ଗାନ୍ଧିଙ୍କ ମହାପ୍ରୟାଣ ଦିବସରେ କବିତା ପାଠୋତ୍ସବ

 ବେତନଟୀ:  ଜାତିର ପିତା ମହାତ୍ମାଗାନ୍ଧିଙ୍କ ମହାପ୍ରୟାଣ ଦିବସରେ ବେତନଟୀର ମୟୂର ସାହିତ୍ୟ ସଂସଦ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠୋତ୍ସବ ସ୍ଥାନୀୟ ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଗାନ୍ଧିଜୀଙ୍କ ପ୍ରିୟ ଭଜନ "ବୈଷ୍ଣବ ଜନତୁ’ ସମୂହ ଗାନ କରାଯାଇଥିଲା । ଶିଶୁଶିଳ୍ପୀ ଇଶାନୀ ସିଂହ ଜାତୀୟ ସଂଗୀତ ଗାନ କରିଥିଲେ । ସଂସଦର କାର୍ଯ୍ୟକାରୀ ସଭାପତି ସାହିତିକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେତନଟୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ରମାକାନ୍ତ ସିଂହ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । କବିୟତ୍ରୀ ସବିତା ମହାନ୍ତିଙ୍କ ସଂଯୋଜନାରେ ଅନେକ କବିକବୟତ୍ରୀ ସ୍ୱରଚିତ କବିତାମାନ ପାଠ କରିଥିଲେ ।  ଦେଶାତ୍ମବୋଧକ ଓ ବାପୁଜୀଙ୍କ ଜୀବନର ଘଟଣାବଳୀ ଉପରେ ତଥା ଶୀତ ଋତୁକୁ ମେଲାଣି ପୂର୍ବକ ବହୁ କବିତା ଆବୃତ୍ତି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କବି ମୀନକେତନ ମହାନ୍ତି, ସଂସଦର କା ସଭାପତି ସଚ୍ଚିଦାନନ୍ଦ ମହାନ୍ତି, ସଂପାଦକ ଯତୀନ୍ଦ୍ରନାଥ ସାହୁ, ସଂସଦର ପତ୍ରିକା ବନ ମୟୂରୀ  ସଂପାଦକ ନୀରୋଦ ସୁନ୍ଦର ଜେନା, କଳାବିକାଶ କେନ୍ଦ୍ରର ସଭାପତି ବିଜୟ କୁମାର ଦ୍ୱିବେଦୀ, ସଂସଦର ପୂର୍ବତନ ସଭାପତି ବାସୁଦେବ ନାପିତ, କବି ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ, କବୟିତ୍ରୀ ସବିତା ମହାନ୍ତି, ସୌଦାମିନୀ ମିଶ୍ର, ସହଦେବ ଗିରି, ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ଓତା, ଉପସଭାପତି ଗୌତମ ଚନ୍ଦ୍ର ବେହେରା, ସମାଜସେବୀ ରବିନ୍ଦ୍ର ନାଥମିଶ୍ର, ରବିନ୍ଦ୍ର ନାଥଖଟୁଆ, ପ୍ରକୃତିମିତ୍ର ଶଶିଭୂଷଣ ବେହେରା ଆଦି ସଭାରେ ଉପସ୍ଥିତ ଥିଲେ । ଆଗାମୀ ଅପ୍ରେଲ ୨୦ତାରିଖରେ ସଂସଦର ବାର୍ଷିକ ଉତ୍ସବ ପାଳନ କରାଯିବ ଏବଂ ଏଥିନିମନ୍ତେ ଆଗାମୀ ଫେବୃଆରୀ୨୮ ତାରିଖ ସୁଦ୍ଧା ପତ୍ରିକା ନିମନ୍ତେ ପ୍ରବନ୍ଧ ଓ କବିତା ଆହ୍ୱାନ କରାଯାଇଥିଲା । ଶେଷରେ ଉପସଭାପତି ସହଦେବ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।