ଚାଷୀଙ୍କ ମୁହଁରେ ଫୁଟାଇଲା ହସ ଅସ୍ଥାୟୀ ବନ୍ଧ ଦ୍ୱାରା ଚାଷ ଜମିକୁ ଗଲା ପାଣି
ାା ପ୍ରଭାନୁ୍ୟଜ ।ା ଖଇରା,: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ବିଦ୍ୟାଧର ଡିଭିଜନର ଅଧିକାରୀମାନେ ଅସ୍ଥାୟୀ ବନ୍ଧ ବାନ୍ଧି ଖଇରା ସବ୍ଡିଭିଜନର କଲ୍ୟାଣୀ ସବ୍ମାଇନରକୁ ପାଣି ଯୋଗାଇ ଚାଷୀଙ୍କ ଚାଷ କାର୍ଯ୍ୟ ଆଶା ଉଦ୍ଜୀବିତ କରିଛନ୍ତି । ୨ହଜାର ୫ଶହ ଏକର ଜମିରେ ଚାଷୀମାନେ ଚାଷ ପାଇଁ ତଳି ପକାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିପାଇଁ ଉପକୃତ ଚାଷୀମାନେ ବିଦ୍ୟାଧରପୁର ଡିଭିଜନର ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ପ୍ରକାଶ ଯେ, ସାଳନ୍ଦି କେନାଲର ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ବିଦ୍ୟାଧରପୁର ଜଳଭଣ୍ଡାରରୁ କମ୍ ପରିମାଣର ଜଳ ତଳମୁଣ୍ଡକୁ ଛଡାଯାଉଛି । ଯେଉଁଥିପାଇଁ ସବୁ ଜଳ ଚାଷୀଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ । ଚଳିତ ବର୍ଷ ଅନାବୃଷ୍ଟି ସାଙ୍ଗକୁ ଏହି କେନାଲ ସଂଲଗ୍ନ କଲ୍ୟାଣୀ ସବ୍ମାଇନର ବା ଶାଖା କେନାଲରେ ଜଳ ପ୍ରବାହିତ ହେଉନଥିବାରୁ ଶହଶହ ଚାଷୀଙ୍କ ଚାଷ କରିବା ଆଶା ମଉଳି ଯାଇଥିଲା । ଯାହାଫଳରେ ସମସ୍ତ ଚାଷୀମାନେ ଏକଜୁଟ୍ ହୋଇ ବିକଳ୍ପ ବ୍ୟବସ୍ଥା କରିବାକୁ ବିଦ୍ୟାଧରପୁର ସବଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାଗିରଥୀ ପାତ୍ରଙ୍କୁ ନିବେଦନ କରିଥିଲେ । ପାତ୍ରଙ୍କ ନିଦେ୍ର୍ଦଶକ୍ରମେ ସହକାରୀ ଯନ୍ତ୍ରୀ ନରହରି ପ୍ରଧାନ ଓ କନିଷ୍ଠଯନ୍ତ୍ରୀ ଦିପକ ସାମଲ ପ୍ରମୁଖ ପ୍ରଚେଷ୍ଟାରେ ଧନିଆବନ୍ଧ ରାସ୍ତା ସଂଲଗ୍ନ ପୋଲ ନିକଟରେ ଅସ୍ଥାୟୀ ବନ୍ଧ ବାନ୍ଧି ଜଳ ଅଟକାଇ କଲ୍ୟାଣୀ ସବ୍ମାଇନରରେ ପାଣି ଉଠିବାର ବ୍ୟବସ୍ଥା କରି ୧୨କିମି ବ୍ୟାପୀ ଏହି ଶାଖା କେନାଲରେ ପାଣିଦେଇ ଚାଷୀମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ।