କାନ ଏବଂ ଶ୍ରବଣ ସୁରକ୍ଷା 

କାନ ଏବଂ ଶ୍ରବଣ ସୁରକ୍ଷା 

ନାରାୟଣ ଚନ୍ଦ୍ର ବିଶ୍ୱାଳ : ଶ୍ରବଣେନ୍ଦ୍ରିୟ ଆମ ଶରୀରର ଏକ ଅତି ସୂକ୍ଷ୍ମ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯାହାଦ୍ୱାରା ଆମେ ଶୁଣିବା ସହ ମୁଣ୍ଡର ସ୍ଥିରତା ବଜାୟ ରଖିଥାଏ । ଶୁଣିବା ଏବଂ କଥା କହିବା ଅଙ୍ଗାଙ୍ଗିଭାବେ ମଧ୍ୟ ଜଡ଼ିତ । ପିଲାବେଳରୁ ସାଧାରଣତଃ ୫୦%ରୁ ଊଦ୍ଧ୍ୱର୍ ସ୍ନାୟୁଗତ ଶ୍ରବଣ ହାନି ଥିଲେ ପିଲା କଥା କହିବା ଶିଖିପାରେ ନାହିଁ । ତା'ଠାରୁ କମ ଶ୍ରବଣ ହାନି ଥିଲେ ମଧ୍ୟ ପିଲା ଡ଼େରିରେ କହିବା ସହ ପାଟି ଲଗାଇ କହେ । ଏହାଛଡ଼ା ଯେ କୌଣସି ପ୍ରକାରର ଏବଂ ଯେ କୌଣସି ମାତ୍ରାର ଶ୍ରବଣ ହାନି ହେଲେ ମଧ୍ୟ ପିଲା ବେଳେ ଏହା ଶିଶୁର ମସ୍ତିଷ୍କ ପ୍ରଗତିରେ ବ୍ୟାଘାତ ଘଟାଇଥାଏ । ସ୍କୁଲ ପଢ଼ା ପଢ଼ିରେ ମଧ୍ୟ ବ୍ୟାଘାତ ଘଟେ । ବୟସ୍କ ମାନଙ୍କର ଶ୍ରବଣ ହାନି ହେଲେ ମଧ୍ୟ ଉଚ୍ଚାରଣଗତ ସମସ୍ୟା ହେବା ସଙ୍ଗେ ସଙ୍ଗେ ଡିମେନସିଆ ଭଳି ସ୍ନାୟୁଗତ ସମସ୍ୟା ଦେଖାଦେଇଥାଏ । କାନ ସମସ୍ୟା ହେଲେ ଶୁଣିବା ଅସୁବିଧା ହେବା ସଙ୍ଗେ ସଙ୍ଗେ ସ୍ଥଳ ବିଶେଷରେ କାନରେ ଅସ୍ୱାଭାବିକ ଶବ୍ଦ ହେବା, ମୁଣ୍ଡ ବୁଲାଇବା, କାନ କୁଣ୍ଡାଇ ହେବା, କାନ ବିନ୍ଧିବା, ବାନ୍ତି ଲାଗିବା ଅଥବା ବାନ୍ତି ହେବା, କାନ ଗରମ ଲାଗିବା ଭଳି ଲକ୍ଷଣମାନ ଦେଖାଦିଏ । ବିଭିନ୍ନ କାରଣରୁ ବିଭିନ୍ନ ପ୍ରକାରର ଶ୍ରବଣ ହାନି ପ୍ରକଟିତ ହୋଇଥାଏ । ଆଜି ଏହି ଆଲେଖ୍ୟରେ ବ୍ୟକ୍ତିର ଜୀବନ ଶୈଳୀରେ ପରିବର୍ତ୍ତନ କରି କିଭଳି ଶ୍ରବଣ ହାନି ରୋକାଯାଇପାରିବ ସେ ସମ୍ବନ୍ଧରେ ଚର୍ଚ୍ଚା କରିବା ।  ସର୍ଦ୍ଦି ଅଥବା ଭୂତାଣୁ ସଂକ୍ରମଣ ହେଉଛି ଶ୍ରବଣ ହାନିର ଏକ ମୁଖ୍ୟ କାରଣ । ଜୀବନଶୈଳୀ ପରିବର୍ତ୍ତନ କରି କିଭଳି ଏହାକୁ ରୋକାଯାଇ ପାରିବ ଆସନ୍ତୁ ସେ ବିଷୟରେ ସମ୍ୟକ ଆଲୋଚନା କରିବା । ପ୍ରଥମେ ମା'କ୍ଷୀର ଖାଇବା ବେଳେ ଶିଶୁକୁ ୪୫ ଡିଗ୍ରୀ କୋଣରେ ଧରି ଖାଇବାକୁ ଦିଅନ୍ତୁ । ରାତିରେ ଖାଇବା ସମୟରେ ଶିଶୁ ଶୋଇପଡ଼ିଲେ ଦୁଇ ତିନି ସେକେଣ୍ଡ ପାଇଁ ତା ନାକକୁ ଚାପି ଧରନ୍ତୁ । ଏହାଦ୍ୱାରା ପାଟିରେ ବଳକା କ୍ଷୀର ନରହି ପେଟକୁ ଚାଲିଯାଏ ନଚେତ ଏହି କ୍ଷୀର ପାଟିରେ ରାତି ସାରା ରହି ଗଳା ସଂକ୍ରମଣ କରି କାନକୁ ପ୍ରଭାବିତ କରେ । ଫଳରେ କାନରୁ ପାଣି ବା ପୂଜ ଦିଏ । ଏହାଛଡ଼ା ମୁଖଗହ୍ୱର ସଂକ୍ରମଣରୁ ବର୍ତ୍ତିବା ପାଇଁ ଶିଶୁର ଦୁଇ ବର୍ଷ ପରେ ନିୟମିତ ରାତିରେ ବ୍ରସ କରାନ୍ତୁ । ଥଣ୍ଡା ଜିନିଷ ଖାଇବାକୁ ବାରଣ କରନ୍ତୁ । ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବ୍ୟବହାର କରନ୍ତୁ ନାହିଁ । ରାତି ଶୋଇବା ବେଳେ କାନରେ ପଙ୍ଖା ପବନ ନ ବାଜିବା ପାଇଁ ତୁଳାବିଣ୍ଡା ଦିଅନ୍ତୁ ବା ଦୁଇ କାନକୁ କପଡ଼ାରେ ଘୋଡ଼ାଇ ରଖନ୍ତୁ । ଏହି କପଡାଟି ସମ୍ପୂର୍ଣ୍ଣ ବିଶୋଧିତ ହୋଇଥିବା ବା‚ନୀୟ । ଗାଧୋଇବା ବେଳେ କାନରେ ପାଣି ପଶିଗଲେ ତୁଳା କାଠିରେ ପୋଛି ଦିଅନ୍ତୁ ନଚେତ ଫଙ୍ଗସ୍ ସଂକ୍ରମଣ ହୋଇପାରେ । ଧୂଳିଧୂଅାଁ ଠାରୁ ଦୂରେଇ ରୁହନ୍ତୁ । ମନେ ରଖନ୍ତୁ ବିଡ଼ି ସିଗାରେଟ ଟାଣୁଥିବା ବ୍ୟକ୍ତି ଏବଂ ତାଙ୍କ ସଂସର୍ଗ ରହୁଥିବା ସମସ୍ତେ ପ୍ରଭାବିତ ହେବାର ସମ୍ଭାବନା ଅଛି ।  ଏହାଛଡ଼ା କାନର ସ୍ନାୟୁ ଦୋଷରୁ ରକ୍ଷା ପାଇବା ପାଇଁ ସାଧାରଣ ଜନତା ଖାଦ୍ୟପେୟରେ ସାବଧାନତା ଆଚରଣ କରିବା ବିଧ୍ୟେୟ । ଅଧିକମାତ୍ରା ଲୁଣ ଏବଂ ଲୁଣି ଖାଦ୍ୟ ଶରୀର ଏବଂ କାନ ପାଇଁ କ୍ଷତିକାରକ । ବର୍ତ୍ତମାନ ଖରାଦିନ ଆସିଲାଣି, ଆମ ଓଡ଼ିଆଙ୍କର ଅତି ପ୍ରିୟ ଓ ଋତୁଜନିତ ଖାଦ୍ୟ ପଖାଳ ପ୍ରତି ଅନେକଙ୍କର ଦୁର୍ବଳତା ରହିଥାଏ ତେବେ ଖରାଦିନେ ପଖାଳ ତୋରାଣି ଏବଂ ଲୁଣି ଆଚାରକୁ ଜଗନ୍ତୁ । ସେହିପରି ଏକାଥରେ ଦୁଇଗ୍ଲାସ (୬୦୦ ମି.ଲି.)