କଳା ବିକାଶ କେନ୍ଦ୍ରର ପ୍ରତିଷ୍ଠା ଦିବସ
ବେତନଟୀ: ବେତନଟୀ କଳା ବିକାଶ କେନ୍ଦ୍ର ୧୯୮୩ ମସିହାରେ ପ୍ରତିଷ୍ଠିତ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଏହି ପୁରାତନ ସାଂସ୍କୃତିକ ଅନୁଷ୍ଠାନର ୪୧ ତମ ପ୍ରତିଷ୍ଠା ଦିବସ ଏବଂ ସ୍ମରଣିକା ଉନ୍ମୋଚନ ଉତ୍ସବ ଅନୁଷ୍ଠାନ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବଡସାହି ବିଧାୟକ ସନାତନ ବିଜୁଳ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ସେହିପରି ବେତନଟୀ ସରକାରୀ ଏମପିସି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ଯତୀନ୍ଦ୍ର ମୋହନ ଶତପଥୀ ମୁଖ୍ୟବକ୍ତା ଭାବେ ଏବଂ ବରିଷ୍ଠ ସାମ୍ବାଦିକ ତଥା ଏହି ଅନୁଷ୍ଠାନର ଉପସଭାପତି ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଅନୁଷ୍ଠାନର ସଂପାଦକ ଡକ୍ଟର ସୁଶୀଲ କୁମାର ଘୋଷ ସଂପାଦକୀୟ ବିବରଣୀ ପାଠ କରିବା ସହିତ ଅନୁଷ୍ଠାନ ସଂପର୍କରେ ବିସ୍ତୃତ ସୂଚନା ଓ ଆବଶ୍ୟକତା ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ବିଜୟ କୁମାର ଦ୍ୱିବେଦୀ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବାବେଳେ ରାଧା ଗୋବିନ୍ଦ ସଦୁଆଲ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏଠାରେ ହିନ୍ଦୁସ୍ଥାନୀ ସଂଗୀତ ଓଡ଼ିଶୀ ନୃତ୍ୟ ଚିତ୍ରାଙ୍କନ ବାଦ୍ୟ ଯନ୍ତ୍ର ଓ ଯୋଗ ବିଷୟ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଏ ବୋଲି ସଂପାଦକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ କଳା ବିକାଶ କେନ୍ଦ୍ରର ସ୍ମରଣିକାକୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଧାୟକ ଉନ୍ମୋଚନ କରିଥିଲେ । ସର୍ବପ୍ରଥମେ ସମ୍ମାନିତ ଅତିଥି ଶ୍ରୀ ନନ୍ଦ ଗୋସ୍ୱାମୀ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଏହିଭଳି ଅନୁଷ୍ଠାନମାନଙ୍କ ମାଧ୍ୟମରେ ଉନ୍ମୋଚିତ ଓ ବିକଶିତ ହୋଇ ପାରିଥାଏ ବୋଲି କହିଥିଲେ । ଆଜିର ପିଲାମାନେ ପାରମ୍ପରିକ କଳା ଓ ସଂସ୍କୃତି ଠାରୁ ଦୂରେଇ ଯାଉଥିବା ଏବଂ ଶିଶୁ ଅବସ୍ଥାରୁ ମୋବାଇଲ ବ୍ୟବହାର କରି ଆସୁଥିବାରୁ ସେମାନଙ୍କ ମଧ୍ୟରେ କ୍ରୀଡା ଓ କଳା ସଂସ୍କୃତି ର ବିକାଶ ହୋଇ ପାରୁ ନ ଥିବାରୁ ଏଥି ପ୍ରତି ଅଭିଭାବକ ମାନେ ଯନôବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବିଜୁଳି ବେତନଟୀ ଅଞ୍ଚଳରେ ପ୍ରତିଷ୍ଠିତ ଏହି କଳା ବିକାଶ କେନ୍ଦ୍ର ୪୧ ବର୍ଷରେ ପଦାର୍ପଣ କରି ପାରି ଥିବାରୁ ଏହାର ପୃଷ୍ଠପୋଷକ ପ୍ରତିଷ୍ଠାତା ସଦସ୍ୟ ଅଞ୍ଚଳବାସୀମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହିତ ଏହାର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଏହି ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ସାର୍ଟିଫିକେଟ ପ୍ରଦାନ କରିଥିଲେ । ସେହିପରି ମୁଖ୍ୟବକ୍ତା ଯତୀନ୍ଦ୍ର ମୋହନ ଶତପଥୀଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରାଧା ଗୋବିନ୍ଦ ସଦୁଆଲ ସଂଯୋଜନା କରିଥିବାବେଳେ ଇଶ୍ୱର ଚନ୍ଦ୍ର ମହାପାତ୍ର, ଶ୍ୟାମ ପ୍ରସାଦ ମଢୁଆଳ, ସୁରମା ଓତା, ମନ୍ଦାକିନୀ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସହଦେବ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।