କବି ରମାକାନ୍ତଙ୍କ କବିତା ଓ ଦର୍ଶନ

ଡ.ଚନ୍ଦ୍ରକଳା ନାୟକ : ରମାକାନ୍ତଙ୍କ କବିତାରେ ଭରି ରହିଥିଲା, ସମସ୍ୟା ସମ୍ବନ୍ଧରେ ସ୍ପର୍ଶ କାତରତା, ଆଧୁନିକତା, ପ୍ରାଚ୍ୟ ପାଶ୍ଚାତ୍ୟ ଦର୍ଶନ , ସାହିତ୍ୟ ସଂକ୍ରାନ୍ତ ଅମାପ ଜ୍ଞାନ । ସେ ପୂର୍ଣ୍ଣ ଭାବେ ଜଣେ ଆଧୁନିକ କବି । ମାନବ ସମାଜର ଜଣେ ସଚେତନ କବି ସତ୍ତା । ତାଙ୍କର ପ୍ରତ୍ୟେକଟି କବିତା ଓଡିଆ ସାହିତ୍ୟରେ ଏକ ନୂତନ ଦିଗକୁ ଉନ୍ମୋଚିତ କରିଛି । ତାଙ୍କ କବିତା ପୁସ୍ତକରେ ସେ କହିଛନ୍ତି, କବିତା ଲେଖିବା ତାଙ୍କର ଲକ୍ଷ୍ୟ ।  ଜନତାଙ୍କ ବାହା ବାହା ନେବା ତାଙ୍କ କବିତାର ଲକ୍ଷ୍ୟ ନୁହେଁ । ବରଂ ଆତ୍ମ ସନ୍ତୁଷ୍ଟି ଓ ନୂତନତା ହିଁ ଏକାନ୍ତ କାମ୍ୟ ତାଙ୍କ କବିତା ମଧ୍ୟରେ ।

ଓଡିଆ ସାହିତ୍ୟରେ ଯେଉଁ କେତେଜଣ ଅବିସ୍ମରଣୀୟ କବିଙ୍କ ନାମ ଶ୍ରଦ୍ଧାର ସହ ନିଆଯିବ, ସେମାନଙ୍କ ମଧ୍ୟରେ ପଦ୍ମଭୂଷଣ ରମାକାନ୍ତ ରଥ ଅନ୍ୟତମ । ତାଙ୍କ ସାହିତ୍ୟ ସତତ ଅବିସମ୍ବାଦିତ । ୧୯୩୪ ମସିହାରେ ରମାକାନ୍ତ ରଥଙ୍କ ଜନ୍ମ । ବାଲ୍ୟ ସମୟରୁ ସେ ଥିଲେ ମେଧାବୀ । ସ୍ମାତ୍ତୋକର ଶିକ୍ଷା ସମାପ୍ତି ପରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଆଇ.ଏ.ଏସ ହୋଇଥିଲେ । ଜଣେ ସଚ୍ଚୋଟ, ମେଳାପୀ ବନ୍ଧୁବତ୍ସଳ ମଣିଷ ଭାବେ ସେ ଯେତିକି ପରିଚିତ, ତଦପେକ୍ଷା ଜଣେ ସାରସତ୍ତ୍ୱ ସାଧକ ଭାବେ ଅଧିକ ସମ୍ମାନିତ । ଅତ୍ୟାଧୁନିକ ଜୀବନକୁ ଓ ଅନୁଭୂତିକୁ କାବ୍ୟ ରୂପ ଦେବାରେ ସେ ଥିଲେ ସିଦ୍ଧହସ୍ତ । କବି ରମାକାନ୍ତଙ୍କ ମତରେ- ‘ଶୁଖି ଲୋକମାନେ କଣ କବିତା ଲେଖନ୍ତି? ଯେଉଁମାନେ ଦଃୁଖୀ ସେହିମାନେ ହିଁ କବିତା ଓ ଗଳ୍ପ ଲେଖନ୍ତି କାରଣ ବାଂଟିଦେବା ଦ୍ୱାରା କାଳେ ସେମାନଙ୍କ ଦୁଃଖ କମ ହୋଇଯିବ । ସୁଖୀ ଲୋକ କଣ କିଛି ବାଣ୍ଟେ, ସେ ତ ନିଜ ପାଖରେ ସବୁକିଛି ରଖିବାକୁ ଚାହେଁ । ସୁଖୀ ହୋଇଥିଲେ ଏ କବିତା ଲେଖୁଥାନ୍ତି କାହିଁକି?’

