ଘରେ ପଶି ମାଆ ଝିଅକୁ କଟୁରୀରେ ଆକ୍ରମଣ; ୨ ଗିରଫ
ଭୁବନେଶ୍ୱର, ୧୩ା୧ : ଜନ୍ନଦିନ ଭୋଜିରେ ଖାଦ୍ୟ ଖାଇବାକୁ ନେଇ ଝଗଡା । ଏହାର ପ୍ରତିଶୋଧ ନେବା ଲାଗି ଘରେ ପଶି ମାଆ ଓ ଝିଅକୁ ଏକ କଟୁରୀ ସାହାର୍ଯ୍ୟରେ ମରଣାନ୍ତକ ଆକ୍ରମଣ କରି ଅଭିଯୁକ୍ତ ମାନେ ଫେରାର । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଗତ ୬ ତାରିଖ ଦିନ ଜଣେ ନାବାଳକକୁ ଗିରଫ କରାଯାଇ ତାକୁ ଜୁଭେନାଇଲ ଜଷ୍ଟିସ ବୋର୍ଡଙ୍କ ନିକଟରେ ହାଜର କରିଥିବା ବେଳେ, ତା ନିକଟରୁ ଏକ ବାଇକ ଜବତ କରାଯାଇଥିଲା । ଏହାର ୬ ଦିନ ପରେ ଆଜି ବାକି ୨ ଜଣ ଅଭିଯୁକ୍ତଙ୍କୁ କନ୍ଧମାଳ ଜିଲ୍ଲାରୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଏକ କଟୁରୀ ଜବତ କରାଯାଇଛି । ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ୨ ଅଭିଯୁକ୍ତ ହେଲେ, କଟକ ନିଆଳିର ସୁଭେନ୍ଦୁ ନାୟକ ଓ ନୟାଗଡ଼ ଜିଲ୍ଲାର ବାସୁଦେବ ରାଉତ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ରାହୁଲ ମହାନ୍ତି ପରିବାର ସହ ସାଲିଆସାହି ଅନ୍ତର୍ଗତ ଲକ୍ଷ୍ମୀନଗରରେ ରୁହନ୍ତି । ଗତ ୧୨.୧୨.୨୦୨୪ ତାରିଖ ଦିନ ନିଜ ସାନ ଭଉଣୀଙ୍କ ଜନ୍ମଦିନ ପାଳନ ଅବସରରେ ଖାଦ୍ୟ ଖାଇବାକୁ ନେଇ ଅଭିଯୋଗକାରୀଙ୍କର ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କ ସହିତ ଝଗଡା ହୋଇଥିଲା ଏବଂ ଏହାକୁ ନେଇ ଅଭିଯୋଗକାରୀଙ୍କ ମାଆ ମଧ୍ୟ ଦୁଇ ଅଭିଯୁକ୍ତଙ୍କୁ ଆକ୍ଷେପ କରି କିଛି ଟିପ୍ପଣୀ ଦେଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଅଭିଯୋଗକାରୀଙ୍କ ଉପରେ ପ୍ରତିଶୋଧ ନେବା ଲାଗି ଗତ ୫ ତାରିଖ ଦିନ ବିଳମ୍ବିତ ରାତିରେ ଦୁଇ ଅଭିଯୁକ୍ତ ଏବଂ ତାଙ୍କର କିଛି ସହଯୋଗୀ ମାନେ ଅଭିଯୋଗକାରୀଙ୍କ ଘରକୁ ଯାଇ ତାଙ୍କୁ ଖୋଜିଥିଲେ । ହେଲେ ସେ ଘରେ ନଥିବା ବେଳେ, ଅଭିଯୋଗକାରୀଙ୍କ ମାଆ ସେମାନଙ୍କୁ ବିରୋଧ କରିଥିଲେ । ଏହି ସମୟରେ ଅଭିଯୁକ୍ତ ମାନେ ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣିଥିବା ପଇଡ଼ କଟା କଟୁରୀରେ ଅଭିଯୋଗକାରୀଙ୍କ ମଆଆ ଓ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ମୈତ୍ରୀବିହାର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଜଣେ ନାବାଳକକୁ ଗିରଫ କରିଥିବା ବେଳେ ଆଜି ବାକୁ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।