କେନ୍ଦୁପତ୍ର କ୍ରୟରେ ବ୍ୟାପକ ଅନିୟମିତତା 

 ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ଆରମ୍ଭରୁ ସବୁଠୁ ବଡ ଲଘୁ ବନଜାତ ଦ୍ରବ୍ୟ କେନ୍ଦୁପତ୍ର କାରବାର ଆରମ୍ଭ ହୋଇଥାଏ । ପ୍ରତି ବର୍ଷ ଏହି କେନ୍ଦୁପତ୍ର କ୍ରୟ ପାଇଁ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ, ଆନ୍ଧ୍ରର ଶହ ଶହ ଅପରିଚିତ ଲୋକ ଆସି ବିଭିନ୍ନ ସ୍ଥାନରେ ଏହି ପତ୍ର କିଣୁଥିବା ଦେଖିବାକୁ ମିଳେ । ତେବେ ସରକାରୀସ୍ତରରେ କେନ୍ଦୁପତ୍ର କ୍ରୟ ପାଇଁ ଅନେକ ବ୍ୟବସ୍ଥା କରାଯାଇଥିବା ବେଳେ ବେସରକାରୀସ୍ତରରେ କିଛି ବ୍ୟବସାୟୀ କେନ୍ଦୁପତ୍ର ତୋଳାଳୀଙ୍କୁ ପ୍ରଲୋଭିତ କରି ତୁରନ୍ତ ଟଙ୍କା ପ୍ରଦାନର ଲୋଭ ଦେଖାଇ ଏହି କେନ୍ଦୁପତ୍ର ସ୍ୱଳ୍ପ ଦରରେ କ୍ରୟ କରୁଥିବାବେଳେ ଅପରପକ୍ଷରେ ସରକାରଙ୍କ ଲକ୍ଷ୍ୟ ପୂରଣ ହେଉ ନଥିବା ଦେଖିବାକୁ ମଳିଥାଏ । ଅନ୍ୟ ଜିଲ୍ଲାରେ ୨୨ଟି କେନ୍ଦୁପତ୍ର ଥିବା ବିଡା ୫ ଟଙ୍କାରୁ ଅଧିକରେ ବିକ୍ରି ହେଉଥିବାବେଳେ ମାଲକାନଗିରିରେ ୪୨ଟି ପତ୍ରର ବିଡା ପିଛା ୪ ଟଙ୍କା ୫୦ରେ ବିକ୍ରି ହେଉଥିବା ସୂଚନା ମିଳିଥିବାବେଳେ ତେବେ ସରକାରୀ ଦାମ ନଗଦ ୩ ଟଙ୍କା ୨୦ ଓ ବୋନସ ୨ ଟଙ୍କା ୪୦ ମୋଟ ୫ ଟଙ୍କା ୬୦ ସହ ଛତା, ଜୋତା, ପାଣି ବୋତଲ, ବୀମା ଓ ଝିଅ ବିବାହ ପାଇଁ ୨୫୦୦୦ ଟଙ୍କା ଭଳି ସୁବିଧା ଥିଲେ ମଧ୍ୟ ନଗଦ ୪ ଟଙ୍କା ପାଇବା ଆଶାରେ ଗରିବ ପତ୍ର ତୋଳାଳୀ ଶୋଷଣର ଶୀକାର ହେଉଥିବା ଅଭିଯୋଗ ହୋଇଛି ।  ପଶ୍ଚିମବଙ୍ଗ ଓ ଛତିଶଗଡ଼ର ବ୍ୟବସାୟୀ ବିନା କୌଣସି କାଗଜପତ୍ରରେ ଅନେକ ସମୟରେ ଏହି କାରବାର କରୁଥିବା ମଧ୍ୟ ନଜିର ରହିଛି । ତେବେ ୨୦୧୪ ମସିହାରେ ଓଡିଶା ସରକାର ଗ୍ରାମ ପଞ୍ଚାୟତର ଏକ ରସିଦ ବଳରେ ପତ୍ର କିଣିବାକୁ ଅନୁମତି ଦେଇଥିଲେ, କିନ୍ତୁ ପରବର୍ତ୍ତୀ ବର୍ଷ ଗୁଡିକରେ ଏହି ଆଦେଶକୁ ବର୍ଷେ ଲେଖାଏଁ ବଢେଇ ଦିଆଯାଉଥିଲା । ତେବେ ୨୦୨୫ ମସିହାରେ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ କୌଣସି ନିଦେ୍ର୍ଦଶ ଏ ପର୍ଯ୍ୟନ୍ତ ଆସି ନ ଥିବା ବେଳେ ପଞ୍ଚାୟତ ଗୁଡିକରେ ଆଗୁଆ ରସିଦ ଦେଇ ବର୍ତ୍ତମାନ ବେଆଇନ ଭାବେ ପତ୍ର କ୍ରୟ ଚାଲିଥିବା ସୂଚନା ମିଳିଛି । ଏମିତି କି