ରମାକାନ୍ତଙ୍କ କବିତାରେ ଭରି ରହିଥିଲା, ସମସ୍ୟା ସମ୍ବନ୍ଧରେ ସ୍ପର୍ଶ କାତରତା, ଆଧୁନିକତା, ପ୍ରାଚ୍ୟ ପାଶ୍ଚାତ୍ୟ ଦର୍ଶନ , ସାହିତ୍ୟ ସଂକ୍ରାନ୍ତ ଅମାପ ଜ୍ଞାନ । ସେ ପୂର୍ଣ୍ଣ ଭାବେ ଜଣେ ଆଧୁନିକ କବି । ମାନବ ସମାଜର ଜଣେ ସଚେତନ କବି ସତ୍ତା । ତାଙ୍କର ପ୍ରତ୍ୟେକଟି କବିତା ଓଡିଆ ସାହିତ୍ୟରେ ଏକ ନୂତନ ଦିଗକୁ ଉନ୍ମୋଚିତ କରିଛି । ତାଙ୍କ କବିତା ପୁସ୍ତକରେ ସେ କହିଛନ୍ତି, କବିତା ଲେଖିବା ତାଙ୍କର ଲକ୍ଷ୍ୟ ।  ଜନତାଙ୍କ ବାହା ବାହା ନେବା ତାଙ୍କ କବିତାର ଲକ୍ଷ୍ୟ ନୁହେଁ । ବରଂ ଆତ୍ମ ସନ୍ତୁଷ୍ଟି ଓ ନୂତନତା ହିଁ ଏକାନ୍ତ କାମ୍ୟ ତାଙ୍କ କବିତା ମଧ୍ୟରେ । ରମାକାନ୍ତ ରଥଙ୍କ କଥା ଆଲୋଚନା ବେଳେ ପାଶ୍ଚାତ୍ୟ ସ୍ରଷ୍ଟା ମାର୍କ ହାରିସ୍‌ଙ୍କ କଥା ମନେପଡେ । ସେ କହିଥିଲେ - ‘ମୁଁ ଲେଖେ, ପାଠକେ ପଢ଼ି ଶିଖନ୍ତୁ ।’ ବାସ୍ତବରେ କବିତାଟିଏ ସବୁଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ । ମନ ଓ ହୃଦୟ ଭିତରେ ଅନୁଭବ କରି ପାରୁଥିବା ବ୍ୟକ୍ତି ହିଁ କବିତାର ଶ୍ରେଷ୍ଠ ପାଠକ । ରମାକାନ୍ତ ରଥଙ୍କ କ୍ଷେତ୍ରରେ ଏହି କଥାଟି ସଂପୂର୍ଣ୍ଣ ପ୍ରତଫଳିତ ହୋଇଥିଲା । ଓଡିଆ ସାହିତ୍ୟରେ କବି ପଦ୍ମଶ୍ରୀ ସଚ୍ଚି ରାଉତରାୟ ଓ ଗୁରୁ ପ୍ରସାଦ ମହାନ୍ତିଙ୍କ ପ୍ରକୃତ ଉତ୍ତରସୂରୀ ଭାବେ ରମାକାନ୍ତ ରଥଙ୍କୁ ଗ୍ରହଣ କରାଯାଏ । ପାଶ୍ଚାତ୍ୟ ଉପନ୍ୟାସିକ ଡଷ୍ଟୋଭଷ୍କି ଓ କାମ୍ୟୁ ,ନାଟ୍ୟକାର ଷ୍ଟିନବର୍ଗ , ଚେକଭ୍‌, ବେକର୍ଟ ଓ ପିଣ୍ଟର , କବି ବୋଦେଲେୟାର, ରିଲ୍‌କେ, ଇଲିଅଟ ଓ ଡିଲାନଟନାସ ଭଳି ଦାର୍ଶନିକଙ୍କ ପରମ୍ପରାରେ କବି ରମାକାନ୍ତ ରଥଙ୍କୁ ବୁଝିବାକୁ ହୋଇଥାଏ । ତାଙ୍କ କବିତା ସାଧାରଣ ଆଳାପ ନୁହେଁ ବରଂ ତାହା ସ୍ୱଗତୋକ୍ତି । 
