କେତେ ସୁରକ୍ଷିତ ଭିତରକନିକା ଜାତୀୟ ଉଦ୍ୟାନ : ମା’ ପୁଅଙ୍କ ନିଖୋଜ ଘଟଣା ଖୋଲିଲା ବନକର୍ମଚାରୀଙ୍କ ଗୁମର

ରାଜନଗରରୁ ବସନ୍ତ ହାତୀ : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି । ଭିତରକନିକାର ଜୈବବିବିଧତା, ଜୀବଜନ୍ତୁ, ଲୁଣା ଜଙ୍ଗଲ ସମଗ୍ର ବିଶ୍ୱର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ଆସୁଛି । ୧୯୯୮ ମସିହା ସେପ୍ଟେମ୍ବର ମାସରେ ଭିତରକନିକାକୁ ଜାତୀୟ ଉଦ୍ୟାନ ଘୋଷଣା ହୋଇଥିଲା । ଏତଦବ୍ୟତୀତ ଭିତରକନିକାର ପକ୍ଷୀ ସମ୍ଭାର ପାଇଁ ୨୦୦୨ରେ ରାମସର ସାଇଟର ମାନ୍ୟତା ମିଳିଲା । ଏସବୁ ସତ୍ୱେ ଭିତକନିକା ଜାତୀୟ ଉଦ୍ୟାନ ସଂପୂର୍ଣ୍ଣ ରୂପେ ଅସୁରକ୍ଷିତ ହୋଇପଡିଛି । ବିଭିନ୍ନ ସମୟରେ ଭିତରକନିକା ନଦୀନାଳରୁ ମାଛ, କଙ୍କଡା ଧରିବା, ନିଷିଦ୍ଧାଂଚଳ ମଧ୍ୟରେ ପ୍ରବେଶ କରି ବାରହା, ହରିଣ ଶିକାର କରିବା, ଲୁଣାଜଙ୍ଗଲରୁ ବିରଳ ପ୍ରଜାତିର ଗଛ କାଟିନେବା, ମହୁ ମାରିବା, ପକ୍ଷୀ ଶିକାର କରିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ଘଟଣା ଭିଗତକନିକାର ଭିତିରି କଥାକୁ ପଦାରେ ପକାଉଛି । ଚଳିତ ବର୍ଷ ସେପ୍ଟେମ୍ବର ମାସ ୩ ତାରିଖରେ ଜାତୀୟ ଉଦ୍ୟାନର ନିଷିଦ୍ଧାଂଚଳ ହାବଳଗଣ୍ଡକୁ ମାଛ ଓ କଙ୍କଡା ଧରିବାକୁ ଯାଇ ନିଖୋଜ ହେବା ଘଟଣା ସାଧାରଣରେ ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ନିଖୋଜ ମହିଳା ଅଂଜନା ମିର୍ଦ୍ଧା ଓ ତାଙ୍କ ପୁଅ ରତିନ୍ଦ୍ର ମିର୍ଦ୍ଧା ନିଖୋଜ ହେବାର ୫ଦିନ ପରେ ତାଙ୍କ ଭାଇ ଅରୁଣ ମଣ୍ଡଳ ରାଜନଗର ଥାନାରେ ଅଭିଯୋଗ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ସେହି ମାସ ୮ତାରିଖ ଦିନ ବନବିଭାଗ ସହ ଶତାଧିକ ଲୋକ ବୋଟ ଓ ଡିଙ୍ଗି ନେଇ ଜାତୀୟ ଉଦ୍ୟାନର ବିଭିନ୍ନ ନଦୀନାଳ ଓ ଜଙ୍ଗଲ ମଧ୍ୟରେ ଖୋଜାଖୋଜି କରି ମା ପୁଅଙ୍କୁ ଉଦ୍ଧାର କରି ଆଣିଥିଲେ । ଭିତରକନିକା ଭିତରେ ହେଉଥିବା ଅବୈଧ କାର୍ଯ୍ୟ ପରିଲକ୍ଷିତ ହୋଇଥିଲା । ମାଛ କଙ୍କଡା ଧରିବାକୁ ଯିବା ବେଳେ ସାଥିରେ ରାସନ ସାମଗ୍ରୀ, ପାଣି, ଶୁଖିଲା ଖାଦ୍ୟ ଆଦି ସହ କଟୁରୀ, କୁରାଢି ସାଙ୍ଗରେ ନେଇ ତିନି ଚାରିଦିନ ରହିଥାନ୍ତି । ଦୀର୍ଘ ୩/୪ଦିନ ଜଙ୍ଗଲ ଭିତରକୁ ଯିବା ଘଟଣା ବନକର୍ମଚାରୀଙ୍କ ଅଜ୍ଞାତରେ କେବେ ସମ୍ଭବ ନୁହେଁ । ନିଖୋଜ ମା ପୁଅ କଙ୍କଡା ଧରିବାକୁ ଯାଇଥିବା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଥିଲେ । ଏହି ମାଛ ଓ କଙ୍କଡା ଧରାଳୀମାନେ ବନକର୍ମଚାରୀମାନଙ୍କୁ ମାସିକିଆ ବଟି ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଜାତୀୟ ଉଦ୍ୟାନକୁ ସୁରକ୍ଷା ଦେବା ପାଇଁ ବନବିଭାଗର ଅଧିକାରୀଙ୍କଠାରୁ ଆରମ୍ଭ କରି ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଶହ ଶହ ସଂଖ୍ୟାରେ ନିଯୁକ୍ତି ପାଇଥିବା ବେଳେ, ମାଫିଆମାନଙ୍କ ଦ୍ୱାରା ନିଯୁକ୍ତ ଲୋକମାନେ କାଠ କାଟିବା, ବାରହା, ହରିଣ ଓ ପକ୍ଷୀ ଶିକାର, ମାଛ କଙ୍କାଡା ଧରିବା କିପରି ସମ୍ଭବ ହେଉଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେଉଁମାନେ ମାସିକିଆ ବଟି ନଦେଲେ ସେମାନଙ୍କୁ କର୍ମଚାରୀମାନେ ଧରିବା ପରେ କେଶ ଦେଇ ବନବିଭାଗ ବାହା ବାହା ନେଉଛି । ଭିତରକନିକା ଜାତୀୟ ଉଦ୍ୟାନ ଅସୁରକ୍ଷିତ ହୋଇ ପଡିଥିବା ବେଳେ ବନକର୍ମଚାରୀମାନେ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ରହୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏସମ୍ପର୍କରେ ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକରଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ସୂଚନା ଥାଉକି, ଜାତୀୟ ଉଦ୍ୟାନର ଆଭ୍ୟନ୍ତର ଅଂଚଳରେ ଥିବା ପ୍ରଭାତୀ ନାଳ, କଂଟିଆଖାଇ ନାଳ, ଗର୍ତ ନାଳ, କେରୁଆଁପାଳ ନାଳ, ଚାଆଁରାକୋହ୍ଲା ନାଳ, ବନିପାହି ନାଳ ଓ ଭେକ୍ଟାନାଳ ସହ ବଗୁଲି ନାଳ, ରଣହଂସୁଆ ନାଳ, ହାବଳ ନାଳ, ପୋତାବଗୁଲୀ ନାଳ, ଅଙ୍ଗାରୀ ନାଳ, ବଗପାଟିଆ ନାଳ, ବ୍ରାହ୍ମଣୀ ନାଳ, ବାଉଁଶଗଡ ନାଳ, ବେରି ନାଳ, ରାଇପାଟିଆ ନାଳ, ମଇପୁରା ନାଳ, ମଗରକନ୍ଦା ନାଳ, ଶୁଖୁଆଖଟି ନାଳ, ସାତଭାୟା ନାଳ, ଖୋଳା ନାଳ, ସୁନେଇ ନାଳ, ରୂପେଇ ନାଳ, ହାତିକେଲା ନାଳରେ ମାଛ ମାଫିଆମାନେ ଛୋଟଛୋଟ ହୁଲିଡଙ୍ଗା ସାହାଯ୍ୟରେ ଜାଲ ବସାଇ ମାଛ ଧରି ମାଲେମାଲ ହେଉଛନ୍ତି ।