ଘରେ ପଶି ପ୍ରେମିକାକୁ ଅସଦାଚରଣ ; ପ୍ରେମିକ ଗିରଫ

ଭୁବନେଶ୍ୱର, ୨୧ା୮ : ବିଳମ୍ବିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ପୁରୁଣା ପ୍ରେମିକାକୁ ଅସଦାଚରଣ କରିବା ସହ ତାଙ୍କ ଇଛାବିରୋଧରେ ଜୋରଜବରଜସ୍ତ ଶାରିରୀକ ସମ୍ପର୍କ ରଖିଲା ପ୍ରେମିକ । ବିରୋଧ କରିବାରୁ ରୁମ ଭିତରେ ପ୍ରେମିକାର ହାତ ଗୋଡ ବାନ୍ଧି ଫେରାର ହେଲା ଅଭିଯୁକ୍ତ ପ୍ରେମିକ । ପରେ ଯୁବତୀଙ୍କ ପରିବା ଲୋକ ଆସି ହାତ ଗୋଡ ଖୋଲିବା ପରେ ଏନେଇ ଭରତପୁର ଥାନାରେ ଅଭିଯୋଗ କଲେ ପୀଡ଼ିତା । ପୁଲିସ ଏନେଇ ୫୫୩ରେ ମାମଲା ରୁଜୁକରି ଦଫା ୬୪(୧) ବିଏନ୍ଏସ୍ରେ ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି । ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ନୟାଗଡ଼ ଜିଲ୍ଲାର ଦିଲିପ୍ କୁମାର ନାୟକ ।
ସୂଚନା ଯୋଗ୍ୟଯେ, ଗତବର୍ଷ ଅଭିଯୋଗକାରିଣୀ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ହେଲେ ପ୍ରାୟ ୪ ମାସ ତଳେ ଅଭିଯୁକ୍ତ ପ୍ରେମିକାଙ୍କୁ କିଛି ନଜଣାଇ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲା । ପୀଡ଼ିତା ଏହି ବିଷୟରେ ଜାଣିବା ପରେ ତା ସହିତ ଆଉ କୌଣସି ସମ୍ପର୍କ ରଖିନଥିଲେ । ଏହା ଭିତରେ ଗତ ୧୮ ତାରିଖ ବିଳମ୍ବିତ ରାତି ୧୨ଟା ୩୦ ସମୟରେ ଅଭିଯୋଗକାରିଣୀଙ୍କ ଘରେ କେହି ନଥିବା ସମୟରେ ତାହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଘରେ ପଶି ପୀଡ଼ିତାଙ୍କ ସହିତ ଅସଦାଚରଣ କରିବା ସହ ତାଙ୍କ ଇଚ୍ଛା ବିରୁଦ୍ଧରେ ଜୋରଜବରଜସ୍ତ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା । ଏହି ସମୟରେ ପୀଡ଼ିତା ଚିକ୍ରାର କରିବା ସହ ଅଭିଯୁକ୍ତକୁ ବିରୋଧ କରିବାରୁ ଅଭିଯୁକ୍ତ ପୀଡ଼ିତାଙ୍କ ହାତ ଗୋଡ ବାନ୍ଧି ଫେରାର ହୋଇଯାଇଥିଲା । ଏହି ସମୟରେ ପୀଡ଼ିତାଙ୍କ ପରିବାର ଲୋକେ ସକାଳୁ ଆସି ଦେଖିଲା ବେଳକୁ ଝିଅର ହାତ ଗୋଡ ବନ୍ଧା ହୋଇ ସେ ଶୋଇଥିବା ଦେଖିଥିଲେ । ପରେ ପୀଡ଼ିତାଙ୍କ ହାତ ଗୋଡ ଖୋଲି ଘଟଣା ବିଷୟରେ ଜାଣିବା ପରେ ଭରତପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ନୟାଗଡ଼ରୁ ଗିରଫ କରିଛି ।