କିଛି ପଞ୍ଚାୟତରେ କେବଳ ଗୋଟିଏ ସଂସ୍ଥାକୁ ପଞ୍ଚାୟତ ରସିଦ ଦେଇଥିବାରୁ ଲୋକେ ବାଧ୍ୟ ହୋଇ ଅର୍ଥ ଆଶାରେ କମ୍ ଦାମ୍ରେ କେନ୍ଦୁପତ୍ର ବିକ୍ରୟ କରୁଛନ୍ତି । ଫଳରେ ଜିଲ୍ଲାରେ ଥିବା ସରକାରୀ କେନ୍ଦୁପତ୍ର ଫଡିରେ ପତ୍ର ଆବଶ୍ୟକତା ଅନୁସାରେ ପହଞ୍ଚୁନଥିବା ଜଣାପଡିଛି । ଅପରପକ୍ଷରେ କିଛି ସ୍ଥାନରେ ବିନା କୌଣସି ରସିଦରେ କେନ୍ଦୁପତ୍ର କିଣା ଯାଉଥିବାବେଳେ ଏ ନେଇ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ବ୍ୟବସାୟୀ ଜଣଙ୍କ ଟିକସ ପଇଠ ପାଇଁ କହିବା ସତ୍ତ୍ୱେ କୌଣସି ଟିକସ ପଇଠ କରୁନଥିବା କହିଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ବ୍ୟବସାୟୀମାନଙ୍କୁ ଟିକସ ପଇଠ ପାଇଁ ନଦେ୍ର୍ଦଶ ଦେବେ ବୋଲି କହିଛନ୍ତି । ଜିଲ୍ଲାରେ ଏପରିଚିତ୍ର ଅନେକ ସ୍ଥାନରେ ଦେଖିବାକୁ ମିଳିଥିବା ବେଳେ ଏ ନେଇ ଆମେ ମାଲକାନଗିରି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରତାପ କୋତାପାଲିଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି । ଯେହେତୁ କେନ୍ଦୁପତ୍ର ଏକ ଜଙ୍ଗଲ ଜାତ ଦ୍ରବ୍ୟ, ତେଣୁ ଜିଲ୍ଲା ବନ ଅଧିକାରୀ ଏ ସବୁ କିଣା ଯାଇଥିବା ପତ୍ରକୁ ଜବତ କରି କେନ୍ଦୁପତ୍ର ବିଭାଗକୁ ହସ୍ତାନ୍ତର କରିବାକୁ ବୁଦ୍ଧିଜୀବୀମାନେ ଦାବିକରିଛନ୍ତି । ଗତ ବର୍ଷ ଜିଲ୍ଲାରେ ମାତ୍ର ୧୭ କୋଟି ଟଙ୍କାର ପତ୍ର ସରକାର କିଣିଥିବା ବେଳେ ବେସରକାରୀ ବ୍ୟବସାୟୀ ୩୯ କୋଟି ଟଙ୍କାର ପତ୍ର କିଣିଥିବା ସୂଚନା ମିଳିଛି । ତେବେ ଚଳିତ ବର୍ଷ ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପୂରଣ ହେବା କଷ୍ଟକର ବୋଲି ଜିଲ୍ଲାର ଅନେକ କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀମାନଙ୍କ ଠାରୁ ସୂଚନା ମିଳିଛି । ଜିଲ୍ଲାରେ କେନ୍ଦୁପତ୍ରକୁ ସବୁଜ ହିରା ଭାବେ ବ୍ୟବସାୟୀ କିଣି ମାଲେମାଲ ହେଉଥିବା ବେଳେ ସରକାର ଓ କେନ୍ଦୁପତ୍ର ତୋଳାଳୀ କ୍ଷତି ସହୁଥିବା ଅନୁମାନ ହେଉଛି । ତେଣୁ ଏହି ପତ୍ରକ୍ରୟ ଉପରେ ସରକାର ଦୃଷ୍ଟି ଦେଲେ ଅନେକ ରହସ୍ୟ ଉପରୁ ପରଦା ଉଠିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।