ତାଙ୍କ କବିତା ପୁସ୍ତକ ମଧ୍ୟରେ - କେତେ ଦିନର, ଅନେକ କୋଠରୀ, ସନ୍ଧିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା, ଶ୍ରୀ ପଳାତକ ଓ ଶ୍ରେଷ୍ଠ କବିତା ୧୯୯୨ ପାଠକ ମହଲରେ ଆଦୃତ ହୋଇଥିଲା । ୧୯୭୮ ମସିହାରେ ସପ୍ତମ ଋତୁ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । 

‘ଅନେକ କୋଠରୀ’ କବିତା ସଙ୍କଳନ କାଳ ଠାରୁ ରାମାକାନ୍ତ ରଥଙ୍କ କବିତା ରଚନା ଅଧିକ ଅଗ୍ରସର ହୋଇଥିଲା । ‘କେତେ ଦିନର’ କବିତା ସଂକଳନଟି ତାଙ୍କ କବି ଜୀବନର ଏକ ପ୍ରାଥମିକ ଉଦ୍ୟମ ମାତ୍ର ଥିଲା । କବିଙ୍କ ‘ଗରୁଡ’, ‘ଧର୍ମପଦର ଆତ୍ମହତ୍ୟା’ଓ ‘ଲଣ୍ଠନ’ କବିତାରେ ରମାକାନ୍ତୀୟ କ୍ଳାନ୍ତି ଓ ନୈରାଶ୍ୟ ଲକ୍ଷ୍ୟ କରାଯାଇ ନାହିଁ । କିନ୍ତୁ ସେ ଦିନ ତାର ଉତ୍ତରାର୍ଦ୍ଧ ପରେ ‘ଅଳ୍ପ ଦିନର କବିତା ସଂକଳନ’ ରେ ସମ୍ବାବନାମୟ ଭବିଷ୍ୟତକୁ ସୁସ୍ପଷ୍ଟ କରିଦେଇ ଥିଲା । ‘ଅନେକ କୋଠରୀ’ କବିତା ସଂକଳନ କବିଙ୍କୁ ଏକ ନୂଆ ଦିଗନ୍ତ ସୃଷ୍ଟି କରିବାରେ ସହାୟକ ହୋଇଥିଲା ଓ ପାଠକ ମହଲରେ ଆଲୋଡନ ଆଣିଥିଲା । ଯାହା ‘ସନ୍ଦିଗ୍ଧ ମୃଗୟା’ ଓ ‘ସପ୍ତମ ଋତୁ’ ରେ ଏକ ନୂତନ ଚେତନାକୁ ସଂପ୍ରସାରିତ କରିଥିଲା । ଏହି ଚେତନା ଥିଲା - ମୃତ୍ୟୁ । ଆଧୁନିକ ଓଡିଆ କବିତାରେ ପ୍ରଥମ ଥର ପାଇଁ କବିତା ଭିତରେ ମୃତ୍ୟୁ ଚେତନା ସ୍ଥାନିତ ହୋଇଥିଲା । ତିନୋଟି ଜିନିଷକୁ ନେଇ କବିତା ଲେଖାଯାଏ ବୋଲି ପାଶ୍ଚାତ୍ୟ କବି ‘ଦାନ୍ତେ’ କହିଥିଲେ । ତାହା