କାର ଚାଳକଙ୍କୁ ହତ୍ୟା ଯୋଜନା ପଣ୍ଡ; ୪ ଗିରଫ
ଭୁବନେଶ୍ୱର, ୨୦ ।୧୨ : ସାମାନ୍ୟ ଗଣ୍ଡଗୋଳକୁ ନେଇ ଜଣେ କାର ଚାଳକଙ୍କୁ ହତ୍ୟା କରିବାକୁ ଯୋଜନା ବେଳେ ଖବର ପାଇ ଯୋଜନାକୁ ପଣ୍ଡ କରିଛି ଇନଫୋସିଟି ଥାନା ପୁଲିସ । ଘର ଭିତରୁ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ଟି ସାଉଥ୍ ଖଣ୍ଡା ଜବତ କରାଯାଇଛି । ଗିରଫ ୪ ଅଭିଯୁକ୍ତ ହେଲେ, ପଟିଆ କାନନବିହାର ପୂନ୍ୟପର୍ସୁନ୍ ମହାନ୍ତି, ଖଣ୍ଡଗିରି ସତ୍ୟସାଇ ଏନକ୍ଲାବ୍ର ଶକ୍ତି ସୌରୂପ୍ ମହାନ୍ତି, ରୟାନ୍ ଜାକିର ଖାନ୍ ଓ ପଟିଆର ଭରୁଣ ରାଓ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟାହ୍ନରେ ଅଭିଯୋଗକାରୀ ସୌରଭ ପଟ୍ଟନାୟକ ନିଜର ଜଣେ ବନ୍ଧୁଙ୍କ ସହ ମିଶି ତାଙ୍କ ସ୍କର୍ପିଓ କାରରେ କିଟ୍ସ୍ଥିତ ଖାଉଗଳି ଅତିକ୍ରମ କରୁଥିବା ବେଳେ, ହଠାତ ଏକ ଛୁଆ କୁକୁର ତାଙ୍କ କାର ଆଗକୁ ଚାଲିଆସି ଧକ୍କା ହୋଇଯାଇଥିଲା । ପରେ ଅଭିଯୋଗକାରୀ କୁକୁରର ଅବସ୍ତା ଦେଖିବାକୁ ତାଙ୍କ କାରକୁ ରାସ୍ତା କଡ଼ରେ ପାର୍କି କରି ବାହାରକୁ ଆସିବା ବେଳେ, ହଠାତ ୪ ଜଣ ଅଭିଯୁକ୍ତ ଅଭିଯୋଗକାରୀ ଓ ତାଙ୍କ ବନ୍ଧୁଙ୍କୁ କାହିଁକି କୁକୁରକୁ ଧକ୍କା ଦେଲୁ କରି ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଉଭୟେ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇ ପଡ଼ିଯାଇଥିଲେ । ଏତିକି ବେଳେ ଅଭିଯୁକ୍ତ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ଖବର ପାଇ ଇନଫୋସିଟି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ଏହାପରେ ପୁଣି ଆହତ ହୋଇଥିବା ଅଭିଯୋଗକାରୀ ଓ ତାଙ୍କ ବନ୍ଧୁ ମଧ୍ୟ କିଛି ସହଯୋଗୀଙ୍କୁ ଆଣି ଅଭିଯୁକ୍ତ ମାନଙ୍କୁ ଖୋଜାଖୋଜି କରିଥିଲେ, ହେଲେ ସେମାନଙ୍କୁ ପାଇନଥିଲେ । ଏହି ଖବର ପାଇ ପୁଣି ଅଭିଯୁକ୍ତ ମାନେ ଗତକାଲି ରାତିରେ ଏକ ଘରେ ମଦ ପି ଅଭିଯୋଗକାରୀଙ୍କୁ ହତ୍ୟା କରିବା ପାଇ ଯୋଜନା କରିଥିଲେ । ଏହି ଖବର ଇନଫୋସିଟି ଥାନା ଅଧିକାରୀ ମହେନ୍ଦ୍ର ସାହୁ ଜାଣି ଘଟଣା ସ୍ଥଳରେ ଅଚାନକ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ୪ଟି ଖଣ୍ଡା ଜବତ କରାଯାଇଛି ।