉଦୟଗିରିରେ ମଧ୍ୟ ଅନ୍ୟ ଏକ ଷୋଳପୁଅ ମାଆ ପୂଜା ପାଉଛନ୍ତି  ।
କଟକର ବାରବାଟୀ ଦୁର୍ଗରେ ତୃତୀୟ ଅନଙ୍ଗ ଭୀମଦେବ ଏକ ସଦୃଶ୍ୟ ପୁରୁଷୋତ୍ତମ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଚତୁର୍ଦ୍ଧାମୂର୍ତ୍ତିଙ୍କର ମଣିବିଗ୍ରହ ପ୍ରତିଷ୍ଠା କରିଥିଲେ  । ପ୍ରତିଷ୍ଠା କାଳରେ ଚନ୍ଦ୍ରକର ଶର୍ମାଙ୍କୁ ମହାନଦୀବକ୍ଷରେ ସେ ପୁରଣ ଗ୍ରାମ ଦାନ କରିଥିବାରୁ ପ୍ରମାଣ ନାଗରୀ ତାମ୍ରପତ୍ରରୁ ମିଳିଅଛି  । ଏହି ମନ୍ଦିର ଭାନୁଦେବଙ୍କ ରାଜତ୍ୱ କାଳରେ ଫିେରୋଜ ସାହା ଭାଙ୍ଗି ଦେଇଥିଲେ  । ଗଜପତି ପୁରୁଷୋତ୍ତମ ଦେବ ଦାକ୍ଷିଣାତ୍ୟରୁ ସାକ୍ଷୀଗୋପାଳଙ୍କୁ ଆଣି ବାରବାଟୀ ଦୁର୍ଗରେ ସୁରମ୍ୟ ମନ୍ଦିରରେ ପୂଜା କରୁଥିଲେ  । ଶ୍ରୀଚୈତନ୍ୟ ଓଡ଼ିଶା ଆଗମନ କାଳରେ ବାରବାଟୀ ଦୁର୍ଗରେ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିଥିଲେ  । ସମୟ କ୍ରମେ ସାକ୍ଷୀଗୋପାଳ କଟକରୁ ରଥୀପୁର ଓ ରଥୀପୁରରୁ ପୁରୀଶ୍ରୀମନ୍ଦିର ଏବଂ ଶେଷରେ ଶ୍ରୀମନ୍ଦିରରୁ ଆସି ସଂପ୍ରତି  ସତ୍ୟବାଦୀ ସନ୍ନିକଟ ଫୁଲଅଳସା ଗ୍ରାମରେ ବକୁଳଛୁରୀଅନା କୁଞ୍ଜରେ ବିରାଜିତ  । କଟକରେ ପରବର୍ତ୍ତୀ ଜଗନ୍ନାଥ ମନ୍ଦିର ଦୋଳମୁଣ୍ଡାଇଠାରେ ନିର୍ମିତ  । ପରେ ପରେ ଚାନ୍ଦିନୀଚୋ÷କ, ବିଡାନାସୀ, ରାଣୀହାଟ, ନୂଆପାଟଣା, ଯୋବ୍ରା, ଶିଖରପୁର, ପୀଠାପୁର ଛକ ଓ ମହାନଦୀବିହାର ପ୍ରଭୃତି ସ୍ଥାନରେ ବହୁ ଜଗନ୍ନାଥ ମନ୍ଦିର ନିର୍ମିତ  । ଏହିସବୁ ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହେଉଅଛି  । ଶ୍ରୀଜଗନ୍ନାଥ ଚେତନା ପ୍ରଚାର ଓ ପ୍ରସାରରେ କଟକର ଭୂମିକା ଅନନ୍ୟ ଓ ଅନୁପମ  ।
