ଗୋଚାଲାଣ ଆକ୍ରମଣ ଘଟଣା: କଷଟିରେ ଏସ୍ପି, ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ ଦାବି
ତିହିଡ଼ି : ତିହିଡ଼ି ବ୍ଲକ୍ କୁବେରା ପଞ୍ଚାୟତ କଷଟି ଗାଁରେ ଗୋଚାଲାଣକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛିବ୍ୟକ୍ତିଙ୍କ ମିଳିତ ଆକ୍ରମଣରେ ସନ୍ତୋଷ ପରିଡ଼ା (୪୦) ଗୁରୁରତ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି । ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଥିବା ବେଳେ ଭଦ୍ରକର ନୂତନ ଏସ୍ପି ଭାବେ ଦାୟିତ୍ୱ ନେଇଥିବା ମନୋଜ ରାଉତ ଆଜି କଷଟିରେ ପହଞ୍ଚô ସନ୍ତୋଷଙ୍କ ପରିବାର ଓ ସ୍ଥାନୀୟଲୋକଙ୍କ ସହ ଆଲୋଚନା କରିଛନ୍ତି । ତେବେ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍ପି ପ୍ରତିଶ୍ରୁତି ଦେବା ସହ ଆଇନକୁ ହାତକୁ ନ ନେବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଯଦି ଅପରପକ୍ଷରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କା ହୁଏ, ତେବେ ପୁଲିସ୍କୁ ତୁରନ୍ତ ଜଣାଇବାକୁ ପରାମର୍ଶ ଦେଇଥିଲେ । ସେପଟେ ତିହିଡ଼ି ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ କଷଟିରେ ପହଞ୍ଚô ଏସପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ସୂଚନାଯୋଗ୍ୟ, ଚିକିତ୍ସାଧୀନ ସନ୍ତୋଷଙ୍କ ପତ୍ନୀ ମିନତୀଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଗୁଜି ଦରଡ଼ାର ଶେଖ ମୁଜାଫର, ଶେଖ କାଦିର, ଏସକେ ଶାମସୁଦ୍ଦିନ, ମଞ୍ଜୁର ଅଲ୍ଲୀ ଖାଁ, ଏସକେ ପବନ ଓ ଏସକେ କଶୁରୁକୁ ପର୍ଯ୍ୟାୟକ୍ରମେ ଗିରଫ କରିଛି । ଘଟଣାରେ ଅନ୍ୟମାନଙ୍କୁ ଗିରଫ କରାଯିବାକୁ ଗାଁଲୋକ ଦାବି କରିଛନ୍ତି ।