ଗୀତାରେ ଯୋଗ ପ୍ରସଙ୍ଗ

ଡା.ଅର୍ଚ୍ଚନା ମିଶ୍ର : ‘ତପସ୍ୱିଭ୍ୟୋଽଧିକୋ ଯୋଗୀଜ୍ଞାନୀଭ୍ୟୋଽପି ମତୋଽଧିକଃ । କର୍ମ୍ମିଭ୍ୟଶ୍ଚାଧିକୋ ଯୋଗୀ ତସ୍ମାଦ୍‌ଯୋଗୀ ଭବାର୍ଜ୍ଜୁନ ।' ହେ ଅର୍ଜ୍ଜୁନ! ତପସ୍ୱୀ, ଜ୍ଞାନୀ କର୍ମୀ ଏ ସମସ୍ତଙ୍କଠାରୁ ଯୋଗୀ ଶ୍ରେଷ୍ଠ ଅଟନ୍ତି । ଯୋଗାଭ୍ୟାସ ଦ୍ୱାରା ହିଁ ପ୍ରକୃତ ଜ୍ଞାନ ଉତ୍ପନ୍ନ ହୁଏ । ଅତଏବ ତୁମ୍ଭେ ଯୋଗୀ ହେବା ପାଇଁ ଯତ୍ନଶୀଳ ହୁଅ । ଭଗବଦ୍‌ ଗୀତା ହେଉଛି ବିଶ୍ୱର ଅନ୍ୟତମ ବହୁଳ ଆଦୃତ ଏକ ମହତ୍ତ୍ୱପୂର୍ଣ୍ଣ, ପୂର୍ଣ୍ଣାଙ୍ଗ ଆଧ୍ୟାତ୍ମିକ ଗ୍ରନ୍ଥ, ଯାହା ଜାତି ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ କୋଟି କୋଟି ଲୋକଙ୍କୁ ଯୁଗ ଯୁଗରୁ ଭଗବତ୍‌ ପ୍ରେରଣା ଯୋଗାଇ ଆସୁଛି । ଏହା ଏକ ଅତ୍ୟନ୍ତ ସରଳ ପବିତ୍ର ମୌଳିକ ଯୋଗଗ୍ରନ୍ଥ । ଏହି ଗ୍ରନ୍ଥ ପୂର୍ଣ୍ଣାଙ୍ଗ ଜୀବନ ନିମନ୍ତେ ଯୋଗର ମୁଖ୍ୟ ମାର୍ଗଗୁଡ଼ିକ ପ୍ରଦର୍ଶନ କରିଥାଏ । ଗୀତାର ଉଲ୍ଲେଖ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ବିନା ଅସ୍ତ୍ରରେ ଅର୍ଜ୍ଜୁନଙ୍କ ସାରଥି (ମାର୍ଗଦର୍ଶକ) ରହି ପ୍ରକୃତ ପକ୍ଷେ ତାଙ୍କର ଗୁରୁ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଯୁଦ୍ଧକ୍ଷେତ୍ରରେ ଯୋଗେଶ୍ୱର ଶ୍ରୀକୃଷ୍ଣ ପରମ ଶିଷ୍ୟ ଅର୍ଜ୍ଜୁନଙ୍କୁ ଅଠର ଅଧ୍ୟାୟରେ ଅଠରଟି ଯୋଗକଥା ବୁଝାଇଛନ୍ତି । ସେଥିମଧ୍ୟରୁ ମୁଖ୍ୟ ଯୋଗ ଚାରୋଟି ଯଥା - କର୍ମଯୋଗ, ଭକ୍ତିଯୋଗ, ଜ୍ଞାନଯୋଗ ଏବଂ ରାଜଯୋଗ । ଗୀତାରେ ଭଗବାନ ଭିନ୍ନ ଭିନ୍ନ ସ୍ଥିତିରେ ଏହି ଚାରି ପ୍ରକାର ଯୋଗର ସଠିକ ପ୍ରୟୋଗ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । 

    ପ୍ରକୃତରେ ଶ୍ରୀମଦ୍‌ ଭଗବଦ୍‌ ଗୀତା ଯୋଗ ବିଜ୍ଞାନର ବ୍ୟାଖ୍ୟା କରୁଥିବା ଏକ ଅତୁଳନୀୟ ଗ୍ରନ୍ଥ, ଏଥିରେ କୌଣସି ସନ୍ଦେହ ନାହିଁ । ଗୀତା ଭଳି କୋରାନ୍‌ ଏବଂ ବାଇବେଲ ଦୁଇଟି ଗ୍ରନ୍ଥ ରହିଛି, ମାତ୍ର ସବୁ ଶ୍ରେଣୀୟ ମନୁଷ୍ୟର ଆଧ୍ୟାତ୍ମିକ କ୍ଷୁଧା ସେ ଦୁଇ ଗ୍ରନ୍ଥ ମେଣ୍ଟାଇ ପାରିବ ନାହିଁ । ସେ କ୍ଷୁଧା ମେଣ୍ଟାଇବାର କ୍ଷମତା କେବଳ ଅଛି ଶ୍ରୀମଦ୍‌ ଭଗବଦ୍‌ ଗୀତାର କାରଣ ଏଥିରେ ସମଗ୍ର ବେଦ ଏବଂ ଉପନିଷଦର ସାରସଂଗ୍ରହ ସ୍ଥାନ ପାଇଛି । ଶ୍ଲୋକ ଅଛି - "ସର୍ବୋପନିଷଦୋ ଗାବେ ଦୋଗ୍‌ଧା ଗୋପାଳ ନନ୍ଦନଃ । ପାର୍ଥୋ ବତ୍ସଃ ସୁଧୀର୍ଭୋକ୍ତା ଦୁଗ୍‌ଧଂ ଗୀତାମୃତଂ ମହତ୍‌ ।' ଅର୍ଥାତ୍‌, ସକଳ ଉପନିଷଦ ହେଉଛନ୍ତି ବିଭିନ୍ନ ଗାଈ, କୃଷ୍ଣ ହେଉଛନ୍ତି ଗାଈ ଦୁହୁଁଥିବା ଗୋପାଳ ବାଳକ, ପାର୍ଥ ହେଉଛନ୍ତି ବାଛୁରୀ, ଶୁଦ୍ଧ ବୁଦ୍ଧିପ୍ରାପ୍ତ ମନୁଷ୍ୟମାନେ ହେଉଛନ୍ତି ଦୁଗ୍‌ଧପାନ କରୁଥିବା ବ୍ୟକ୍ତି ଓ ଗୀତା-ଅମୃତ ହେଉଛି ଦୁଗ୍‌ଧ । ଏ ଗ୍ରନ୍ଥ ବେଦୋକ୍ତ ଜ୍ଞାନଧର୍ମର, ଯୋଗଧର୍ମର ଏବଂ ଭକ୍ତିଧର୍ମର ଚର୍ଚ୍ଚା କରେ । ଗୀତାର ପ୍ରତିଶ୍ଲୋକ ଗୂଢ଼ତତ୍ତ୍ୱ ସମନ୍ୱିତ ଏବଂ ମନ୍ତ୍ରାତ୍ମକ, ଯାହାକୁ କେବଳ ପାଠକଲେ ଅଶେଷ ମଙ୍ଗଳ ସାଧିତ ହୁଏ । ଯୁଦ୍ଧଭୂମିରେ ସ୍ୱୟଂ ଯୋଗେଶ୍ୱର ଭଗବାନଙ୍କ ଶ୍ରୀମୁଖରୁ କୁହାଯାଇଥିବା ଏହି ଜ୍ଞାନ ଆଜିର ଅନ୍ତଦ୍ୱର୍ନ୍ଦ୍ୱପୂର୍ଣ୍ଣ ମାନସିକ ଅବସ୍ଥାର ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଉପଯୋଗୀ । ସମଗ୍ର ଗୀତାର ଆଲୋଚନା ତ ପରେ ଅଛି, ଗୀତାର ପ୍ରଥମ ଧାଡ଼ି ପ୍ରଥମ ଶ୍ଲୋକର କେତୋଟି ଶବ୍ଦକୁ ଦେଖନ୍ତୁ, ଆରମ୍ଭରୁ ହିଁ ଏଇ ଯୋଗବିଜ୍ଞାନ ବ୍ୟାଖ୍ୟା ସ୍ଥାନ ପାଇଛି । "ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ'- ଧର୍ମକ୍ଷେତ୍ର କୁରୁକ୍ଷେତ୍ର କ'ଣ ଅଲଗା? ସେଇ ଏକା କ୍ଷେତ୍ର । ଧର୍ମ ପାଖରେ ଥିବା କ୍ଷେତ୍ରଟିକୁ ଉଠାଇ ଦେଲେ ହେବ ଧର୍ମ କୁରୁ କ୍ଷେତ୍ରେ କ୍ଷେତ୍ରେ । ତା ଅର୍ଥ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଧର୍ମ କର । ଧର୍ମକୁ ସ୍ମରଣ ରଖ ଓ ଧର୍ମ ପାଳନ କର । ଧର୍ମ କ'ଣ? ଧର୍ମ ଅର୍ଥାତ୍‌ ଜୀବନର ଉଦ୍ଦେଶ୍ୟ । ପ୍ରତ୍ୟେକ ବ୍ୟକ୍ତି କୌଣସି ବିଶେଷ ଉଦ୍ଦେଶ୍ୟ ନେଇ ପୃଥିବୀକୁ ଆସିଛି । ଐଶ୍ୱରିକ ଯୋଜନାରେ ସେ ନିଜର ବିଶେଷ ଯୋଗଦାନ ପ୍ରସ୍ତୁତ କରିବା ଦରକାର । ସେ ଏହାକୁ ନିଜର ବିଶେଷ ଉପାୟ ମାଧ୍ୟମରେ କରିଥାଏ । ଏହା ହିଁ ତାହାର ଧର୍ମ । ଏହି ଧର୍ମ ସିଦ୍ଧାନ୍ତର ତିନିଗୋଟି ପକ୍ଷ ରହିଛି । ପ୍ରଥମତଃ ଆମେ ଆମର ବାସ୍ତବ ସ୍ୱରୂପକୁ ଖୋଜିବା । ଏହା ଆବଶ୍ୟକ ରୂପେ ଏହି ଶରୀରରେ ପ୍ରସୁପ୍ତ ଦିବ୍ୟତାର ଭ୍ରୂଣ ଏବଂ ଏହାକୁ ବିକଶିତ କରିବାକୁ ପଡ଼ିବ । 


   ଦ୍ୱିତୀୟତଃ ଆମେ ଆମର ବିଶେଷ ଗୁଣ ପ୍ରତିଭାକୁ ବିକଶିତ କରିବାକୁ ହେବ । ଏ ବ୍ରହ୍ମାଣ୍ଡରେ ଅନ୍ୟ କେହି ଅଧିକ ଉତ୍ତମ ରୂପେ ଏହି କାମ କରିପାରିବ ନାହିଁ । ତୃତୀୟ ପକ୍ଷ ମାନବତାର ସେବା । ନିଜର ଗୁଣ ପ୍ରତିଭା ଏବଂ ମାନବତାର ସେବା ସହିତ ଧର୍ମ ସିଦ୍ଧାନ୍ତର ପୂର୍ଣ୍ଣ ଉପଯୋଗ ହୋଇଥାଏ । ଆପଣମାନେ ଜାଣନ୍ତି ଜୀବନର ପ୍ରତ୍ୟେକ ଅଙ୍ଗରେ ଦିନଚର୍ଯ୍ୟାରେ, ପ୍ରତ୍ୟେକ କ୍ରିୟାକଳାପରେ ଯୋଗ, ଧର୍ମ ଭାବନାର ବା ଆଲୋକର ସମାବେଶ ଭାରତୀୟ ଧର୍ମ ଏବଂ ସଂସ୍କୃତିର ବିଶେଷତ୍ୱ ଅଟେ । ଧର୍ମ ଭାବନାକୁ ଜୀବନ ସହିତ ଯୋଗ କରିବାର ତାତ୍ପର୍ଯ୍ୟ ହେଉଛି ଜୀବନ ପାଇଁ ଈଶ୍ୱରଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବାର ଭାବନା । ଏପରି ଭାବନା ରହିଲେ ବ୍ୟକ୍ତି ତାହାର ଜୀବନକୁ ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ବରଦାନ ମନେକରି କାମ କରେ । ଏହି ତଥ୍ୟ ନିରନ୍ତର ସ୍ମରଣ କରିବା ପାଇଁ ଗୀତାର ପ୍ରଥମ ଶ୍ଲୋକର ପ୍ରଥମ ଧାଡ଼ିର ଶବ୍ଦ କେତୋଟି ସୂଚନା ଦିଏ । ପ୍ରଥମ ଧାଡ଼ିପରି ଗୀତାର ଶେଷ ଶ୍ଲୋକଟି ଦେଖନ୍ତୁ "ଯତ୍ର ଯୋଗେଶ୍ୱର