ଖସୁଛି ବିଜେଡ଼ି ଅତଡ଼ା; ବାନ୍ଧିବାକୁ ନେତାଙ୍କ କସରତ

ାା ପ୍ରଭାନୁ୍ୟଜ ।ା ଯାଜପୁର: ଖସୁଛି ଯାଜପୁର ବିଜେଡ଼ି ଅତଡ଼ା । ବନ୍ଧବାନ୍ଧିବାକୁ ନେତା କସରତ କରୁଥିଲେ ହେଁ ବିଜେପି ସ୍ରୋତରେ ସାମିଲ ହେବାକୁ ଗୋଡ଼ ଟେକି ରହିଛନ୍ତି ପଞ୍ଚାୟତ ପ୍ରତିନିଧି । ଯାହା ବିଜେଡ଼ି ନେତାଙ୍କ ନିଦ ହଜାଇ ଦେଇଛି । ସରକାର ବଦଳିବା ପରେ ବଦଳିବାରେ ଲାଗିଛି ପଞ୍ଚାୟତ ପ୍ରତିନିଧିଙ୍କ ମାନସିକତା । ସରକାରୀ ଦଳରେ ରହି ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସିଥିବା ପଞ୍ଚାୟତ ପ୍ରତିନିଧି ବିଜେଡ଼ିକୁ ବାଏ ବାଏ କରୁଛନ୍ତି ।
 ବିରୋଧୀ ଦଳରେ ରହି ସମସ୍ତ ପ୍ରକାର ସୁବିଧା ସୁଯୋଗ ହାତଛଡ଼ା କରିବା ଅପେକ୍ଷା ସରକାରୀ ଦଳରେ ସାମିଲ ହେବାକୁ ଆଗ୍ରହି ହୋଇ ପଡ଼ିଛନ୍ତି । ଯାହାର ଶୁଭାରମ୍ଭ ଧର୍ମଶାଳାରୁ ଆରମ୍ଭ ହୋଇ ଏବେ ବରୀକୁ ଗ୍ରାସ କରିଥିବା ବେଳେ ଆଗାମୀ ଦିନରେ ଅନ୍ୟ ବ୍ଲକକୁ ବ୍ୟାପୀ ବାକୁ ଯାଉଥିବା ବିଶ୍ୱସ୍ଥ ସୂତ୍ରରୁ ଜାଣିବାକୁ ମିଳିଛି । ମାଳମାଳ ପଞ୍ଚାୟତ ପ୍ରତିନିଧି ବିଜେପିରେ ସାମିଲ ହେବାକୁ ଅପେକ୍ଷାରେ ରହିଥିବାରୁ  ଯାଜପୁରରେ ବିଜେଡ଼ି ଅତଡ଼ା ଖସିବାରେ ଲାଗିଛି ବୋଲି ରାଜନୈତିକ ମହଲରେ ବିବେଚନା କରାଯାଉଛି । ତେବେ ଅତଡ଼ା ବାନ୍ଧିବାକୁ ନେତା କସରତ କରୁଥିଲେ ହେଁ ପଞ୍ଚାୟତ ପ୍ରତିନିଧିଙ୍କ ଉପରେ ଏହାର ପ୍ରଭାବ ପକାଇ ପାରୁନି । ଯାହା ବିଜେଡ଼ି ନେତାଙ୍କୁ ଘୋର ଚିନ୍ତାରେ ପକାଇ ଦେଇଛି । ୨୪ବର୍ଷର ବିଜେଡ଼ି ସରକାର ସମୟରେ ଯାଜପୁର ଦୀର୍ଘବର୍ଷ ଧରି ପାୱାର କେନ୍ଦ୍ର ଭାବେ ପରିଚିତ ଥିଲା । ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ ହୁଅନ୍ତୁ ବା ସ୍ୱର୍ଗତ କଳ୍ପତରୁ ଦାସ ଏବର ପ୍ରଣବ ପ୍ରକାଶ ଦାସ ବିଜେଡ଼ିର ଜଣେ ଜଣେ ପ୍ରଭାବଶାଳୀ ନେତା ଥିଲେ । ସ୍ୱର୍ଗତ ଦାସଙ୍କ ପରେ ପ୍ରଣବ ବିଜେଡ଼ିର ପ୍ରଭାବଶାଳୀ ନେତା ଭାବେ ନିଜକୁ ପ୍ରତିପାଦିତ କରି ସାରା