କଟକରେ ବହୁ ସ୍ଥାନରେ ହନୁମାନ ମୂର୍ତ୍ତି ପୂଜା ପାଉଥିଲେ ହେଁ ମାରୁତି ମଣ୍ଡପସ୍ଥ ହନୁମାନ ଓ ଖପୁରିଆର ପଞ୍ଚମୁଖୀ ହନୁମାନ ପ୍ରସିଦ୍ଧ  । କାଠଯୋଡିତଟସ୍ଥ ରାସବିହାରୀ ମଠର ଦ୍ୱାର ଦେଶରେ ହନୁମାନ ବିରାଜିତ  । ବାଖରାବାଦର ହନୁମାନ ଖୁବ ପ୍ରସିଦ୍ଧ  । ଦେଉଳସାହିରେ ଏକ ବଡ ହନୁମାନ ବିରାଜିତ  । ବକ୍ସିବଜାର ବଢ଼େଇ ସାହିରେ ଶ୍ରୀରାମଚନ୍ଦ୍ର ଭବ୍ୟ ମନ୍ଦିରରେ କୋଶଳେଶ୍ୱର ନାମରେ ପୂଜା ପାଉଛନ୍ତି  । ବାଦାମବାଡିରେ ମଧ୍ୟ ଶ୍ରୀରାମ ମନ୍ଦିର ରହିଛି  । ସେକ୍ବଜାର ଲାଲାମଠରେ ପ୍ରଭୁ ଶ୍ରୀରାମଙ୍କ ଧାତୁ ବିଗ୍ରହ ପୂଜିତ  । କଟକ ତେଲଙ୍ଗା ବଜାରର ରଘୁନାଥ ମନ୍ଦିର ଏକ ପ୍ରାଚୀନ ମନ୍ଦିର  । ଏହି ମନ୍ଦିର ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁରାଜା ମୁକୁନ୍ଦଦେବଙ୍କ ରାଣୀ ନିର୍ମାଣ କରାଇଥିଲେ  । ସେ କର୍ଣ୍ଣାଟକର ରାଜକନ୍ୟା  । ତେଣୁ ଶ୍ରୀବିଗ୍ରହ କର୍ଣ୍ଣାଟକରୁ ଆଣିଥିଲେ  । ପଞ୍ଚରଥ ଶୈଳୀରେ ନିର୍ମିତ ଏହି ମନ୍ଦିରର ମୁଖ୍ୟ ଦ୍ୱାରରେ ଜୟବିଜୟ ହେଉଛନ୍ତି ଦ୍ୱାରପାଳ  । ନାଟମଣ୍ଡପ ଓ ଜଗମୋହନ ପରେ ଗର୍ଭଗୃହରେ ମାର୍ବଲ ନିର୍ମିତ ରତ୍ନସିଂହାସନରେ ପ୍ରଭୁ ବିରାଜିତ  । ସେଠାରେ ଦ୍ୱାରପାଳ ହେଉଛନ୍ତି ହନୁମାନ ଓ ଅଙ୍ଗଦ  । ଏତଦ୍ଭିନ୍ନ ଏହି ମନ୍ଦିରରେ ଦକ୍ଷିଣାଭିମୁଖୀ ହନୁମାନ ପୂଜା ପାଉଛନ୍ତି  । ଗର୍ଭଗୃହ ରତ୍ନସିଂହାସନରେ ଚତୁର୍ଭୁଜ ରଘୁନାଥଙ୍କ କୋଳରେ ଜଗଜ୍ଜନନୀ ସୀତା ବିରାଜିତା  । ପାଶ୍ୱର୍ରେ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ବିରାଜିତ  ।  