ଚାଷୀଙ୍କ ସମସ୍ୟା ନେଇ ସାଂସଦଙ୍କୁ ଭେଟିଲେ କୃଷକ ବିକାଶ ମଞ୍ଚ ପ୍ରତିନିଧି 

 ଯାଜପୁର : ଓଡିଶା କୃଷକ ବିକାଶ ମଞ୍ଚ ଯାଜପୁର ଶାଖାର ଏକ ପ୍ରତିନିଧି ଦଳ ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଭେଟି ଚାଷୀଙ୍କ ବିଭିନ୍ନ ସମସ୍ୟାର ଆସୁ ସମାଧାନ ପାଇଁ ପାଞ୍ଚ ଦଫା ସମ୍ମିଳିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ପାଇଁ ସରକାର ଧାନ ବିକ୍ରି ପଞ୍ଜିକରଣ ନିୟମ ଅତ୍ୟନ୍ତ କଠୋର କରିଥିବାରୁ ବହୁ ଚାଷୀ ପଞ୍ଜିକରଣ କରିପାରୁ ନାହାନ୍ତି । ଫଳରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଖରିଫ ଚାଷୀ ଧାନ ବିକ୍ରି କରିବା ପାଇଁ ସମର୍ଥ ହେବେ ନାହିଁ । ରାଜ୍ୟ ସରକାର ଗତ ସପ୍ତାହରେ ଏହାକୁ କୋହଳ କରି ସତ୍ୟପାଠ ମାଧ୍ୟମରେ ସଠିକ ତଥ୍ୟ ଦେଇ ଚାଷୀ ପଞ୍ଜିକରଣ କରିପାରିବେ ବୋଲି ସୂଚନା ଦେଇଥିଲେ ବି ବାସ୍ତବରେ କୋହଳ ନିୟମକୁ ଆଧାର କରି ଚାଷୀଙ୍କ ଧାନ ବିକ୍ରି ପଞ୍ଜିକରଣ କରାଯାଉନାହିଁ । ଫଳରେ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସେହିଭଳି ଯାଜପୁର ଜିଲାର ବହୁ ରାଜସ୍ୱ ଗ୍ରାମ ଏପର୍ଯ୍ୟନ୍ତ ନଟ ଫାଇନାଲ ଏରିଆ ଭାବେ ଥିବାରୁ ବୀମା ପଞ୍ଜିକରଣ ଓ ଧାନ ବିକ୍ରି ପଞ୍ଜିକରଣ କରିବାକୁ ସେହି ଗ୍ରାମର ଚାଷୀ ବଞ୍ଚିତ ହେଉଛନ୍ତି । ଫଳରେ ତୁରନ୍ତ ନଟ ଫାଇନାଲ ଏରିଆକୁ ଫାଇନାଲ ଏରିଆ ଭାବେ ଘୋଷଣା କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ତୁରନ୍ତ ବିହିତ ବ୍ୟବସ୍ଥା ପାଇଁ ଦାବି କରାଯାଇଛି । ସେହିପରି ଚଳିତ ଖରିଫ ୠତୁରେ ଚାଷୀଙ୍କୁ ସମବାୟ ସମିତି ପକ୍ଷରୁ ରାସାୟନିକ ସାର ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ ଚାଷୀଙ୍କ ଆବଶ୍ୟକତାକୁ ବିଚାରକୁ ନେଇ ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦେବାକୁ ଦାବି କରାଯାଇଛି । ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ବନ୍ୟା ପ୍ରଭାବରେ ଜିଲାର ବହୁ ପଞ୍ଚାୟତର ଚାଷ ଜମି ଧୋଇ ହୋଇଯିବା ସହିତ ଧାନ ତଳି ମଧ୍ୟ ପଚି ନଷ୍ଟ ହୋଇଯାଇଛି । ରୁଆ ହୋଇଥିବା ଧାନ କ୍ଷେତରେ ଆଣ୍ଠୁଏ ଉଚ୍ଚର ପାଣି ଥିବାରୁ ଧାନ ଗଛ ପଚିନଷ୍ଟ ହୋଇଛି । ରାଜସ୍ୱ ଓ କୃଷି ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି ସଠିକ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରି ସେହି ଆଧାରରେ ଫସଲ କ୍ଷତି ପୂରଣ ରାଶି ଅବିଳମ୍ବେ ପ୍ରଦାନ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । କେନାଲ ମରାମତି ପାଇଁ ଜଳସେଚନ ବିଭାଗ ପକ୍ଷରୁ ଆର୍ଥôକ ଅନୁଦାନ ଦିଆଯାଇଥିଲେ ବି କେନାଲ ଗୁଡିକ ବର୍ଷା ଋତୁ ପୂର୍ବରୁ ମରାମତି ଓ ସଫେଇ ହୋଇ ନଥିବାରୁ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଚାଷୀଙ୍କ ଜମିକୁ ପାଣି ଯାଇପାରୁନାହିଁ । ତୁରନ୍ତ ଏହାର ଆସୁ ମରାମତି ଓ ସଫାଇ କାର୍ଯ୍ୟ କରିବାକୁ ଦାବି କରାଯାଇଛି । ଏଠି ସହିତ ଖାଲୁଆ ଜମି ଗୁଡିକ ଜଳ ବନ୍ଦୀ ହୋଇରହିଥିବାରୁ ତୁରନ୍ତ ନାଳ କରାଯାଇ କିମ୍ବା ନାଳର ପୁନରୁଦ୍ଧାର କରାଯାଇ ଖାଲୁଆ ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ବିହିତ ବ୍ୟବସ୍ଥା କରିବାକୁ ସାଂସଦଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରାଯାଇଛି । ସାଂସଦ ଶ୍ରୀ ବେହେରା ଚାଷୀଙ୍କ ସ୍ୱାର୍ଥ ସମ୍ମଲିତ ଦାବିଗୁଡିକୁ  ଶୁଣିବା ସହିତ ସମ୍ପୃକ୍ତ ବିଭାଗକୁ ନିଦେ୍ର୍ଦଶ ଦେବା ସହିତ ଜିଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । କୃଷକ ସଂଗଠନ ପକ୍ଷରୁ ଜିଲ୍ଲା କୃଷକ ବିକାଶ ମଞ୍ଚର ସଭାପତି ଶେଖ କମାଉଦ୍ଦିନ, ସାଧାରଣ ସମ୍ପାଦକ ରବୀନ୍ଦ୍ର ଜେନା, ସନାତନ ସାହୁ, ସଞ୍ଜୟ ରାଉତ, ବାସୁଦେବ ଧଳ, ସୁପ୍ରକାଶ ପଣ୍ଡା, ସୀମାନ୍ତ ପାତ୍ର, କଳ୍ପତରୁ ରାଉତ, ଭୁବନାନନ୍ଦ ସାମଲ, ରବିନାରାୟଣ ବିଶ୍ୱାଳ, ସନ୍ତୋଷ କୁମାର ସାମଲ, ବିଭୁ ପ୍ରସାଦ ସ୍ୱାଇଁ ପ୍ରମୁଖ ସାଂସଦଙ୍କୁ ଭେଟିଥିଲେ ।