କୃଷକଙ୍କୁ ଇନ୍ପୁଟ ସହାୟତା ବଣ୍ଟନ ବୈଠକ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଓସ୍ୱାନ୍ ସମ୍ମିଳନୀ କକ୍ଷଠାରେ କୃଷକ ମାନଙ୍କୁ ଧାନ ବିକ୍ରିରେ ରାଜ୍ୟ ସରକାରଙ୍କ ଇନପୁଟ ସହାୟତା କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ପ୍ରଦାନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୁ୍ୟମ୍ନ କୁମାର ରାଉତ ରାୟ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ସହାୟତା ରାଶି ପ୍ରଦାନ ପାଇଁ ଡିସେମ୍ବର ୮ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ ଜିଲ୍ଲା ସୋହେଲା ଠାରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ କୃଷକଙ୍କୁ ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରିବେ । ଏହାର ସିଧା ପ୍ରସାରଣ ସମସ୍ତ ଜିଲ୍ଲାରେ ହେବ । ନୂଆପଡ଼ା ସହର ସ୍ଥିତ ମିନି ଷ୍ଟାଡିୟମରେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ପାଇଁ ପ୍ରତ୍ୟେକ ବ୍ଲକରୁ ମିଶି ୨୦୦୦ ଜଣ ଚାଷୀ କାର୍ଯ୍ୟକ୍ରମରେ ଯୋଗଦାନ କରିବା ଲକ୍ଷ ଥିବା ବେଳେ ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଭାବରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଏବଂ ମୁଖ୍ୟ ନୋଡାଲ ଅଧିକାରୀ ଭାବରେ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ମିନି ଷ୍ଟାଡିୟମ ଠାରେ ଆଭାସି ଜରିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ କୃଷକ ମାନେ ଉପଭୋଗ କରିବେ । ସେମାନଙ୍କୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ୱନ୍ଧରେ ସଚେତନ କରିବା ପାଇଁ ବିଭିନ୍ନ ସରକାରୀ ବିଭାଗ ଷ୍ଟଲ୍ ଖୋଲିବେ । ସଭାରେ ଯୋଗଦାନ କରିବା ପାଇଁ ବିଭିନ୍ନ ଜନ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯିବ । ସମାରୋହକୁ ସଫଳ କରିବା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ସେମାନଙ୍କ ଦାୟିତ୍ୱ ଠିକ୍ ଭାବରେ ନିର୍ବାହ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ।