ଗଲ୍ଫ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ
ପାରାଦୀପ : ପାରାଦୀପ ପୋର୍ଟ ଗଲ୍ଫ କୋର୍ସରେ ମାର୍ଚ୍ଚ ୧ଓ ୨ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ପାରାଦୀପ ଗଲ୍ଫ କ୍ଲବ୍ର ବାର୍ଷିକ ନିମନ୍ତ୍ରଣୀୟ ଗଲ୍ଫ ଟୁର୍ଣ୍ଣାମେଣ୍ଟ ରବିବାର ସନ୍ଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ପାରାଦୀପ ଗଲ୍ଫ କ୍ଲବ୍ ଓ ପାରାଦୀପ ବନ୍ଦର କ୍ରୀଡ଼ା ପରିଷଦ ମିଳିତ ଆନୁକୂଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟର କୃତୀ ପ୍ରତିଯୋଗୀମାନଙ୍କୁ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ୍ ହରନାଦ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ଗଲ୍ଫ କ୍ଲବ୍ର ଅଜୟ କୁମାର ସାହୁ ଗ୍ରସ୍ ଚାମ୍ପିଅନ୍ ହୋଇଥିବା ବେଳେ ପାରାଦୀପ ଗଲ୍ଫ କ୍ଲବର ଅକ୍ଷୟ ଚନ୍ଦ୍ର ସୁତାର ହ୍ୟାଣ୍ଡିକ୍ୟାପ୍ (୦-୧୨)ରେ ଚାମ୍ପିଅନ ହୋଇଥିଲେ । ସେହିଭଳି ପାରାଦୀପ ଗଲ୍ଫ କ୍ଲବ୍ର ଓସ୍କାର ଡୁଙ୍ଗ୍ଡୁଙ୍ଗ୍ ହ୍ୟାଣ୍ଡିକ୍ୟାପ (୧୩-୧୮)ରେ ଓ ଭୁବନେଶ୍ୱର ଗଲ୍ଫ କ୍ଲବ୍ର ଦେବୀ ପ୍ରସାଦ ଶତପଥୀ ହ୍ୟାଣ୍ଡିକ୍ୟାପ୍ (୧୯-୨୪)ରେ ଚାମ୍ପିଅନ ହୋଇଥିଲେ । ଲେଡିଜ ପୁଟିଂ କ୍ୟାଟେଗୋରିରେ ପାରାଦୀପ ଗଲ୍ଫ କ୍ଲବ୍ର ଆଞ୍ଜେଲା ଡୁଙ୍ଗ୍ଡୁଙ୍ଗ୍ ଚାମ୍ପିଅନ୍ ହୋଇଥିଲେ । ପାରାଦୀପ ଗଲ୍ଫ କ୍ଲବ୍ର ସଭାପତି ବବୁଲ ସିକଦାର, ସମ୍ପାଦକ ମନୋଜ ମହନ୍ତ, ପାରାଦୀପ ଗଲ୍ଫ କ୍ଲବର କ୍ୟାପ୍ଟେନ୍ ଅକ୍ଷୟ ଚନ୍ଦ୍ର ସୁତାର ଓ ଗୋପବନ୍ଧୁ କ୍ରୀଡା ସଂସଦ, ପାରାଦୀପର କାର୍ଯ୍ୟକାରୀ ସଭାପତି ଡାକ୍ତର ଦୁର୍ଗା ପ୍ରସାଦ ସେଠୀ ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।