ହେଲା- ଯୁଦ୍ଧ, ପ୍ରେମ ଓ ଇଶ୍ୱର । ପ୍ରଥମ ଥର ପାଇଁ ତ୍ତ୍ୱଓଡିଆ ସାହିତ୍ୟରେ କବି ରମାକାନ୍ତ ରଥ ସେ କଥାକୁ ବଦଳାଇ ଅନ୍ୟଥାରେ ପ୍ରମାଣିତ କରିଛନ୍ତି । ସମୟ ମୃତ୍ୟୁଗ୍ରସ୍ତ ନିଶ୍ଚୟ । ଏ ଭାବନାର ସ୍ରଷ୍ଟା ଥିଲେ ରମାକାନ୍ତ ରଥ । ଜୀବନ ଶୂନ୍ୟ, ବିଚ୍ଛିନ୍ନ, ଅର୍ଥହୀନ ଓ ଅପ୍ରକୃତିସ୍ଥ ବୋଲି କବି ତାଙ୍କ କବିତାରେ ବାରମ୍ବାର ପ୍ରମାଣିତ କରିଥିଲେ । ଜୀବନ କେତେବେଳେ ନିର୍ମମ ଓ ଉଦ୍ଭଟ ଏବଂ ଜୀବନ ପ୍ରତି ଅପରିସୀମ ବିତୃଷ୍ଣାରୁ ରମାକାନ୍ତ ରଥଙ୍କ କବିତାରେ ମୃତ୍ୟୁ ଚେତନାର ଜନ୍ମ ହୋଇଛି । ତାଙ୍କ କାବ୍ୟ ନାୟିକା ଆତ୍ମ ସଚେତନ ମଣିଷଟିଏ । ଆଧୁନିକ ମଣିଷର ଭାଗ୍ୟ ହିଁ ତାର ଏକମାତ୍ର ପ୍ରସଙ୍ଗ । ମୃତ୍ୟୁ ଶାଶିତ ଜୀବନର ଅସମ୍ପୂର୍ଣ୍ଣତା ସବୁ ପ୍ରକାର ଉଦ୍ୟମର ଅର୍ଥ ହୀନତା ହିଁ ମଣିଷର କପାଳ ଲିଖନ । ନିଷ୍ପଳତା ନିଶ୍ଚିନ୍ତ, ଏକଥା ଜାଣି ମଧ୍ୟ ମଣିଷ ନର୍ମମ ଉପାୟ ହୀନତା ବିରୋଧରେ ଅବିଚଳିତ ଧର୍ଯ୍ୟ ଘେନି ସଂଗ୍ରାମ କରି ଚାଲିଛି । ଶ୍ରୀ ରଥଙ୍କ କାବ୍ୟ ନାୟକଙ୍କ ଉଦ୍ୟମ ତାଙ୍କ କବିତା ‘ସନ୍ଧ୍ୟା ବେଳର ଦୃଶ୍ୟ’ରେ ସ୍ପଷ୍ଟ ପ୍ରତିଫଳିତ । ଏଥିରେ କବିଙ୍କ ଭାଷାରେ –
  “ପ୍ରତି ଋତୁଭଙ୍ଗା ହାଣ୍ଡି , ପ୍ରତି
ବର୍ଷା ଚିରା ଅଖା , ଯାକୁ ଗୋଡି ପଥରରେ 
ଭର୍ତ୍ତି କରୁଛନ୍ତି, ଏକ ପାଗଳାଖାନାରେ
ସ୍ତ୍ରୀ ଲୋକ ଶତାବ୍ଦୀର ଅନନ୍ତ ସନ୍ଧ୍ୟାରେ ।”
ଏଠି କାବ୍ୟ ନାୟକର ସମସ୍ତ ଉଦ୍ୟମ ବ୍ୟର୍ଥ, ସମୟ ଜୀର୍ଣ୍ଣ, ତାର ସଂଚୟ ନିରର୍ଥକ । ସେ ଦଃୁଖିତ କିନ୍ତୁ ସେ ସଂପୂର୍ଣ୍ଣ ନିରୁପାୟ । 
ଆଧୁନିକ ମାନବ ଜୀବନର ତୀବ୍ର ଯନ୍ତ୍ରଣାର ବୋଝ ଓ ଦହନକୁ କବି ‘ଲଣ୍ଠନ’ କବିତାରେ ପ୍ରକାଶ କରିଛନ୍ତି । ଜୀବନ ବଂଚିବା ପାଇଁ ମଣିଷ ସବୁ କରିପାରେ । ପେଟର କ୍ଷୁଧା ନିକଟରେ ବିବେକ ଓ ଆଦର୍ଶ ଆପେ ଆପେ ସ୍ଥାଣୁ ହୋଇଯାଏ । ତୀବ୍ର ଜ୍ୱଳନ ହେଉଛି ସାଂପ୍ରତିକ ଆଧୁନିକ ମଣିଷର ଏକମାତ୍ର ନିୟତି । କବିଙ୍କ ଭାଷାରେ –
“ମୁଁ ଜଳୁଛି ଓ ଜଳୁଛି ତୀବ୍ର ଦରଦରେ 
ମିଡିୟମ ଧୋତି ଏବଂ ଇସ୍ତ୍ରୀ କରା ଅଧା କାମିଜ୍‌ରେ ।” 

ଏଥିରେ ଆଧୁନିକ ମଣିଷର ଆଶା ନାହିଁ କିମ୍ବା ସ୍ୱପ୍ନ ନାହିଁ, ଅଛି କେବଳ ଶୂନ୍ୟତା । କବି ରମାକାନ୍ତ ରଥଙ୍କ କାବ୍ୟ ନାୟକ ବେଳେ ବେଳେ ମାନସିକ ରୋଗୀ ହୋଇପାରେ କିନ୍ତୁ ଆତ୍ମ ସଚେତନ ମଣିଷ । କବିଙ୍କ କାବ୍ୟ ନାୟକ ଗାଧୁଆ କୁଣ୍ଡରେ ମାଛ ନଥିବା ଜାଣି ବି ବଂଶୀ ପକାଏ । ତା ପାଇଁ ପ୍ରେମ ଜହ୍ନ ରାତିର ମାୟା ଭିନ୍ନ ଅନ୍ୟ କିଛି ହୋଇ ନପାରେ । କବିଙ୍କ ଭାଷାରେ – 
“ବେଳେ ବେଳେ ମନେହୁଏ ମୁଁ ଆକାଶ, ପ୍ରଶସ୍ତ ଅଥଚ 
ଫାଙ୍କା, ଏବଂ ଦେଖୁଅଛି ପୃଥିବୀ ଯେପରି 
ତମେ ଠିକ ସେହିପରି, ମେଲା କରିଅଛ ହାତ ମାନ, 

ଯେଉଁଠାରେ ଓହ୍ଲାଇଲେ ସେହିଠାରେ ତୁମ ଆଲିଙ୍ଗନ ।” କବିଙ୍କ ସାହିତ୍ୟରେ ଦୁଇଟି ବିଷୟ ଲକ୍ଷ୍ୟ କରାଯାଇ ଥାଏ । ଗୋଟିଏ ଅମୋଘ ମୃତ୍ୟୁ ଚେତନା ଓ ଅନ୍ୟଟି ଅକ୍ଷମ ଉତ୍ତରଣ ପ୍ରୟାସ । ବ୍ୟକ୍ତି ସତ୍ତାର ଦଃୁଖରେ କବି ସତ୍ତାର କୌତୁକ କିଛି କମ ନୁହେଁ । କବିଙ୍କ ଲିଖିତ ହୃଦୟେଶ୍ୱରୀ କବିତାରେ କବି ଦୁହେଁ ଦୁଇ ବନ୍ଧୁର ଭୂମିକାରେ ଆତ୍ମ ପ୍ରକାଶ କରି ଲେଖିଛନ୍ତି-
“ମୁଁ ଜାଣିଛି ବିଭାଘର ଆଗୁଁ କାହା ପ୍ରେମରେ ପଡିଲେ
ବା ବାକଦତ୍ତାକୁ ଛାଡି ଆଉ କାହା ସଙ୍ଗେ ଘର କଲେ
