ଚକୋଲେଟ୍ ଦେଇ ସାଙ୍ଗରେ ନେବା ପଡ଼ିଲା ମହଙ୍ଗା ; ନାବାଳିକାକୁ ଉଦ୍ଧାର

ଭୁବନେଶ୍ୱର, ୧୧ା୬ : ଘର ଆଗରେ ଖେଳୁଥିବା ସମୟରେ ଜଣେ ନାବାଳିକାକୁ ଚକୋଲେଟ୍ ଦେଇ ମନ୍ଦ ଉଦେଶ୍ୟରେ ସାଙ୍ଗରେ ନେବା ବେଳେ ନାବାଳିକାଙ୍କ କାନ୍ଦ ଶୁଣି ଅଭିଯୁକ୍ତ କବଳରୁ ଦୌଡ଼ିଯାଇ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଧରି ବହେ ଛେଚିଲେ । ପରେ ପୁଲିସ ଡାକି ଜିମା ଦେଲେ । ଏନେଇ ଲକ୍ଷ୍ମୀସାଗର ଥାନା ପୁଲିସ ୩୧୭ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଦଫା ୩୬୩, ୩୭୦ ଆଇପିସି/ଆର/ଡବ୍ଲୁ୍ୟ-୮/୧୨ ପୋସକ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ନୟାଗଡ଼ ଜିଲ୍ଲାର ପ୍ରଶାନ୍ତ କୁମାର ପଟ୍ଟନାୟକ । ଏଠାରେ ସେ ଲିଙ୍ଗରାଜ ଥାନା ଅଞ୍ଚଳରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲା ।
ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ଜଣକ ପରିବାର ସହ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ରିଫୁ୍ୟଜି କଲୋନୀ ଅଞ୍ଚଳରେ ରୁହନ୍ତି । ଗତ ୯ ତାରିଖ ସନ୍ଧ୍ୟାରେ ଅଭିଯୋଗକାରିଣୀଙ୍କ ନାବାଳିକା ଝିଅ ଘର ନିକଟରେ ଖେଳୁଥିବା ବେଳେ, ଅଭିଯୁକ୍ତ ଜଣକ ମନ୍ଦ ଉଦେଶ୍ୟ ରଖି ଉକ୍ତ ନାବାଳିକା ନିକଟକୁ ଆସି ତାକୁ ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇଯାଉଥିଲା । ଏହି ସମୟରେ କିଛି ଦୂର ଯିବା ପରେ ନାବାଳିକା ଜଣକ କାନ୍ଦିବା ଆରମ୍ଭ କରିଥିଲେ । ଏହି କାନ୍ଦ ଶୁଣି ନାବାଳିକାର ଜେଜେମା ଏବଂ ସାହିର କିଛି ଲୋକ ଘଟଣାସ୍ତଳରେ ପହଞ୍ଚି ନାବାଳିକାକୁ ଅଭିଯୁକ୍ତ କବଳରୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ କାବୁ କରି ପ୍ରଥମେ ବହେ ଛେଚିଥିଲେ । ପରେ ଲକ୍ଷ୍ମୀସାଗର ଥାନାକୁ କଲ କରି ଅଭିଯୁକ୍ତକୁ ଜିମା ଦେଇଥିଲେ ।