ରୁ ଅଧିକ ପାଣି ପିଇବା ଉଚିତ ନୁହେଁ । ନିକୋଟିନ ଆଲକୋହଲ, ଟବାକୋ ମଧ୍ୟ କାନକୁ କ୍ଷତି ପହଞ୍ଚାଇଥାଏ । ରାତି ଅନିଦ୍ରା, ଅତ୍ୟଧିକ ଦୁଶ୍ଚିନ୍ତା, ବ୍ଲଡ଼ପ୍ରେସର, ମଧୁମେହ, ଥାଇରଏଡ଼ ରୋଗ, ଅତ୍ୟଧିକ ମୋବାଇଲ ବ୍ୟବହାର, ତୀବ୍ର ଶବ୍ଦ ମଧ୍ୟ କାନର ସ୍ନାୟୁକୁ ଖରାପ କରେ । ଅତ୍ୟଧିକ ଶବ୍ଦରୁ କାନକୁ ରକ୍ଷା କରିବା ପାଇଁ ଆତସବାଜି ଓ ଡିଜେ ଆଦି କର୍କଶ ଶବ୍ଦ ଠାରୁ ଦୂରେଇ ରହିବା ବିଧେୟ । କାରଖାନା ଶ୍ରମିକମାନେ କାର୍ଯ୍ୟସ୍ଥଳୀରେ କାନରେ ଇଅର ପ୍ଲଗ ଦେଇ କାମ କରିବା ଉଚିତ । ମୋବାଇଲ ଫୋନ ବ୍ୟବହାରକାରୀମାନେ ଯେତେ ଦୂର ସମ୍ଭବ ବ୍ଲୁଟୁଥ ବ୍ୟବହାର କମ କରିବା ଉଚିତ । ସବୁଠାରୁ ଭଲ ଲାଉଡ ସ୍ପିକର ଦେଇ ମୋବାଇଲରେ କଥା ହେବା । 
ଏହାଛଡ଼ା ସମୁଦ୍ରରେ ଗାଧୋଇବା ବେଳେ ଅଥବା ଗଭୀର ପାଣିରେ ବୁଡ଼ ମାରିବା ସମୟରେ କାନରେ ଇୟର ପ୍ଲଗ ଦେବା ବିଧ୍ୟେୟ । ନଚେତ ସମୁଦ୍ର ବାଲି କାନରେ ପଶି ଯିବାର ସମ୍ଭାବନା ଅଛି । ଗଭୀର ପାଣିକୁ ଗଲେ କାନର ପରଦା ଫାଟିଯିବାର ଯଥେଷ୍ଟ ସମ୍ଭାବନା । ହୋଲିରେ ପିଚକାରୀ ଖେଳିବା ବେଳେ ମଧ୍ୟ ଇୟର ପ୍ଲଗ ଦେବା ଆବଶ୍ୟକ । କାରଣ ବେଳେ ବେଳେ ପିଚକାରୀ ରଙ୍ଗ ପାଣି ପରଦାକୁ କଣା କରିଦେଇପାରେ । ଆହୁରି ମଧ୍ୟ ଫ୍ଲାଇଟରେ ଗଲାବେଳେ ପାଟିରେ ଚକୋଲେଟ ବା ଅନ୍ୟ କିଛି ରଖି ବାରମ୍ବାର ଛେପ ଢ଼ୋକିବା ଉଚିତ । ନଚେତ ବାୟୁର ବଦଳୁଥିବା ପ୍ରେସର ଯୋଗୁଁ କାନ ବିନ୍ଧିବା ସଙ୍ଗେ ସଙ୍ଗେ ବେଳେ ବେଳେ ପରଦା କଣା ମଧ୍ୟ ହୋଇଯାଇପାରେ । ଏହି ଢ଼ୋକିବା କେବଳ ଉଡାଜାହାଜ ଉପରକୁ ଉଠିବା ଏବଂ ଓହ୍ଲାଇବା ସମୟ ପାଇଁ । ଏହିଠାରେ କହି ରଖିବା ଉଚିତ ଯେ ଏସବୁ ସତ୍ତ୍ୱେ ଆମେ ସମସ୍ତେ କାନର ଯତ୍ନ ପାଇଁ ସପ୍ତାହରେ ଥରଟିଏ ରେକ୍ଟିଫାଏଡ଼ ସ୍ପିରିଟରେ ତୁଳାକାଠି ବୁଡ଼ାଇ କାନକୁ ପୋଛି ନେବା ଉଚିତ । 
    ଆମ ଶ୍ରବଣ ଶକ୍ତିର ସୁରକ୍ଷା ଆମର ଦାୟିତ୍ୱ । ଆମେ ସଚେତନ ହେବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ସଚେତନ କରାଇବା ଏହି ଦିବସର ଲକ୍ଷ୍ୟ ହେବା ଉଚିତ । ବିଶ୍ୱ ଶ୍ରବଣ ଦିବସ ଯାହାକି ପ୍ରତି ବର୍ଷ ମାର୍ଚ୍ଚ ତିନି ତାରିଖରେ ପଡ଼ିଥାଏ ।  