କଳାଧନ କୋଠାଘର କଲେ ବା ସୁନ୍ଦରୀ
ଭାର୍ଯ୍ୟା ସଙ୍ଗେ ଦିନ ନେଲେ ଇଶ୍ୱରଙ୍କୁ ସ୍ମରଣ ନକରି, 
ପରମାୟୁ ଅଳ୍ପ ହୁଏ ଓ ପ୍ରେତାତ୍ମା ଅଶାନ୍ତ ଭାବରେ
ବାରବର୍ଷ ପୃଥବୀରେ ଇତଃସ୍ତତ ବୁଲେ ଅନ୍ଧକାରେ
ତାହା ପରେ ବିଶା ଶହେ ବର୍ଷ ଧରି ନର୍କେ କ୍ଳେଶ ପାଏ ।”

କବିଙ୍କ କବିତା ଅତ୍ୟନ୍ତ କଳା ସଚେତନ ଧର୍ମୀ । ତାଙ୍କ କବିତାର ନାମକରଣରୁ ଏହି ଦୁର୍ଲକ୍ଷ୍ୟ ସ୍ପଷ୍ଟ ପ୍ରତଫଳିତ ହୋଇଥାଏ । କେତେକ କବିତାର ନାମ ଯେପରି – ବର୍ଷାଋତୁ, ବସନ୍ତ ଋତୁ, ଅପରାହ୍ନ, ସୂର୍ଯ୍ୟାସ୍ତରେ ଶବ ସଂସ୍କାର, ସନ୍ଧ୍ୟାବେଳର ଦୁଃଖ, ସମୟକୁ ଚାରୋଟି ଚୋରା ଚାହାଣୀ ଓ ଉଜ୍ଜ୍ୱଳ ଭବିଷ୍ୟତ ପରି ଅନେକ କବିତାରୁ କବିଙ୍କ କଳା ସଚେତନତା ପ୍ରତି ମୋହ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । କାବ୍ୟ ନାୟକ କାଳର ଅଶୁଭ ଅନୁଦାର ମୃତ୍ୟୁ ରୂପକୁ ଦେଖିଛି । ନାୟକ କାଳ ପାଇଁ କେବଳ ଅଶୁଭ ନୁହେଁ । ତାହା ବେଳେ ବେଳେ କୁତ୍ସିତ, କଦାକାର ଓ ଅକଲ୍ୟାଣକାର ମଧ୍ୟ ହୋଇଛି । 
କବି ରମାକାନ୍ତଙ୍କ କବିତାରେ ପାଶ୍ଚାତ୍ୟ ସାହିତ୍ୟ ଇଲିଅଟ୍‌ଙ୍କ ପ୍ରଭାବ ଅଧିକ ପ୍ରଭାବିତ । ସେଥିପାଇଁ କାବ୍ୟ ଏବଂ କାବ୍ୟାଦର୍ଶ ଅନୁଶୀଳନରୁ ସେ ଆତ୍ମ ସଚେତନତା, ମନନବୈଚିତ୍ର୍ୟ, ଛନ୍ଦନୈପୁଣ୍ୟ ଓ ନୈବ୍ୟକ୍ତିକତାର ଆଦର୍ଶ ଲାଭ କରିଛନ୍ତି । ଐତିହ୍ୟନିଷ୍ଠ ହୋଇଛନ୍ତି ଏବଂ ପ୍ରେମ, ମୃତ୍ୟୁ, କାଳ ଓ ବିଧାତାଙ୍କ ସମ୍ବନ୍ଧରେ ନୂଆ କରି ଭାବିଛନ୍ତି । ଅଖଣ୍ଡ ଦଣ୍ଡାୟମାନ ଶୀତଳ ମୃତ୍ୟୁ ସିନ୍ଧୁ ନିକଟରେ ସେ ରାତିଟିଏର ଅମୃତ ଅବକାଶ ପ୍ରାର୍ଥନା କରୁଛନ୍ତି । କବି ଲେଖିଛନ୍ତି-