ସମ୍ମୁଖରେ ସୁଗ୍ରୀବ ସ୍ୱତନ୍ତ୍ର ଭାବରେ ଅଧିଷ୍ଠିତ  । ଏହି ରଘୁନାଥ ମନ୍ଦିରର ପାଶ୍ୱର୍ଦେବତା ହେଉଛନ୍ତି ନୃସିଂହ, ବାମନ ଓ ବରାହ  । ବିଜେ ପ୍ରତିମା ମଧ୍ୟ ଗର୍ଭଗୃହରେ ପୂଜିତ  । ଏହି ବିଜେ ପ୍ରତିମା ରୂପାନିର୍ମିତ  । ମନ୍ଦିରର ଚତୁପାଶ୍ୱର୍ ପାଚେରୀରେ ନାମ ମେଘନାଦ ପାଚେରୀ  । ବାମନଙ୍କ ସନ୍ନିକଟରେ ଅବସ୍ଥିତ ପାଦୁକ କୁଣ୍ଡର ନାମ ମନସାକୁଣ୍ଡ  । କୁହାଯାଏ, ଦୀପ ଜାଳିବା ନିମିତ୍ତ ମେଘନାଦ ପାଚେରୀରେ ୧୦୦୮ ଠଣା ରହିଥିଲା, କିନ୍ତୁ ବର୍ତ୍ତମାନ ସବୁ ଠଣା ନାହିଁ  । ଚାରିକୋଣରେ ଚାରିଗୋଟି ମଣ୍ଡପ ରହିଛି  । ପ୍ରଥମ ବ୍ରତମଣ୍ଡପରେ ଜାତାଦି କର୍ମ ଓ ଉପନୟନାଦି କର୍ମ ହୁଏ  । ଦ୍ୱିତୀୟ ମଣ୍ଡପର ନାମ ବିବାହ ମଣ୍ଡପ  । ଏହି ମଣ୍ଡପରେ ସୀତାରାମଙ୍କର ବିବାହୋତ୍ସବ ଅନୁଷ୍ଠିତ ହୁଏ  । ତୃତୀୟ ମଣ୍ଡପ ହେଉଛି ଝୁଲଣ ମଣ୍ଡପ, ଯେଉଁଠାରେ ପ୍ରଭୁଙ୍କର ଝୁଲଣ ହୁଏ  । ଚତୁର୍ଥ ମଣ୍ଡପ ଚାହାଣୀ ମଣ୍ଡପ, ଯେଉଁଠାରେ ବସି ପ୍ରଭୁ ମଳୟ ପବନ ସେବନ କରନ୍ତି  । ବାହାରେ ମଧ୍ୟ ଗୋଟିଏ ମଣ୍ଡପ ରହିଛି, ଯେଉଁଠାରେ  ପ୍ରଭୁ ରାମଲୀଳା ସଂଦର୍ଶନ କରନ୍ତି  । ମେଘନାଦ ପାଚେରୀ ବାହାରେ ଏକ ସ୍ୱତନ୍ତ୍ର ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କର ଦାରୁବିଗ୍ରହ ପୂଜିତ  । ରଘୁନାଥ ମନ୍ଦିରରେ ଆବଶ୍ୟକୀୟ ପୂଜା ପୁଷ୍ପ ନିମିତ୍ତ ନିକଟରେ ରାଣୀ ପୁଷ୍ପୋଦ୍ୟାନ ନିର୍ମାଣ କରିଥିଲେ  । ଏହି ପୁଷ୍ପୋଦ୍ୟାନର ନାମ ରାଜାବଗିଚା  । ମନ୍ଦିର ପରିସରରେ ଶିବଲିଙ୍ଗ ପୂଜିତ  । ଶିବଙ୍କର ସ୍ୱତନ୍ତ୍ର ମନ୍ଦିର ରହିଛି  । ସନ୍ନିକଟରେ ବିରାଜିତା ପାର୍ବତୀଙ୍କ ନାମ ଅନ୍ନପୂର୍ଣ୍ଣା  । ରଘୁନାଥ ମନ୍ଦିରରେ ତିନିଧୂପ ପାଞ୍ଚ ଅବକାଶ ରୀତିରେ ନିତ୍ୟ ନୈମିତ୍ତିକ ଉପାସନା କରାଯାଏ  । ବର୍ଷସାରା ଏଠାରେ ଶ୍ରୀରାମ ନବମୀ ସହିତ ପ୍ରତ୍ୟେକ ମହୋତ୍ସବ ଓ ଯାନିଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୁଏ  । ଏହି ମନ୍ଦିର ନିର୍ମାଣ ଶୈଳୀ, ପୂଜନଶୈଳୀ, ପାରମ୍ପରିକ ପ୍ରବାହ ଦୃଷ୍ଟିରୁ ଏକ ବିରଳ ମନ୍ଦିର  ।
କଟକର ମଠମାନଙ୍କ ମଧ୍ୟରେ ଚୋ÷ଧୁରୀ ବଜାରର ଶ୍ରୀଗୋପାଳ ଜୀଉ ମଠ ସର୍ବପ୍ରାଚୀନ  । ସେଠାରେ ପୂଜିତ ଶ୍ରୀଗୋପାଳଜୀଉଙ୍କୁ ନିମ୍ବାକାଚାର୍ଯ୍ୟ ବୃନ୍ଦାବନରୁ ଆଣିଥିଲେ  । ମଠର ମନ୍ଦିର ଗଙ୍ଗରାଜାମାନେ ଚତୁର୍ଦ୍ଦଶ ଶତାବ୍ଦୀରେ ନିର୍ମାଣ ପୂର୍ବକ ଶ୍ରୀଗୋପାଳଜୀଉଙ୍କୁ ବିଜେ କରାଇଥିଲେ  । ପରବର୍ତ୍ତୀ କାଳରେ ଷୋଡଶ ଶତାବ୍ଦୀରେ ଶ୍ରୀ ଚୈତନ୍ୟ ଏହି ମନ୍ଦିରରେ ରାଧାରାଣୀଙ୍କୁ ପ୍ରତିଷ୍ଠା କରିଥିଲେ  । କାଠଯୋଡି ତଟସ୍ଥ ରାସବିହାରୀ ମଠ ଏକ ପ୍ରସିଦ୍ଧ ଗୋ÷ଡୀୟ ବୈଷ୍ଣବ ମଠ  । ଏହି ମଠର ପ୍ରତିଷ୍ଠାତା  ଶ୍ରୀଲ ରାଧାରମଣ ଦେବ  । ଏହି ପରମ ବୈଷ୍ଣବ ନଦୀୟାରେ କୀର୍ତ୍ତନ କରୁ କରୁ ପଥର ତରଳି ଯାଇ ସେଥିରେ ତାଙ୍କ ପଦଚିହ୍ନ ରହିଛି  । ‘ଭଜ ନିତାଇ ଗୋ÷ର ରାଧେଶ୍ୟାମ, ଜପ ହରେକୃଷ୍ଣ ହରେରାମ’ ଏହି ମହାମନ୍ତ୍ରର ସେ ଉଦ୍ଗାତା   । ସେ ଦୀର୍ଘ ଅଠରବର୍ଷ କାଳ ବଙ୍ଗଳା ଓ ଓଡ଼ିଶାରେ ନାମ ପ୍ରଚାର କରିଥିଲେ  । ନାମ ସଂକୀର୍ତ୍ତନ କରି କଟକରେ ନଗର ପରିକ୍ରମା କରୁଥିବା ବେଳେ ଜଣେ ସଦ୍ୟ ମୃତୁ୍ୟ ଲାଭ କରିଥିବା ବ୍ୟକ୍ତି ଚତୁଃପାଶ୍ୱର୍ରେ ନାମ ସଂକୀର୍ତ୍ତନ କରି ସେ ସେହି ବ୍ୟକ୍ତିଙ୍କୁ ପୁନର୍ଜୀବିତ କରିଥିଲେ  । ପ୍ରବାଦ ଅଛି, ତାଙ୍କ ସହିତ ଗୋଟିଏ କୁକୁର ନାମ ସଂକୀର୍ତ୍ତନରେ ବୁଲୁଥିଲା ଏବଂ କୁକୁର ମରିଯିବା ପରେ ସେ ବୈଷ୍ଣବୀୟ ରୀତିରେ ତାହାର ଔର୍ଦ୍ଧଦୈହିକ କି୍ରୟା ସଂପନ୍ନ କରିଥିଲେ  । ଏହି କ୍ରିୟାକର୍ମରେ ବୈଷ୍ଣବଗଣ ଯୋଗ ନଦେଇଥିବାରୁ ବଡ଼ବାବାଜୀ ମହାରାଜ ସ୍ୱଶିଷ୍ୟ ନବଦ୍ୱୀପ ଦାସଙ୍କ ମାଧ୍ୟମରେ ଏକ ଶହ ଆଠ ମୂର୍ତ୍ତି କୁକୁରଙ୍କ ନିମନ୍ତ୍ରଣ କରିଥିଲେ  । ଏହି ନିମନ୍ତ୍ରିତ କୁକୁରମାନେ ନାମ ସଂକୀର୍ତ୍ତନ ପରେ ଭୋଜନ କରିଥିଲେ  । ଏହି ଘଟଣା ସେତେବେଳେ ସମଗ୍ର ଭାରତରେ ଚହଳ ପକାଇ ଦେଇଥିଲା  । ଶ୍ରୀଲ ରାଧାରମଣ ଦେବଙ୍କୁ ବଡବାବାଜୀ କୁହାଯାଏ  । ତାଙ୍କ ଶିଷ୍ୟ ରାମ ଦାସ କଟକ ବଙ୍ଗାଳୀ ସାହିରେ ଅନ୍ୟ ଏକ ଗୋ÷ଡୀୟ ବୈଷ୍ଣବ ମଠ ସ୍ଥାପନ କରି ଯାଇଛନ୍ତି  । ରାମ ଦାସଙ୍କ ଶିଷ୍ୟ ନାମାଚାର୍ଯ୍ୟ ବାୟାବାବା ପରେଶ୍ୱର ସାହିରେ ଗୋଟିଏ ମଠ ସ୍ଥାପନ କରିଛନ୍ତି  । ସେହି ମଠରେ ଅଖଣ୍ଡ ନାମ ସଂକୀର୍ତ୍ତନ ଚାଲିଛି  । କଟକର ଅନ୍ୟତମ ପ୍ରାଚୀନ ଗୋ÷ଡୀୟ ବୈଷ୍ଣବ ମଠ ହେଉଛି ଓଡ଼ିଆ ବଜାର ବାଉଁଶଗଳିର ସଚ୍ଚିଦାନନ୍ଦ ମଠ  । ଏହିସବୁ ମଠ ବ୍ୟତୀତ କଟକରେ ଅନ୍ୟାନ୍ୟ ବହୁ ମଠ ରହିଅଛି  ।
କଟକର ଶକ୍ତି ପୀଠମାନଙ୍କ ମଧ୍ୟରୁ ସର୍ବପ୍ରାଚୀନ ହେଉଛି ମହାଶ୍ମଶାନ କାଳିଆବୁଦାରେ ଅବସ୍ଥିତ କାଳୀମନ୍ଦିର  ।  ଏହି ପୀଠ କେବେ ପ୍ରତିଷ୍ଠିତ ହେଲା ତହିଁର ଇତିହାସ ଅନୁପଲବ୍ଧ  । ବିଗତ ଶତାବ୍ଦୀରେ ଏହା ବାୟା, ପାଗଳା, କ୍ଷେପା, ଘୁବାଂ ପ୍ରଭୃତି ପଞ୍ଚ ସାଧକଙ୍କ ସାଧନା ସ୍ଥଳି ରୂପେ ଖ୍ୟାତି ଲାଭ କରିଥିଲା  । ତଦନୁରୂପ ଖାନନଗର ଶ୍ମଶାନ ନିକଟରେ ପ୍ରତିଷ୍ଠିତ କାଳୀ ପୀଠ ମଧ୍ୟ ପ୍ରାଚୀନ ଶକ୍ତି ପୀଠ  । ପୁରୁଣା ହାଇକୋର୍ଟ ନିକଟରେ ମଧ୍ୟ କାଳୀ ମନ୍ଦିର ରହିଛି  । ଝାଞ୍ଜିରି ମଙ୍ଗଳା ଏକ ପ୍ରାଚୀନ ଶକ୍ତି ପୀଠ  । ମାଆଙ୍କ କରୁଣାରେ ଏହି ମଙ୍ଗଳା ପୀଠରେ ବହୁ କୁଷ୍ଠରୋଗୀ ରୋଗମୁକ୍ତ ହୋଇଛନ୍ତି  । ଏହି ଅଞ୍ଚଳ ଜଙ୍ଗଲ ଥିବାବେଳେ ଝାଞ୍ଜିରି ମଙ୍ଗଳାଙ୍କ ଆବିର୍ଭାବ ହୋଇଥିଲା ବୋଲି କୁହାଯାଏ  । ଜଣେ ସିଦ୍ଧ ସାଧୁ ମଙ୍ଗଳାଙ୍କ ପୂଜା କରୁଥିଲେ  । ମଙ୍ଗଳାବାଗର ବାଘମଙ୍ଗଳା ପୀଠ ମଧ୍ୟ ଏକ ପ୍ରାଚୀନ ଶକ୍ତି ପୀଠ  । ଏହି ପୀଠର ପ୍ରତିଷ୍ଠା ସଂପର୍କରେ କୋ÷ଣସି ଇତିହାସ ମିଳୁନାହିଁ  । କେଶରପୁରର ବାରାହୀ ପୀଠ ଏକ ପ୍ରାଚୀନ ଶକ୍ତି ପୀଠ  ।  ଏହି ପୀଠ ଭୋ÷ମକର ରାଜତ୍ୱ କାଳରେ ପ୍ରତିଷ୍ଠା ହୋଇଥିବା ଜଣାଯାଏ  । ରେଭେନ୍ସା କଲେଜ ନିକଟରେ ତାରିଣୀ ପୀଠ ଗତ ଶତାବ୍ଦୀରେ ପ୍ରତିଷ୍ଠିତ  । ଶିଖରପୁରର ଦୁଲାଦେବୀ ପୀଠ ଏକ ଶକ୍ତିପୀଠ  । ସେହି ଅଞ୍ଚଳରେ ଚାରିଜଣ ଦେବୀ ପୂଜିତା ଏବଂ ସେମାନେ ଚାରି ଭଉଣୀ ବୋଲି ଲୋକେ କୁହନ୍ତି  । ଦୁଲା ଦେବୀଙ୍କ ପରେ ମେଲା ଦେବୀ ସେହି ଅଞ୍ଚଳରେ ବିରାଜିତା  । ସୁନାଦେବୀ କୋରପୋଖରୀରେ ଓ ସୋ÷ରୀ ଦେବୀ ନଦୀକୂଳ ସାହିରେ ପୂଜିତା  । ଏହି ଦେବୀ ଚାରିଜଣଙ୍କର ଇତିହାସ କେହି ଜାଣନ୍ତି ନାହିଁ  । କଟକରେ ଶାବରୀ ତନ୍ତ୍ରର ପ୍ରସିଦ୍ଧ ପୀଠ ହେଉଛି ଚହଟା ଅଞ୍ଚଳର ନଦୀପଠାରେ ଥିବା ଭୁଆସୁଣୀ ପୀଠ  । ଏହି ପୀଠ ନିତେଇ ଧୋବଣୀର ସାଧନା ପୀଠ  । ଗଙ୍ଗବଂଶର ସ୍ଥାପୟିତା ଚୋଡଗଙ୍ଗ ଦେବ ଏହି ପୀଠକୁ ଆସି ନିତେଇ ଧୋବଣୀର ଆଶୀର୍ବାଦ ପାଇଥିଲେ  । ଫଳରେ ସେ ବିଜୟୀ ହୋଇ ଓଡ଼ିଶା ଅଧିକାର କଲେ  । ନିତେଇ ଧୋବଣୀଙ୍କ ନିମନ୍ତ୍ରଣ କ୍ରମେ କୁଆଁରୀ ପାଟଣା (ପାଟଣାଗଡ)ରୁ ଶାବରୀ ତନ୍ତ୍ରର ସପ୍ତ ସାଧକ ଏହି ପୀଠକୁ ଆଗମନ କରି କିଛି କାଳ ସାଧନାରତ ଥିଲେ  । ଆଜି ମଧ୍ୟ ଭୁଆସୁଣୀ ପୀଠର ଖ୍ୟାତି ରହିଛି  ।
କଟକର ଅନ୍ୟତମ ପ୍ରାଚୀନ ଶୈବପୀଠ ହେଉଛି ଗଙ୍ଗା ମନ୍ଦିରର ଗଙ୍ଗେଶ୍ୱର ମନ୍ଦିର  । ବର୍ତ୍ତମାନ କଟକର ସବୁ ସାହିରେ ଗୋଟିଏ ଗୋଟିଏ ଶିବ ମନ୍ଦିର ପ୍ରତିଷ୍ଠିତ  । ଗଙ୍ଗବଂଶୀମାନେ ଶୈବ ଥିଲେ  । ସେମାନେ ମହେନ୍ଦ୍ରଗିରି ସ୍ଥିତ ଗୋକର୍ଣ୍ଣେଶ୍ୱର ମହାଦେବଙ୍କର ଭକ୍ତ ଥିଲେ  । ସେମାନେ ଉକ୍ରଳ ଜୟ କଲା ପରେ ପ୍ରଥମେ  ଚୋ÷ଦ୍ୱାରରେ ରାଜଧାନୀ ସ୍ଥାପନା କଲେ ଏବଂ ଚୋ÷ଦ୍ୱାରରେ ବହୁଲିଙ୍ଗ ବସାଇଲେ  ।  ଅନଙ୍ଗ ଭୀମଦେବ କଟକରେ ବାରବାଟୀ ଦୁର୍ଗ ନିର୍ମାଣ କଲେ ଏବଂ ବିଶ୍ୱେଶ୍ୱରଙ୍କ ମନ୍ଦିର ନିର୍ମାଣ କଲେ  । ପରବର୍ତ୍ତୀ ଗଙ୍ଗରାଜା ଗଙ୍ଗା ମନ୍ଦିରରେ ଗଙ୍ଗେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା କଲେ  । ସେହିଦିନ ଠାରୁ କଟକରେ ଆଜି ପର୍ଯ୍ୟନ୍ତ ଶିବ ମନ୍ଦିର ନିର୍ମାଣ ଧାରା ଅବ୍ୟାହତ ରହିଛି ତଥା ଶହେରୁ ଊଦ୍ଧ୍ୱର୍  ଶିବ ମନ୍ଦିର ନିର୍ମାଣ ହେଲାଣି  । କେବଳ ଶିବ ମନ୍ଦିର ନୁହେଁ, କଟକର ବିଭିନ୍ନ ସାହିରେ ଅନ୍ୟାନ୍ୟ ଦେବଦେବୀଙ୍କ ଅନେକ ମନ୍ଦିର ନିର୍ମାଣ ହେଲାଣି  । ବର୍ତ୍ତମାନ ମଧ୍ୟ କଟକର ବିଭିନ୍ନ ସ୍ଥାନରେ ନୂତନ ନୂତନ ମନ୍ଦିର ନିର୍ମାଣ କରାଯାଇଛି  । କଟକ ନଗରକୁ ଏକ ମନ୍ଦିର ମାଳିନୀ  ନଗରୀ କହିଲେ ଅତୁ୍ୟକ୍ତି ହେବନାହିଁ  ।
ଆନନ୍ଦନଗର, କାଠଗଡା, ଢେଙ୍କାନାଳ
ମୋ- ୮୮୯୫୨୩୦୭୨୨