କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ବୈଠକ
ଆସିକା : ଆସିକା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ପରିଚାଳନା ପରିଷଦର ବୈଠକ ସଭାପତି ମଙ୍ଗୁଳୁ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗତ ଅକ୍ଟୋବର ମାସରୁ ପ୍ରାଥମିକ ସେବା ସମିତିର ସମ୍ପାଦକ ଓ କର୍ମଚାରୀଙ୍କ ୪ ଦଫା ଦାବି ନେଇ ବସିଥିବା ଧାରଣା ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଶେଷରେ ପାଞ୍ଚ ଗୋଟି ପ୍ରାଥମିକ ସେବା ସମିତି ତଥା ବେଲଗୁଣ୍ଠା ବ୍ଲକର କ୍ଷେତ୍ରୀବ୍ରହ୍ମପୁର, ବୋରି, ଜିଲିବା, ଶେରଗଡ଼ର ମହୁପଦର, ପାତ୍ରପୁରର ମାଉଳାଭଞ୍ଜ ସେବା ସମିତିର ସମ୍ପାଦକଙ୍କୁ ୨୩୦% ଡିଏ ହିସାବରେ ଆଗାମୀ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ ବୋଲି ଆଜି ପରିଚାଳନା ବୋର୍ଡ ଅନୁମୋଦନ ହୋଇଥିବା କୁହାଯାଇଛି । ସେହିଭଳି ଅନ୍ୟ ସେବା ସମିତିର କର୍ମଚାରୀଙ୍କ ପଦୋନ୍ନତି ମଧ୍ୟ କରାଯିବାକୁ ନିଷ୍ପତି ନିଆଯାଇଛି । ବୈଠକରେ ପୂର୍ବ ନିର୍ଦ୍ଧାରିତ ବିବରଣୀ, ଏବଂ ୧୭ ଗୋଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ରହିଥିଲା । ସମୟ ଅଭାବରୁ ପରିଚାଳନା ପରିଷଦ ବୈଠକ କୌଣସି ଏକ ଅନିବାର୍ଯ୍ୟ କାରଣରୁ ସ୍ଥଗିତ ରହିଥିଲା । ଏହି ବୈଠକରେ ବ୍ୟାଙ୍କର ବଜେଟ, ଅନ୍ୟ ବ୍ୟାଙ୍କ ସହ କାର୍ଯ୍ୟକ୍ରମ, ବଦଳି ପଲିସି, ନାବାର୍ଡ ପ୍ରଦାନ କରିଥିବା ୫୧, ୦୦୦ ଲକ୍ଷ କୃଷି ସମ୍ବନ୍ଧୀୟ ଋଣ ଉପରେ ଆଲୋଚନା, ଅନ୍ୟନ ବିଷୟ ଉପରେ ଅନ୍ୟ ଏକ ବୈଠକ ରେ ବିସ୍ତୃତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦକ ନାରାୟଣ ମାଢେଇ ପ୍ରକାଶ କରିଛନ୍ତି । ଏହି ବୈଠକରେ ସମବାୟ ବ୍ୟାଙ୍କ ସଭାପତି ମଙ୍ଗୁଳୁଧର ସାହୁ, ଉପ ସଭାପତି ଜ୍ୟୋତି ପ୍ରଭା ବାରିକ, ଜୋଶ୍ନା ଗୌଡ଼, ନାରସୁ ପ୍ରଧାନ, ଗଙ୍ଗାଧର ପାତ୍ର, ବିପିନବିହାରୀ ସ୍ୱାଇଁ, ବସନ୍ତ କୁମାର ସ୍ୱାଇଁ, କେଳା ନାୟକ, ସୁମନ୍ତ କୁମାର ବିଷୋୟୀ, ତନୁଲତା ବିଷୋୟୀ, ନନ୍ଦିନୀ ଭୂୟାଁ, ରଞ୍ଜନ ସାହୁ, ହୃଷିକେଶ ମେହେଣା, ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।