“ଏହି ଶୀତଳ ସମୁଦ୍ର ମୁଁ ଆଜି ନଫେରେ
ତମ ନିକଟକୁ , ଆଜି ରାତିସାରା
ବୁଲୁଥାଏ କକ୍ଷଚ୍ୟୁତ ତାରାଙ୍କ ସାଙ୍ଗରେ ।”
ଦୁଃଖ ଓ ବ୍ୟର୍ଥତା ହାତରୁ ମୁକ୍ତି ମିଳେ, ପ୍ରେମର ଅପାର ଆନନ୍ଦରେ ମନପ୍ରାଣ ପୁରିଯାଏ । ହେଲେ ନିର୍ମମ ମୃତ୍ୟୁ କି, ମୁକ୍ତ ଦେବ ? ପ୍ରାର୍ଥନା ଶୁଣିବ  ? ମୃତ୍ୟୁକୁ  ଶକ୍ତି ବଳରେ ଅତିକ୍ରମ କରିବାକୁ ହୁଏ, ଅସହାୟ ପ୍ରାର୍ଥନାରେ ନୁହେଁ ।  ଶ୍ରୀ ରଥ ମୃତ୍ୟୁର କବି ହୋଇ ଥିବାରୁ ପ୍ରେମରେ ମୁକ୍ତି ଖୋଜନ୍ତି , ପ୍ରେମରେ ବାରମ୍ବାର ମୃତ୍ୟୁକୁ ବି ଭେଟନ୍ତି । ତାଙ୍କ କବିତାରେ ପ୍ରେମ ଓ ମୃତ୍ୟୁ ପରସ୍ପର ପ୍ରତିସ୍ପର୍ଦ୍ଧୀ । କବିଙ୍କ କାବ୍ୟ ନାୟିକା ବି ଏଥିରୁ ଭିନ୍ନ ନୁହନ୍ତି । କବିଙ୍କ ଶ୍ରେଷ୍ଠ କବିତା ସଂକଳନ ‘ଶ୍ରୀରାଧା’ ରେ ଚମକ୍ରାର ଭାବରେ ପ୍ରେମ ଓ ମୃତ୍ୟୁର ଭିନ୍ନତା ଲକ୍ଷ୍ୟ କରିହୁଏ । ‘ଶ୍ରୀରାଧା’ ପରି ପ୍ରଗାଢ ଉତ୍ତୀର୍ଣ୍ଣ ପ୍ରେମରେ ଦେହଜରୁ ଦେହାତୀତ ପ୍ରେମରେ କବି ମୃତ୍ୟୁକୁ ଆଉଁସି ଦେଇଛନ୍ତି । ଇହ ଜଗତ ବାହାରେ ଅବସ୍ଥିତ ଦିବ୍ୟ ଭାବ ସହିତ ଏକାକାର ହେବା ଆଧୁନିକ ଓଡିଆ କବିତାକୁ ଏକ ନୂତନ ସତ୍ତା ପ୍ରଦାନ କରିଛି । କବି ‘ଶ୍ରୀରାଧା’ କବିତାରେ ଲେଖିଛନ୍ତି-
“ମୁଁ ତୁମର ଅନ୍ୟତମ ବିଧବା ନୁହେଁକି
ତମ ଶବ ପଛେ ପଛେ ଯାଉଥିବା ଲୋକଙ୍କ ଭିତରୁ
ଜଣେ ନୁହେଁ, ତମର ଶବ ତ 
ବହୁ ଦୂର ବୃନ୍ଦାବନ ଠାରୁ  ।
ସୁନ୍ଥାରେ ସିନ୍ଦୂର ମୋର 
ଏବେ ଏବେ ବେଶି ଲାଲ ଦିଶେ
ଲୋକଙ୍କ ବିନୋଦ ପାଇଁ ନାଚିବା କୁଦିବା 
ଛାଡିଦେଇ ଆସ ବରବେଶେ ।”