ପ୍ରଥମ ବିଶ୍ୱ ଶ୍ରବଣ ଦିବସ (ୱାର୍ଲଡ଼ ହିୟରିଂ ଡେ) ଡବ୍ଲୁ୍ୟଏଚ୍ଓ ଦ୍ୱାରା ୨୦୦୭ ମସିହାରୁ ଆରମ୍ଭ ହୋଇଥିଲା । ୨୦୧୬ ମସିହା ପର୍ଯ୍ୟନ୍ତ ଏହି ଦିବସଟିକୁ ଅନ୍ତର୍ଜାତୀୟ କର୍ଣ୍ଣଯତ୍ନ ଦିବସ (ଇଣ୍ଟର ନ୍ୟାସନାଲ ଇୟର କେୟାର ଡେ) ହିସାବରେ ପାଳନ କରାଯାଉଥିଲା । ପ୍ରତି ବର୍ଷ ପରି ଚଳିତ ବର୍ଷର ଯେଉଁ ସ୍ଲୋଗାନଟି ରହିଛି ତାହା ହେଉଛି ""ମାନସିକତା ପରିବର୍ତ୍ତନ : ସମସ୍ତଙ୍କ ପାଇଁ କାନ ଏବଂ ଶ୍ରବଣ ଯତ୍ନକୁ ବାସ୍ତବତାରେ ପରିଣତ କରିବାକୁ ନିଜକୁ ସଶକ୍ତ କର ।'' ମାର୍ଚ୍ଚ ୩ (୩.୩) ପ୍ରତୀକାତ୍ମକ ଭାବରେ ଜଣଙ୍କର ଦୁଇଟି କାନକୁ ବୁଝାଇଥାଏ । ଏହାକୁ ଆଧାର କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ଦିବସକୁ ଏକ ମହାନ କାର୍ଯ୍ୟ ପାଇଁ ଉତ୍ସର୍ଗ କରିଛି । ଏହି ଦିବସ ପାଳନ କରିବାର ଉଦେ୍ଦଶ୍ୟ ହେଲା ବିଶ୍ୱରେ ଶ୍ରବଣ ସମସ୍ୟାକୁ ପ୍ରତିରୋଧ କରିବା ସଙ୍ଗେ ସଙ୍ଗେ ଜନ ସମାଜକୁ କାନର ଯତ୍ନ ନେବାରେ ବ୍ରତୀ କରିବା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ହିସାବ ଅନୁଯାୟୀ ବିଶ୍ୱରେ ପ୍ରାୟ ୩୬କୋଟି ଲୋକ ଶ୍ରବଣହାନି ସମସ୍ୟାରେ ପୀଡିତ । ଯାହା ଏକ ପ୍ରକାର ବିକଳାଙ୍ଗତା ସୃଷ୍ଟି କରିଥାଏ । ପ୍ରାୟ ୧୦୦ କୋଟିରୁ ଅଧିକ ୧୨ରୁ ୩୫ ବର୍ଷୀୟ ଯୁବକ ଯୁବତୀ ମଧ୍ୟ ବିଭିନ୍ନ ଜାତିର ତୀବ୍ର ଶବ୍ଦ ଏବଂ ମୋବାଇଲ ଭଳି ରେଡ଼ିଏସନର ପ୍ରଭାବରେ ଅଳ୍ପ ବହୁତ ପ୍ରଭାବିତ ହୋଇଥାନ୍ତି । ତେଣୁ ଏଥିରୁ ବୁଝିବାକୁ ହେବ ଯେ ସମଗ୍ର ଜନସଂଖ୍ୟାର ପ୍ରାୟ ଶତକଡ଼ା ୬ ଭାଗ ଲୋକ ବଧୀରତାର ଶିକାର ହୋଇଥାନ୍ତି । ଏହି ଅବସରରେ ସାଧାରଣ ନାଗରିକଟିଏ ଯାବତ ଜୀବନ ଶୁଣିବା ପାଇଁ କାନର କିଛି ଅସୁବିଧା ଥାଉ ବା ନଥାଉ ଶ୍ରବଣ ପରୀକ୍ଷା ବା ଅଡ଼ିଓ ମେଟ୍ରିକ କରାଇନେବା ଉଚିତ । ଏଥିପାଇଁ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ତରଫରୁ ଏହି ଦିନ ମାଗଣା ଶ୍ରବଣ ପରୀକ୍ଷାମାନ କରାଯାଉଛି । ଏଠାରେ କହିରଖିବା ଉଚିତ ଯେ କାନର କେତେକ ବିଶେଷ ଲକ୍ଷଣ ଥିଲେ ଜଣେ ନିଶ୍ଚିନ୍ତ ଭାବରେ ଶ୍ରବଣ ପରୀକ୍ଷା କରାଇନେବା ବା‚ନୀୟ । 
ମୋ : ୯୪୩୮୨୭୬୭୬୦