ଗ୍ରୀଷ୍ମକାଳୀନ ଶିବିର ଉଦ୍ୟାପିତ
ପୁରୀ : ପୁରୀ ବକ୍ସିଂ ଏକାଡ଼େମୀ ପକ୍ଷରୁ ଆୟୋଜିତ ଗ୍ରୀଷ୍ମକାଳୀନ ବକ୍ସିଂ ଶିବିର ଉଦ୍ୟାପିତ ହୋଇଯାଇଛି । ପୁରୀ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଏହି ଶିବିରର ଉଦ୍ୟାପନୀ ସମାରୋହ ଅବସରରେ ବଡ଼ି ବିଲ୍ଡର ଅନୀଲ ଗୋଚ୍ଛିକାରଙ୍କ ସହଯୋଗରେ ଏକ ନୂତନ ଗ୍ରାଉଣ୍ଟ ଲେବୁଲ୍ ବକ୍ସିଂ ରିଙ୍ଗ୍ ଉଦ୍ଘାଟନ କରାଯାଇଛି । ଫଳରେ ପୁରୀ ଜିଲ୍ଲାରେ ବକ୍ସିଂ ପ୍ରଶିକ୍ଷଣ ପାଇଁ ଏହା ଏକ ନୂଆ ମାଇଲ ଖୁଣ୍ଟ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଓଡ଼ିଶା ଅଲମ୍ପିକ୍ସ ସଂଘ କୋଷାଧ୍ୟକ୍ଷ ରବିଶଙ୍କର ପ୍ରତିହାରୀ, ପ୍ରତିହାରୀ ନିଯୋଗ ସଂପାଦକ କେଦାରନାଥ ଖୁଣ୍ଟିଆ, ବିନୋଦ ସିଂ, ବିମଳ ପ୍ରସାଦ ମହାନ୍ତି, ଆୟୁଷ ଆଥ୍ଲେଟିକ୍ସ ରଶ୍ମିରଂଜନ ପାତ୍ର, ପୂର୍ବତନ ପୌରସଦସ୍ୟ ସୁବାସ ସାହୁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବୟସର ଶିକ୍ଷାର୍ଥୀ ଓ ବକ୍ସରମାନଙ୍କ ଦକ୍ଷତା ନିରୀକ୍ଷଣ କରିଥିଲେ । ବକ୍ସିଂ ଏକାଡ଼େମୀର ପ୍ରତିଷ୍ଠାତା ସୁଦର୍ଶନ ସାହୁ ପ୍ରକାଶ କରିଥିଲେ ଯେ ନୂତନ ବକ୍ସିଂ ରିଙ୍ଗ୍ ପ୍ରଶିକ୍ଷଣର ଗୁଣବତ୍ତା ବଢାଇବ ଓ ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରିପାରିବେ । ମଦନ ନାୟକ, ଦୀପକ ପରିଡ଼ା, ଲକ୍ଷ୍ମୀଧର ମୁଦୁଲି, ବସନ୍ତ ବେଜ, ଚନ୍ଦନ ଥାପ୍ପା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।