ଖମାନାଳକୁ ଖୋଜୁଛି ପ୍ରଶାସନ
ଆସିକା : ଗଞ୍ଜାମ ଜିଲ୍ଲା ଆସିକା ସହରର ବନ୍ୟାଜଳ ନିଷ୍କାସିତ ଖମା ନାଳକୁ ଖୋଜିବାରେ ଲାଗିପଡିଛନ୍ତି ପ୍ରଶାସନ । ସହରର ଜନ ସାଧାରଣଙ୍କୁ ବନ୍ୟା ଜଳରୁ ରକ୍ଷା କରିବା ପାଇଁ ଏହାର ବିକଳ୍ପ ବ୍ୟବସ୍ଥାର ଅନୁସନ୍ଧାନରେ ଯୁଗ୍ମ କମିଟି । ଆସିକା ସହର ମଧ୍ୟ ଦେଇ ୧୯୯୦ ମସିହା ପୂର୍ବରୁ ଖମା ନାଳ, ଟିପୁସର ନାଳ,ବାଦୁଆ ନାଳ,ଲକ୍ଷ୍ମୀ ସାଗର ମଧ୍ୟରେ ପ୍ରବାହିତ ନାଳ ମଧ୍ୟ ଦେଇ ବନ୍ୟା ଜଳ, ବର୍ଷା ଜଳ, ସହଜରେ ପ୍ରବାହିତ ହେଉଥିଲା ।
ଗତ ୦୪-୧୧-୧୯୯୦ ମସିହାର ପ୍ରଳୟଙ୍କାରୀ ବନ୍ୟା ଆସିକା ଏବଂ ଆଖ ପାଖ ଅଞ୍ଚଳର ଅନେକ ଧାନ ଜୀବନ ନଷ୍ଟ କରିଦେଲା । ଏହାପରେ ପ୍ରତି ପଞ୍ଚ ବର୍ଷ ବ୍ୟବଧାନରେ ବନ୍ୟା କିମ୍ବା ବାତ୍ୟା ହେଲେ ଆସିକା ସହର ଜଳ ମଗ୍ନ ହୋଇ ଦୁଇ -ତିନି ଦିନ ପର୍ଯ୍ୟନ୍ତ ପାଣି ଘେରରେ ରହନ୍ତି ସହର ବାସୀ । ଯାହା ଫଳରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ବାଣିଜ୍ୟ ବ୍ୟବସାୟରେ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ନଷ୍ଠ ହୋଇଥିବା ଦେଖିବାକୁ ମିଳିଛି । ୧୯୯୦ ମସିହା ବନ୍ୟା ପରଠାରୁ କାଳକ୍ରମେ କିଛି ମୁଷ୍ଟିମେୟ ଲୋକ ମାନେ ସରକାରୀ ବାବୁ ମାନଙ୍କୁ ଧରି କେତେକ ପ୍ରବାହିତ ନାଳ ଉପରେ ବଡ଼ ବଡ଼ ଅଟାଳିକା ତିଆରି କରିଥିଲେ । ଏଭଳି ବିଭିନ୍ନ ସ୍ଥାନରେ ନାଳ ଉପରେ ଘର ହେବା ଫଳରେ ବନ୍ୟା ବାତ୍ୟା ହେଲେ ଉପର ମୁଣ୍ଡର ବର୍ଷା ଜଳ କେବଳ ଗୋଟିଏ ଛୋଟ ଟିପୁସର ନାଳ ଉପରେ ଜଳ ନିଷ୍କାସନ ହେବାକୁ ଲାଗିଲା । ବିସ୍ତିର୍ଣ୍ଣ ଭାବେ ଥିବା ଚାଷ ଜମି ମାନଙ୍କର ବର୍ଷା କିମ୍ବା ବନ୍ୟା ଜଳ ଏହି ଛୋଟିଆ ନାଳ ଦେଇ ସହଜରେ ଜଳ ନିଷ୍କାସନ ନହେବା ଯୋଗୁଁ ଆସିକାରେ କୃତ୍ରିମ ବନ୍ୟା ଦେଖିବାକୁ ମିଳିଲା । ଏହି କୁତ୍ରିମ ବନ୍ୟାର ଆସୁ ସମାଧାନ ନିମନ୍ତେ ଆସିକାର ଲଢୁଆ ନେତା ତଥା ବର୍ତମାନର ବିଧାୟକ ସରୋଜ କୁମାର ପାଢ଼ୀ ନିର୍ବାଚିତ ହେବା ପର ଦିନ ଠାରୁ ଆସିକାର ଖମା ନାଳ ସମ୍ପର୍କରେ ତହସିଲଦାର, ଡ୍ରେନଜ ବିଭାଗ, ଜଳ ସମ୍ପଦ ବିଭାଗ ଏବଂ ଏନଏସିକୁ ବାରମ୍ବାର ଏ ସମ୍ପର୍କରେ ଅବଗତ କରାଇଥିଲେ । ଶେଷରେ ବିଧାନସଭାରେ ମଧ୍ୟ ପ୍ରଶ୍ନ କରିଥିଲେ ବିଧାୟକ । ଏହାକୁ ବିଚାର କରି ବୋଧେ ରାଜ୍ୟ ସରକାର ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଖମା ନାଳ ଚିହ୍ନଟ ସମ୍ପର୍କ ରେ ତଥ୍ୟ ରଖିହକୁ କହିଥିଲେ । ବାରମ୍ବାର ପ୍ରଶାସନ ପକ୍ଷରୁ ଖମାନାଳ ସମ୍ପର୍କରେ ଘଟଣା ସ୍ଥଳକୁ ଆସି ସରଜମିନ ତଦନ୍ତରୁ ଜାଣିବାକୁ ପାଇଲେ ଆସିକାରେ ଖମା ନାଳ ନାହିଁ ବୋଲି । ଏହି କଥା ବିଧାୟକ ଜାଣିବା ପରେ ପୁଣି ରାଜସ୍ୱ ମନ୍ତ୍ରୀଙ୍କୁ ଅବଗତ କରି ପୁଣି ଏକ ତଦନ୍ତ ପାଇଁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଏବଂ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଆଜି ଆସିକା ତହସିଲଦାର ସଂଗୀତା ସେନଙ୍କ ନେତୃତ୍ୱରେ ବ୍ରହ୍ମପୁର ଜଳ ନିକାସନ ବିଭାଜନର ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ କାଳୀ ଚରଣ ହୋତା, ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ବେହେରା, ଅତିରିକ୍ତ ତହସିଲଦାର ଅମରେଶ ସାବତ, ରାଜସ୍ୱ ସୁପରଭାଇଜର ବିଶ୍ୱନାଥ ଲେଙ୍କା, ସୁନୀଲ ଗୌଡ଼, ରାଜସ୍ୱ ନିରୀକ୍ଷକ ବିଷ୍ନୁପ୍ରିୟା ସାବତ, ଅମିନ ବାବୁଲା ନାୟକ, ଏନଏସିର କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମୀ ସିଂ, ସୁମନ୍ତ ସେନାପତି ଉପସ୍ଥିତ ଥିଲେ । ପ୍ରଶାସନିକ ଟିମ ତହସିଲରେ ଥିବା ମ୍ୟାପ ଧରି ଅନେକ ସ୍ଥାନ ବୁଲା ବୁଲି କରି ଖମା ନାଳକୁ ବାଦ ଦେଇ ଜଳ ନିଷ୍କାସନର ଅନ୍ୟ ଏକ ବିକଳ୍ପ ବ୍ୟବସ୍ତା ଉପରେ ବିଚାର ବିମର୍ସ କରି ଫେରିଛନ୍ତି । ଦେଖିବାକୁ ରହିଲା ପ୍ରଶାସନକୁ ଖମା ନାଳର ସନ୍ଧାନ ମିଳୁଛି ନା ଅନ୍ୟ ଏକ ନାଳ ତିଆରି ହୋଇ ବନ୍ୟା ଜଳ ନିଷ୍କାସନ ନିମନ୍ତେ ଯୋଜନା କରାଯାଉଛି ।