କେନ୍ଦ୍ର ଓ ରାଜ୍ୟ ବଜେଟକୁ ନେଇ ସାମ୍ବାଦିକ ସମ୍ମିଳନୀ 

କେନ୍ଦ୍ରାପଡା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆଗତ କରିଥିବା କେନ୍ଦ୍ରୀୟ ଓ ରାଜ୍ୟ ବଜେଟର ଲୋକାଭିମୁଖୀ ଜନ କଲ୍ୟାଣକାରୀ ଉପାଦେୟ ଆଭିମୁଖ୍ୟକୁ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ଓ ବୁଦ୍ଧିଜୀବୀ ସମ୍ମିଳନର ଆୟୋଜନ କରାଯାଇଥିଲା । ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ସଭାପତି ପଣ୍ଡା, ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ, ସଞ୍ଜୟ ରଥ, କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରୀୟ ବଜେଟ ଉପରେ ସମୀକ୍ଷା କରି ସାଂସଦ ଶ୍ରୀ ପଣ୍ଡା ଏହା ଏକ ଐତିହାସିକ ଭବିଷ୍ୟବାଦୀ ଓ ଦୂରଦୃଷ୍ଟି ସମ୍ପନ୍ନ ବଜେଟ ବୋଲି ଅଭିହିତ କରିବା ସହ ଓଡିଶା ଭଳି ରାଜ୍ୟର ଅଭିବୃଦ୍ଧି ଓ ବିକାଶ ଦିଗରେ ମଧ୍ୟବର୍ଗ ଜନ ସାଧାରଣ ଓ ମହିଳା ଉଦ୍ୟୋଗୀ ତଥା ଯୁବ ଉଦୋଗୀ ଓ ପଛୁଆ ବର୍ଗଙ୍କୁ ବିଶେଷ ଲାଭ ପ୍ରଦାନ କରିବ । ସେହିଭଳି ରାଜ୍ୟ ସରକାରଙ୍କ ବଜେଟ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଅସନ୍ତା ୫ ବର୍ଷ ମଧ୍ୟରେ ଜ୍ଞାନ ଭାରତମ୍ ମିଶନ, ଦକ୍ଷତା ବିକାଶ, ପିଏମ ରିସର୍ଚ୍ଚ ଫିଲୋସପି, ପିଏମ୍ ଧନଧାନ୍ୟ କୃଷି ଯୋଜନା, କିଷାନ କ୍ରେଡିଟ କାର୍ଡ ପ୍ରଚଳନ, ଲଘୁକ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ଷ୍ଟାଟସ ଗୁଡିକର ଋଣ ଗ୍ୟାରେଣ୍ଟିକୁ ୨୦ କୋଟି ଟଙ୍କା କରାଯାଇଥିବା ସୂଚନା ଦେଇଥିଲେ । ସେହିଭଳି ଶିଳ୍ପ, କୃଷି, ପର୍ଯ୍ୟଟନ ଓ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ବଜେଟରେ ଅର୍ଥ ବରାଦ କରାଯାଇଥିବାରୁ ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟ ସବୁକ୍ଷେତ୍ରରେ ବିକାଶ ଦିଗରେ ଅଗ୍ରଗତି କରିବ ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ସମାଜସେବୀ, ବୁଦ୍ଧିଜୀବୀ, ଆଇନଜୀବୀ, ଶିକ୍ଷାବିତ୍ ଯୋଗ ଦେଇଥିଲେ  ।