କୃଷ୍ଣ' । ଏହି ଯୋଗେଶ୍ୱର ଶବ୍ଦଟି ହିଁ ସମଗ୍ର ଗୀତାରେ ନିହିତ ଥିବା ଯୋଗତତ୍ତ୍ୱର ଧର୍ମତତ୍ତ୍ୱର ସାରାଂଶ କହିଦିଏ । ଏଥିରୁ ଯାହା ସ୍ପଷ୍ଟ ହୁଏ ଗୀତା ଏକ ଯୋଗ ଗ୍ରନ୍ଥ ବ୍ୟତୀତ ଅନ୍ୟ କିଛି ନୁହେଁ । ଯୋଗ ସାଧନା ଏବଂ ଆଧ୍ୟାତ୍ମିକ ଚିନ୍ତନ ହିଁ ଗୀତାର ମୂଳତତ୍ତ୍ୱ । ସେ ଯାହାହେଉ, ଶ୍ରୀମଦ୍‌ ଭଗବଦ୍‌ଗୀତାର ବିଭିନ୍ନ ସ୍ଥାନରେ ଏହିଭଳି ଭିନ୍ନ ଭିନ୍ନ ପ୍ରକାରର ଯୋଗର ବର୍ଣ୍ଣନା ତ କରାଯାଇଛି, କିନ୍ତୁ ସ୍ଥୂଳ ବିଭାଜନ ଦୃଷ୍ଟିରୁ ପ୍ରଥମ ଛଅ ଅଧ୍ୟାୟ କର୍ମଯୋଗ ପ୍ରଧାନ, ତାପର ଛଅ ଅଧ୍ୟାୟ ଭକ୍ତିଯୋଗ ପ୍ରଧାନ ଏବଂ ଅନ୍ତିମ ଛଅ ଅଧ୍ୟାୟ ଜ୍ଞାନଯୋଗ ପ୍ରଧାନ । 


    ଏହି ସମଗ୍ର ସଂସାର ମାୟା ବୋଲି ମନେ କରି କର୍ମରେ କର୍ତ୍ତାପଣର ଅଭିମାନ ରହିତ ହୋଇ ସଚ୍ଚିଦାନନ୍ଦ ଘନ ବାସୁଦେବଙ୍କୁ ହିଁ ଏକମାତ୍ର କର୍ତ୍ତା ମନେକରି ତାଙ୍କର ଶରଣାପନ୍ନ ହେବା ହେଉଛି ସାଂଖ୍ୟଯୋଗ । ସବୁକିଛି ତାଙ୍କରି ବୋଲି ମନେକରି ଆସକ୍ତି ଏବଂ ଫଳର ଇଛା ତ୍ୟାଗ କରି, ସିଦ୍ଧି ଏବଂ ଅସିଦ୍ଧିରେ ସମତ୍ୱ ଭାବ ରଖି ସମସ୍ତ କର୍ମ ସମ୍ପାଦନ କରିବା, ଶ୍ରଦ୍ଧାପୂର୍ବକ ଭଗବାନଙ୍କୁ ନିରନ୍ତର ଚିନ୍ତନର ଚିନ୍ତନ କରିବା ହେଉଛି କର୍ମଯୋଗର ସାଧନ । ଭଗବାନଙ୍କ କହିବା କଥାର ସାର ହେଲା ଯେ - ଦେହାଭିମାନ ରହିତ ହୋଇ ଜୀବନ ଧାରଣ କରିବା, ସାଂଖ୍ୟଯୋଗର ସାଧନ ନିର୍ବାହ କରିପାରିବା ସମ୍ଭବ ହୋଇନପାରିଲେ ତାଙ୍କର ଚିନ୍ତନ କରି, କର୍ମଯୋଗର ଆଚରଣ କରିବା ପ୍ରତ୍ୟେକ ମନୁଷ୍ୟ ପାଇଁ ସମ୍ଭବପର । ସମାଜରେ ସାତ୍ତ୍ୱିକ, ରାଜସିକ, ତାମସିକ ତିନିଶ୍ରେଣୀର ମନୁଷ୍ୟ ଅଛନ୍ତି, ସମସ୍ତଙ୍କୁ ଯେକୌଣସି ବାଟରେ ଈଶ୍ୱରଙ୍କ ସହିତ ସାମିଲ କରିବାର ଉଦ୍ଦେଶ୍ୟ ରଖି ଏକଥା କୁହାଯାଇଛି । ସେଥିପାଇଁ ତ ଗୀତାର ଯୋଗଶିକ୍ଷା ସର୍ବଜନପ୍ରିୟ । 


E-mail : drchandrakantamishra666@gmail.com