ରାଜ୍ୟରେ ପ୍ରଭାବ ବିସ୍ଥାର କରିପାରିଥିଲେ । କିନ୍ତୁ ସମୟ କ୍ରମେ ସରକାର ବଦଳିବା ପରେ କମିଯାଇଛି ପ୍ରଣବଙ୍କ ଦବଦବା । ଯାହାର ସିଧା ପ୍ରଭାବ ପଞ୍ଚାୟତ ପ୍ରତିନିଧିଙ୍କ ଉପରେ ପଡ଼ିବାରେ ଲାଗିଛି । ପ୍ରଣବ ଖସୁଥିବା ବିଜେଡ଼ି ଅତଡ଼ାକୁ ବାନ୍ଧିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଥିଲେ ହେଁ ସଫଳ ହୋଇପାରୁ ନାହାନ୍ତି । ଧର୍ମଶାଳାରୁ ଆରମ୍ଭ ହୋଇଥିବା ଅତଡ଼ା ଖସା ପର୍ବ ବରୀରୁ ଖୁବଶୀଘ୍ର ରସୁୁଲପୁର ବ୍ଲକକୁ ଲମ୍ବିବାକୁ ଯାଉଥିବା ସୂତ୍ରରୁ ଜାଣିବାକୁ ମିିିିଳିଛି । ଆମକୁ ଅସମର୍ଥିତ ସୂତ୍ରରୁ ଜାଣିବାକୁ ଯାହା ମିଳିଛି, ତାହା ହେଲା ନିକଟପାଖରେ ରସୁଲପୁର ବ୍ଲକ ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀରେ ଆସୁଥିବା ୧୦ ପଞ୍ଚାୟତରୁ ଅର୍ଦ୍ଧାଧିକ ପଞ୍ଚାୟତ ପ୍ରତିନିଧି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଏନେଇ ଦିନଧାର୍ଯ୍ୟ ହୋଇସାରିଥିବା ସୂତ୍ରରୁ ଜାଣିବାକୁ ମିଳିଛି । କେବଳ ବରୀ ନିର୍ବାଚନ ମଣ୍ଡଳୀ ନୁହେଁ କୋରେଇ ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତ ପ୍ରତିନିଧି ବିଜେପିରେ ସାମିଲ ହେବାକୁ ଯୋଗାଯୋଗରେ ରହିଛନ୍ତିି । ଯେଉଁ ମାନେକି କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ସଙ୍କେତକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବରୀ ବିଧାୟକ ବିଶ୍ୱରଞ୍ଜନ ମଲିକଙ୍କୁ ଆଉ ଏକ ଶକ୍ତ ଝଟକା ସପ୍ତାହକ ମଧ୍ୟରେ ଲାଗିବାକୁ ଯାଉଛି । ନିର୍ବାଚନ ମଣ୍ଡଳୀର ୧୦ ଗୋଟି ପଞ୍ଚାୟତ ମଧ୍ୟରୁ ସର୍ବାଧିକ ପଞ୍ଚାୟତ ପ୍ରତିନିଧି ଉଭୟ ସରପଞ୍ଚ ଏବଂ ସମିତିସଭ୍ୟ ବିଜେପି ସହ ଯୋଗସୂତ୍ରରେ ରହିଛନ୍ତି । ଚଳିତମାସ ୧୬ ତାରିଖରେ ବରୀ ବ୍ଲକ ଅଧ୍ୟକ୍ଷ ସମେତ ୧୮ପଞ୍ଚାୟତ ପ୍ରତିନିଧି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମଧରି ବିଶ୍ୱଙ୍କୁ ଯେଉଭଳି ଜବର ଝଟକା ଦେଇଥିଲେ, ସେମିତି ଧକ୍କା ରସୁଲପୁର ବ୍ଲକ ପଞ୍ଚାୟତ ପ୍ରତିନିଧି ଦେବା ଅପେକ୍ଷାରେ ରହିଛନ୍ତି । ରାଜ୍ୟରୁ ସବାଧିକ ଭୋଟରେ ବିଜୟୀ ହୋଇଥିବା ବିଶ୍ୱ ୧୬ତାରିଖ ଘଟଣା ପରେ ଚେଇଁ ଉଠିବା ପୂର୍ବକ ବନ୍ଧ ବାନ୍ଧିବାକୁ ଉଦ୍ୟମ କରୁଥିଲେ ହେଁ ତାଙ୍କୁ ପଞ୍ଚାୟତ ପ୍ରତିନିଧି ଧରାଛୁଅାଁ ଦେଉନାହାନ୍ତି ।  ବିଶ୍ୱଙ୍କ ସମସ୍ତ ଗୋଟି ଚାଳନାକୁ ଭଣ୍ଡୁର କରିବାକୁ ବିରୋଧୀ ଗୋଷ୍ଠୀ ପୁରାଦମରେ ଲାଗିପଡ଼ିଛନ୍ତି । ବିଜେପିର ଗୋଟି ଚାଳନା ବିଜେଡ଼ିକୁ ଅସ୍ତବ୍ୟସ୍ତ କରି ପକାଇଥିବା ବେଳେ ଗଲାମାସ ୨୮ତାରିଖରେ ମାଷ୍ଟର ଷ୍ଟ୍ରୋକ ଖେଳି ଅଭିଯାନ ଆରମ୍ଭ କରିଥିବା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପ୍ରାକ୍ତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଖାସ ଅନୁଗତ ପଞ୍ଚାୟତ ପ୍ରତିନିଧିଙ୍କୁ ବିଜେପିରେ ସାମିଲ କରାଇବାରେ ଲାଗିଛନ୍ତି । 
ପୂର୍ବରୁ ୨୧ ପଞ୍ଚାୟତ ପ୍ରତିନିଧିଙ୍କୁ ବିଜେପିରେ ସାମିଲ କରି ଅତଡ଼ା ଖସାଇଥିବା ହିମାଂଶୁଙ୍କ ଉପସ୍ଥିତିରେ ଜଣ ଜଣ କରି ପଞ୍ଚାୟତ ପ୍ରତିନିଧି ସାମିଲ ହେଉଛନ୍ତି । ଯାହାକୁ ରୋକିବାକୁ ପ୍ର୍ରାକ୍ତନ ବିଧାୟକ ପ୍ରଣବ ବଳବନ୍ତରାୟ ସମର୍ଥ ହେଉନାହାନ୍ତି । ଧର୍ମଶାଳା, ବରୀ ପରେ ଅନ୍ୟ କାହାର ପାଳି ତାହାକୁ ରାଜନୈତିକ ମହଲ ଅନାଇ ରହିଥିବା ବେଳେ ଯାଜପୁର ହେଉ କି ବିଞ୍ଝାରପୁର ବା ସୁକିନ୍ଦା ପାଳି ପଡ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବନି ବୋଲି ଆଲୋଚନା ହେଉଛି । ବିଞ୍ଝାରପୁର ବିଧାୟକ ପ୍ରମିଳା ମଲିକଙ୍କ ଦବଦବା ରହିଥିବା ସତ୍ୱେ ବିଜେପି ତାଙ୍କୁ ଯେଭଳି କାଉଣ୍ଟର କରୁଛି, ତାହା କୌଣସି ସମୟରେ ବଡ଼ଧରଣର ଗଡ଼ବଡ଼ ଘଟିବାର ସଙ୍କେତ ଦେଉଛି । ସୁକିନ୍ଦାରେ ସେଭଳି କିଛି ଆଭାସ ଏଯାବଦ ମିଳିପାରିନଥିଲେ ହେଁ ବିଧାୟକ ବା ମନ୍ତ୍ରୀ ସୁସ୍ଥ ହୋଇ ଫେରିବାକୁ ଅପେକ୍ଷା ରହିଛି ।