ବୃନ୍ଦାବନ ନିବାସିନୀ ରାଧା ଏକ ଭିନ୍ନ ରାଧା । ରମାକାନ୍ତଙ୍କ ‘ଶ୍ରୀରାଧା’ ଗଭୀର ପୀଡାର ଓ ଆନନ୍ଦପ୍ଳୁତ ଦିବ୍ୟ ମୂର୍ତ୍ତିମନ୍ତ ପ୍ରତୀକ । ଏ ରାଧା ତାଙ୍କର ପ୍ରସାରିତ ଦୁଇ ବାହୁ ମଧ୍ୟରେ ଥିବା ଭିତରେ  ଉଦଗ୍ରୀବ ଶୂନ୍ୟସ୍ଥାନର ଶ୍ୟାମବର୍ଣ୍ଣକୁ ଦେଖି ସର୍ବାଙ୍ଗ ଶିହରିତ ହୁଏ । ଦୈତ୍ୟ ଭାବର ଅତଳତଳ ବିଶାଦ ଅଦ୍ୱୈତଭାବର ଉନ୍ମାଦକାରୀ ପୁଲକରେ ‘ଶ୍ରୀରାଧା’ ଉନ୍ମୁଖ ହୋଇଥାଏ ।

 ଜୀବନ ପ୍ରତି ଜଗତ ପ୍ରତି କବିଙ୍କ ଦୃଷ୍ଟିକୋଣ ନୈରାଶ୍ୟ ଓ ସମ୍ଭାବନାହୀନତାର ଭାବନାରେ ପ୍ରତିଷ୍ଠିତ । ସେ ନୀତିନିପୁଣ କୌଣସି କଥା ଶୁଣାଇ ନାହାନ୍ତି । ସମାଜପତି ଭାବରେ ସମାଜକୁ ଗଢିବାକୁ ଆହ୍ୱାନ ବି ଦେଇ ନାହାନ୍ତି । ଏମିତିକି ସୌନ୍ଦର୍ଯ୍ୟର ଉପାସକ ଭାବରେ କଳ୍ପନାର ରାଇଜରେ ଘୂରି ବୁଲିବାର ଇଲାକାକୁ ନେଇଯାଇନାହାନ୍ତି । ଜୀବନର ନିଚ୍ଛକ ବାସ୍ତବତାକୁ ହିଁ ପାଠକ ନିକଟରେ ଉପସ୍ଥାପିତ କରିଛନ୍ତି । ପଦ୍ମଭୂଷଣ ରମାକାନ୍ତ ରଥଙ୍କ ପାର୍ôଥବ ଶରୀର ପଂଚଭୂତରେ ଲୀନ ହୋଇ ଯାଇଛି । ଆଉ ଜଣେ ରମାକାନ୍ତଙ୍କୁ ପଂଚ ମହାଭୂତ କେବେ ବି ତିଆରି କରିପାରିବ ନାହିଁ । ମାତ୍ର ତାଙ୍କ ସୁକ୍ଷ୍ମ ଶବ୍ଦରାଜି, ମାଟି, ଆକାଶ, ପାଣି. ପବନ, ଜ୍ୟୋତିରେ ଏମିତି ମିଶି ଯାଇଛି ଯେ, ତାହା କେବଳ ଓଡିଆ ସାହିତ୍ୟରେ ନବନବ କାବ୍ୟ ନିର୍ମାତାଙ୍କୁ ତିଆରି କରିବା ସହ ଏକ ନୂଆ ରାସ୍ତା ଦେଖାଇବ । ମୃତ୍ୟକୁ ଉପାଦାନ ଭାବେ ଖୁବ ପ୍ରେମ କରନ୍ତି ବୋଧେ ରାମାକାନ୍ତ । ସେଥିପାଇଁ ସେ ହେଉଛନ୍ତି ଯୁଗାନ୍ତକାରୀ ସ୍ରଷ୍ଟା । ଜଣେ ସ୍ୱାଧୀନଚେତା ଦାର୍ଶନିକ ନିରବୀ ଯାଇଥିବା କବି ପ୍ରାଣ ଆଜି ବି ମୃତ୍ୟୁ ଚେତନାର ନୀରବ ସାଧକ ।